ନିର୍ବାଚନ ବେଳେ ବାଧିଲା ଦଳୀୟ ଅଣଦେଖା, ବିଜେଡି ଛାଡିଲେ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର

ଭୁବନେଶ୍ୱର,୩୦/୩(ସତ୍ୟପାଠ ବ୍ୟୁରୋ): ବିଜେଡିରୁ ଇସ୍ତଫା ଦେଲେ ଉତ୍ତର ଭୁବନେଶ୍ୱରର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର। ସେ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେବାସହ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ସେ ତାଙ୍କ ଇସ୍ତଫାପତ୍ର ପଠାଇ ଦେଇଛନ୍ତି। ଇସ୍ତଫାପତ୍ରରେ ସେ ତାଙ୍କ କ୍ଷୋଭ ପ୍ରକାଶ କରି ଦଳର ତାଙ୍କପ୍ରତି ନିରନ୍ତର ଅଣଦେଖା କରୁଥିବା ଅଭିଯୋଗ କରି ସେ ଇସ୍ତଫା ଦେଇଛନ୍ତି। ତେବେ ମୁଣ୍ଡ ଉପରେ ନିର୍ବାଚନ ଥିବା ବେଳେ ଦୀର୍ଘଦିନ ଧରି ଚୁପ ଥିବା ପ୍ରିୟଦର୍ଶୀ ଏବେ ଦଳ ବିରୋଧରେ ଅଣଦେଖା ଅଭିଯୋଗ ଆଣିଛନ୍ତି |

ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀଙ୍କ ଜ୍ୱାଇଁ ହେଉଛନ୍ତି ପ୍ରିୟଦର୍ଶୀ ମିଶ୍ର। ସେ ୨୦୧୪ରେ ଉତ୍ତର ଭୁବନେଶ୍ୱର ଆସନରୁ ବିଜେଡି ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। କିନ୍ତୁ ୨୦୧୯ରେ ତାଙ୍କୁ ଟିକେଟ୍ ଦିଆଯାଇ ନଥିଲା।

ବିଜେଡିରୁ ଇସ୍ତଫା ଦେବା ପରେ ପ୍ରିୟଦର୍ଶୀ ମିଶ୍ର ଗଣମାଧ୍ୟମରେ କହିଛନ୍ତି, ମୁଁ ଛାତ୍ରାବସ୍ଥାରୁ ବିଜୁ ବାବୁଙ୍କ ସହିତ କାମ କରିଛି। ୩୦ ବର୍ଷରୁ ଅଧିକ ସମୟ ଧରି ମୁଁ ନିଷ୍ଠାର ସହିତ ଏହି ଦଳ ପାଇଁ କାମ କରିଛି। କିନ୍ତୁ ଦଳ ମୋତେ କ୍ରମାଗତ ଭାବେ ଅବହେଳା କରିଛି। ତା’ର ପ୍ରତିବାଦରେ ମୁଁ ଆଜି ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛି। ସେ କହିଛନ୍ତି, ପୂର୍ବରୁ ମୁଁ ମୋର ଅଭିଯୋଗ ଦଳୀୟ ନେତୃତ୍ୱଙ୍କୁ ଜଣାଇ ଥିଲି। ମୁଁ କହିଥିଲି- ପାର୍ଟିରେ ମୋର ବୋଧେ ଆଉ ସ୍ଥାନ ନାହିଁ। ମୋତେ ଦଳର କୌଣସି କାର୍ଯ୍ୟ କରିବାକୁ ସୁଯୋଗ ଦିଆଯାଉ ନାହିଁ। ଦୀର୍ଘ ବର୍ଷ ଧରି ଦଳର କୌଣସି କାର୍ଯ୍ୟକ୍ରମକୁ ଡକା ଯାଉନି। ତେଣୁ ମୁଁ ଆଉ ଦଳରେ ରହିବା କଥା ନୁହେଁ ବୋଲି ହୃଦ୍‌ବୋଧ କରୁଛି।

ପ୍ରିୟଦର୍ଶୀ କହିଛନ୍ତି, ଦଳ ଲଗାତାର ମୋତେ ଅଣଦେଖା କରିଛି। ଦଳ ମୋତେ ଲଗାତାର ଧୋକା ଦେଇ ଚାଲିଛି। ୨୦୧୯ରେ ମୋତେ ଟିକେଟ ଦିଆଯାଇ ନଥିଲା। ମୋତେ ଦଳ ପାଇଁ କାମ କରିବାକୁ କୁହାଯାଇଥିଲା। ୨୦୨୪ରେ ଟିକେଟ୍ କଥା ଦେଖାଯିବ ବୋଲି କୁହାଯାଇଥିଲା। ମୋତେ ହାଉସିଂ ବୋର୍ଡ କର୍ପୋରେସନ ଦାୟିତ୍ୱ ଦିଆଯାଇଥିଲା। ଅଧାରୁ ମୋତେ ସେ ଦାୟିତ୍ୱ ଛାଡ଼ିଦେବାକୁ କୁହାଯାଇଥିଲା। ପାର୍ଟି ପାଇଁ କାମ କରିବାକୁ କୁହାଯାଇଥିଲା। ତା’ସହିତ ୨୦୨୪ରେ ନିର୍ବାଚନ ଲଢ଼ିବ ବୋଲି କୁହାଯାଇଥିଲା। ମୁଁ ସେହି ନିର୍ଦ୍ଦେଶ ମାନିଥିଲି। କିନ୍ତୁ ପରେ ଯେମିତି ଦାୟିତ୍ୱ ଦିଆଯିବା କଥା ତାହା ଦିଆଯାଇ ନଥିଲା। ଯେତେବେଳେ ଦେଖିଲି ମୁଁ ଦଳ ପାଇଁ ଅଲୋଡ଼ା ହୋଇଯାଉଛି, ତେଣୁ ବାଧ୍ୟ ହୋଇ ଇସ୍ତଫା ଦେଲି।

Related Posts