‘ଦିନରେ ଲଣ୍ଠନ ଦେଖାଇଲେ ପ୍ରଧାନମନ୍ତ୍ରୀ’; ପୁଣି ମୋଦିଙ୍କୁ ଚିଗୁଲେଇଲେ ପାଣ୍ଡିଆନ

ଭୁବନେଶ୍ୱର,୧୨/୫(ସତ୍ୟପାଠ ବ୍ୟୁରୋ): ବରଗଡରୁ ବିଜେପି ଉପରେ ବର୍ଷିଲେ ଭିକେ ପାଣ୍ଡିଆନ୍। ସିଧା ସିଧା ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀଙ୍କୁ କଲେ ଟାର୍ଗେଟ୍। ରବିବାର ବରଗଡରେ ନିର୍ବାଚନୀ ସଭା କରି ପାଣ୍ଡିଆନ୍ କହିଛନ୍ତି, ପ୍ରଧାନମନ୍ତ୍ରୀ ବରଗଡ ଆସିଥିଲେ, ବହୁତ ବଡ ବଡ କଥା କହିକି ଗଲେ । ହେଲେ ସମ୍ବଲପୁରୀ, କୋଷଳୀ ଭାଷାକୁ ସମ୍ବିଧାନର ୮ମ ଅନୁଚ୍ଛେଦରେ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ୫ ବର୍ଷ ହେଲା ପ୍ରସ୍ତାବ ପଠାଉଛନ୍ତି, ହେଲେ ବିଜେପି ସରକାର କଣ କଲା ବୋଲି ସେ ପ୍ରଶ୍ନ କରିଛନ୍ତି।

ଏଥିସହ ଏହି ଅଞ୍ଚଳର ଜୀବନଧାରା ହେଉଛି ମହାନଦୀ ପାଣି। ଯେତେବେଳେ ଛତିଶଗଡରେ ବିଜେପି ସରକାର ଥିଲା, କେନ୍ଦ୍ରରେ ବିଜେପି ସରକାର ଥିଲା। ସେତେବେଳେ ଦୁଇ ଜଣ ମିଶି ଓଡିଶା ବିରୋଧରେ କାମ କଲେ। ମହାନଦୀ ଉପରେ ବେଆଇନ୍ ଭାବେ ଆଡିବନ୍ଧ ଆଉ ଡ୍ୟାମ ନିର୍ମାଣ କଲେ । ସିଡବ୍ଲ୍ୟୁସି ମଧ୍ୟ ଛତିଶଗଡକୁ ସହଯୋଗ କଲେ । କେନ୍ଦ୍ରମନ୍ତ୍ରୀ ମଧ୍ୟ ଛତିଶଗଡକୁ ସପୋର୍ଟ କଲେ। ହେଲେ ମୁଖ୍ୟମନ୍ତ୍ରୀ ସୁପ୍ରିମକୋର୍ଟ ଗଲେ, ସୁପ୍ରିମକୋର୍ଟ ଯାଇ ମହାନଦୀ ଟ୍ରିବ୍ୟୁନାଲ ଇନଷ୍ଟିଚ୍ୟୁଟ୍ କରାଗଲା। ତା ପରେ ଛତିଶଗଡର ଡ୍ୟାମ ବନ୍ଦ କରାଗଲା ବୋଲି କହିଛନ୍ତି ଭିକେ ପାଣ୍ଡିଆନ।

ଅନ୍ୟପଟେ ପ୍ରଧାନମନ୍ତ୍ରୀ କହିଲେ ଧାନର ରେଟ୍ ବୃଦ୍ଧି କରିବେ। ହେଲେ ୧୦ ବର୍ଷ ଶୋଇଥିଲେ କି ବୋଲି ପ୍ରଶ୍ନ କରିଛନ୍ତି ପାଣ୍ଡିଆନ୍। ନିର୍ବାଚନ ସମୟରେ ଚାଷୀର କଥା ମନେ ପଡିଲାନି କି? ଚାଷୀମାନେ ନୂଆଦିଲ୍ଲୀରେ ଆନ୍ଦୋଳନ କଲେ, ଏବେ ଇଲେକ୍ସନ ୧୦ ଦିନ ଥିଲାବେଳେ ଧାନର ରେଟ୍ ବଢାଇବାକୁ କହୁଛନ୍ତି। ବିଜେପି ଯେହେତୁ ବହୁତ ପରିମାଣରେ ହାରୁଛନ୍ତି, ସେଥିପାଇଁ ସେ ମିଛ କଥା କହୁଛନ୍ତି। ଚାଷୀ ଭାଇମାନଙ୍କୁ ଭୂଆଁ ବୁଲେଇବାକୁ ବିଜେପି ଚେଷ୍ଟା କରୁଛି ବୋଲି ପାଣ୍ଡିଆନ୍ କହିଛନ୍ତି।

ସେହିପରି କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ କରି ସେ କହିଛନ୍ତି, କେନ୍ଦ୍ରମନ୍ତ୍ରୀ ଏତେ ବର୍ଷ କେନ୍ଦ୍ରମନ୍ତ୍ରୀ ରହିଲେ। ହେଲେ ଗଙ୍ଗାଧର ମେହେରଙ୍କ ଏ ମାଟି ପାଇଁ କିଛି କଲେ କି? ସବୁକିଛି ନବୀନ ବାବୁ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଗୋଟେ ଟଙ୍କା ଖର୍ଚ୍ଚ କରିନାହାଁନ୍ତି। ବରଗଡରେ କ୍ୟାନସର ହେଉଛି ବଡ ସମସ୍ୟା । ସେଥିପାଇଁ କ୍ୟାନସର ହସ୍ପିଟାଲ କରିଛନ୍ତି ମୁଖ୍ୟମନ୍ତ୍ରୀ। କେନ୍ଦ୍ରମନ୍ତ୍ରୀ ଆସିକି କହିଲେ, ବରଗଡରେ କ୍ୟାନସର ଚିକିତ୍ସା ପାଇଁ ବ୍ୟବସ୍ଥା କରିବୁ । ହେଲେ ଇଲେକ୍ସନ ପରେ ଭୁଲିଗଲେ । ବିଜେପୁର ଉପ ନିର୍ବାଚନ ବେଳେ ବରପାଲି ଷ୍ଟେସନରୁ ଏକ୍ସପ୍ରେସ ଚଲେଇବାକୁ କହି ଭୁଲିଗଲେ। କେନ୍ଦ୍ରମନ୍ତ୍ରୀ ବଡ ବଡ କଥା କହୁଛନ୍ତି, ଇଲେକ୍ସନ ସରିଲା ପରେ କିନ୍ତୁ ତାଙ୍କୁ ପାଇବେନି ବୋଲି କହିଛନ୍ତି ପାଣ୍ଡିଆନ୍।

ଏଥିସହ ପ୍ରଧାନମନ୍ତ୍ରୀ କହିଛନ୍ତି ବିଜେପି ସରକାର ମାଗଣାରେ ବିଜୁଳି ଦେବ। ଏଥିପାଇଁ ସୋଲାର ପ୍ୟାନେଲ ଲଗେଇବାକୁ ପଡିବ। ହେଲେ ସୋଲାର ପ୍ୟାନେଲ ଲଗେଇବାକୁ ୪୦ରୁ ୫୦ ହଜାର ଖର୍ଚ୍ଚ କରିବାକୁ ପଡିବ। ଏହା ହେଉଛି ଦିନରେ ଲଣ୍ଠନ ଦେଖାଇବା । ମୁଖ୍ୟମନ୍ତ୍ରୀ କିନ୍ତୁ ଏ ସବୁରେ ବିଶ୍ୱାସ କରନ୍ତିନି। ସେ କହିଛନ୍ତି ଜୁନ୍ ୯ରେ ଦାୟିତ୍ୱ ଗ୍ରହଣ କରିବେ, ପ୍ରଥମ ଦସ୍ତଖତ ହେବ ବିଜୁଳି ବିଲ୍ ବନ୍ଦ ହେବ। ଜୁଲାଇ ପରେ ଓଡିଶାର ୯୦ ପ୍ରତିଶତ ପରିବାରଙ୍କୁ ବିଜୁଳି ବିଲ୍ ଦେବାକୁ ପଡିବନି। ଦିନରେ ଲଣ୍ଠନ ଦେଖାଇବା ଡବଲ ଇଞ୍ଜିନ, ଲୋକଙ୍କ ସେବା କରିବା ନବୀନ ଇଞ୍ଜିନ। ଭତ୍ତା ୩୦୦ ଟଙ୍କା ଦେବା ଡବଲ ଇଞ୍ଜିନ, ୧୦୦୦ ଟଙ୍କା ଭତ୍ତା ଦେବା ନବୀନ ଇଞ୍ଜିନ ବୋଲି କହିଛନ୍ତି ଭିକେ ପାଣ୍ଡିଆନ୍।

Related Posts