‘ଭୋଟ ହାତେଇବାକୁ ବିଜେଡି କଳା ଟଙ୍କା ବାଂଟୁଛି’; ଇସିଙ୍କୁ ଫେରାଦ ହେଲା ବିଜେପି


ଭୁବନେଶ୍ୱର,୧୨/୫(ସତ୍ୟପାଠ ବ୍ୟୁରୋ): ଆସନ୍ତାକାଲି ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଥିବାବେଳେ ଭୋଟ ବିକଳରେ ଟଙ୍କା ବାଣ୍ଟିବା ଆରମ୍ଭ କରିଦେଇଛି ବିଜେଡି। ଲୋକମାନେ ଜୋଡି ଶଙ୍ଖରେ ଭୋଟ ଦେବା ପାଇଁ ଶନିବାର ରାୟଗଡା ଜିଲ୍ଲା ପୂର୍ବତନ ବିଜେଡି ସଭାପତି ସୁଧିର କୁମାର ଦାସ ଲୋକଙ୍କୁ ୨ ହଜାର ଟଙ୍କା ଲେଖାଏଁ ବାଂଟୁଛନ୍ତି। ଯାହାର ଭିଡିଓ ଭାଇରାଲ ହୋଇଛି । ଶ୍ରୀ ଦାସଙ୍କ ଏଭଳି କାର୍ଯ୍ୟ ନିର୍ବାଚନ ଆଚରଣ ବିଧିକୁ ଖୋଲାଖୋଲି ଉଲଘଂନ କରୁଛି ବୋଲି ଅଭିଯୋଗ କରି ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନରଙ୍କ ଆଗରେ ଫେରାଦ ହେଇଛି ବିଜେପି। ଏଥିସହ ଟଙ୍କା ବାଂଟିବା ଭିଡିଓକୁ ମଧ୍ୟ ଇସିଙ୍କ ନିକଟରେ ହସ୍ତାନ୍ତର କରିଛି ବିଜେପି।

ଶ୍ରୀ ଦାସଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ସହ ୧୩ ତାରିଖରେ ହେବାକୁ ଥିବା ୪ଟି ଲୋକସଭା ସହ ଏହା ଅଧିନସ୍ଥ ୨୮ଟି ବିଧାନସଭା ନିର୍ବାଚନରେ କଡା ନଜର ରଖାଯିବା ନେଇ ଦାବୀ କରିଛି ବିଜେପି । ଟଙ୍କା ବଣ୍ଟା କାର୍ଯ୍ୟରେ ଯିଏ ନିୟୋଜିତ ରହିବେ ତାଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ରାଜ୍ୟ ଉପସଭାପତି ଶ୍ରୀ ଗୋଲକ ମହାପାତ୍ରଙ୍କ ନେତୃତ୍ୱରେ ବିଜେପିର ପ୍ରତିନିଧିମଣ୍ଡଳୀ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି । “ନିଷ୍କ୍ରିୟ ଶାସନ ବ୍ୟବସ୍ଥା, ବେକାରୀ ସମସ୍ୟା ଓ ଦାରିଦ୍ର୍ୟ, ଭ୍ରଷ୍ଟାଚାର ଓ ଦୁର୍ନିତୀ, ନିମ୍ନ ମାନର ସେବା, ଓଡିଆ ଅସ୍ମିତା ଓ ଅଣ ଓଡିଆଙ୍କ ଆଧିପତ୍ୟ, ନିର୍ବାଚନ ପୂର୍ବରୁ ଅନ୍ଧାରି ବିଜେ” ଏହି ୬ଟି ପ୍ରସଙ୍ଗ ଉପରେ ଭାରତୀୟ ଜନତା ପାର୍ଟି ସ୍ୱର ଉଠାଇବା ପରେ ବିଜେଡି ଛାନିଆ ହୋଇଯାଇଛି ।

ଓଡ଼ିଶାର ଲୋକଙ୍କୁ ଉତର ଦେବା ପରିବର୍ତେ ଟଙ୍କା ବାଣ୍ଟିବା ଆରମ୍ଭ କରିଛି । ଓଡିଆ ଅସ୍ମିତା ବିପଦରେ ଅଛି । ଜଣେ ସାନ ବାବୁ ବଡ ବାବୁ ହେବା ପାଇଁ ବିଫଳ ପ୍ରୟାସ କରୁଛନ୍ତି ଏବଂ ରାଜ୍ୟର ଶାସନକୁ ଆଉ ଜନମତକୁ ହାଇଜାକ୍ କରିଛନ୍ତି । ଏ କଥାକୁ ସମଗ୍ର ରାଜ୍ୟବାସୀ ହୃଦୟଙ୍ଗମ କରିଛନ୍ତି । ଲୋକଙ୍କ ମନକୁ ପରିବର୍ତନ କରି ବିଜେଡିକୁ ଜୋଡି ଶଙ୍ଖରେ ଭୋଟ ଦେବା ପାଇଁ ବିଜେଡି ନେତା ଓ କର୍ମୀମାନେ ସ୍ୱାଭିମାନୀ ଓଡ଼ିଆ ଭୋଟରଙ୍କୁ ଦୀର୍ଘ ୨୫ବର୍ଷ ହେଲା ଗଚ୍ଛିତ ରଖିଥିବା କଳା ଟଙ୍କା ବାଣ୍ଟି ଭୋଟ ହାତେଇବାକୁ ଚେଷ୍ଟା ଚଳାଇଛି । ପୂର୍ବ ନିର୍ବାଚନ ଗୁଡିକରେ ଏହା କରିଆସୁଥିବାବେଳେ ଏଥର ପରାଜୟ ସୁନିଶ୍ଚିତ ଜାଣି ଅଧିକ ମାତ୍ରାରେ ଟଙ୍କା ବଣ୍ଟା କାର୍ଯ୍ୟ ଆପଣାଇଛି ବିଜେଡି ବୋଲି ଅଭିଯୋଗ କରିଛନ୍ତି ରାଜ୍ୟ ଉପସଭାପତି ଶ୍ରୀ ଗୋଲକ ମହାପାତ୍ର ।

Related Posts