ପ୍ରଶାନ୍ତ ଜଗଦ୍ଦେବ ନିର୍ଦ୍ଦୋଷ, ତାଙ୍କ ଗିରଫ ପଛରେ ମୁଖ୍ୟମନ୍ତ୍ରୀ ଓ ତାଙ୍କ କୋଟେରୀ ଦାୟୀ: ଅପରାଜିତା

ଭୁବନେଶ୍ୱର,୨୮/୫(ସତ୍ୟପାଠ ବ୍ୟୁରୋ):  ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଏହି ପ୍ରେସମିଟ୍‌ରେ ସେ ପ୍ରଶାନ୍ତ ଜଗଦ୍ଦେବଙ୍କ ଗିରଫଦାରୀକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଏହାସହ ତାଙ୍କ ଗିରଫକୁ ବିରୋଧ କରିଛନ୍ତି। ସେ କହିଛନ୍ତି, ଓଡ଼ିଶାରେ ବିଜେପିର ଯାତ୍ରା ସଫଳ ହେବାକୁ ଯାଉଛି। ବିଧାୟକଙ୍କ ବିରୋଧରେ ଅଭିଯୋଗ ନଥିବା ସତ୍ତ୍ୱେ ତାଙ୍କୁ ଗିରଫ କରାଯାଇଛି। ଜଣେ ବି କେହି ତାଙ୍କ ବିରୋଧରେ ଅଭିଯୋଗ କରି ନାହାନ୍ତି।

ସେ ଆହୁରି କହିଛନ୍ତି ଯେ, ଘଟଣା ଦିନର ସିସିଟିଭି ଫୁଟେଜ୍ ମୋର ହସ୍ତଗତ ହୋଇଛି। ଇଭିଏମ୍ ଭାଙ୍ଗିବାରେ ପ୍ରଶାନ୍ତ ଜଗଦ୍ଦେବଙ୍କ ଭୂମିକା ନାହିଁ। ଘଟଣା ଦିନର ସିସିଟିଭି ସାର୍ବଜନୀନ କରିବି। ଘଟଣା ପରେ ବୁଥ ଯାଇଥିଲି, ଜଗଦ୍ଦେବ ଇଭିଏମ୍ ଭାଙ୍ଗିଥିବା କେହି ଅଭିଯୋଗ କଲେନି। ସିସିଟିଭି ଫୁଟେଜ ଯାଞ୍ଚ ନ କରି ଜଣେ ବିଧାୟକଙ୍କୁ ଗିରଫ କରାଗଲା। ଏହା କେଉଁ ପ୍ରକାର ଆଇନ ବ୍ୟବସ୍ଥା, ମୁଖ୍ୟମନ୍ତ୍ରୀ ଓ ତାଙ୍କ କୋଟେରୀ ଏଥିପାଇଁ ଦାୟୀ। ପ୍ରଶାନ୍ତ ଜଗଦ୍ଦେବଙ୍କ ଲୋକପ୍ରିୟତାକୁ ଦେଖି ଡରିଗଲେ କି ବୋଲି ଅପରାଜିତା ପ୍ରଶ୍ନ କରିଛନ୍ତି।

ଜଣେ ବିଜେଡି କର୍ମୀଙ୍କ ଅଡିଓ ତାଙ୍କ ପାଖରେ ଅଛି ବୋଲି ମଧ୍ୟ କହିଛନ୍ତି। ଜଗଦ୍ଦେବଙ୍କ ଭୂମିକା ନଥିବା ସେ ମଧ୍ୟ କହୁଛନ୍ତି। ଦୁଇ ତିନି ଘଣ୍ଟା ଭିତରେ ସିସିଟିଭି ଫୁଟେଜ ସାର୍ବଜନୀନ କରିବି। ଛେଣ୍ଡିପଦା ବିଧାୟକଙ୍କ ବିରୋଧରେ ପଦକ୍ଷେପ କଣ, ପାତରଅନ୍ତର କାହିଁକି ବୋଲି କହି ବିଜେଡ଼ି ଉପରେ ବର୍ଷିଛନ୍ତି।

ପ୍ରଶାନ୍ତ ଜଗଦ୍ଦେବଙ୍କ ଗିରଫଦାରୀ ମାମଲାରେ ଗତକାଲି ଆସିଥିଲା ନୂଆ ମୋଡ। ପୋଲିସ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ଡ୍ରାଇଭର।ସେ କହିଛନ୍ତି, ପୋଲିସ ମାଡ଼ ମାରିବା ସହ ମିଥ୍ୟା କେସର ଦେଇଛି ଧମକ। ବାଧ୍ୟ ହୋଇ ବିଧାୟକଙ୍କ ବିରୋଧରେ ବୟାନ ଦେଇଥିଲି।

ଗତ ୨୫ ତାରିଖରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଓ ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ନେଇ ବେଗୁନିଆ ଯାଇଥିବା ଘରୋଇ ଗାଡ଼ିର ମାଲିକ ତଥା ଡ୍ରାଇଭର, ପୋଲିସ ବିରୋଧରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ। ଗଣମାଧ୍ୟମ ଆଗରେ ଡ୍ରାଇଭର୍ ବନମାଳି ବେହେରା ଖୋଲାଖୋଲି ଅଭିଯୋଗ କରିଛନ୍ତି, ଗତକାଲି ସେ ଭୁବନେଶ୍ୱର ଘାଟିକିଆ ଘରେ ଥିବା ବେଳେ ପୋଲିସ୍ ତାଙ୍କୁ ଡାକି ନେଇ ଜଗଦ୍ଦେବଙ୍କ ବିରୋଧରେ ବୟାନ ଦେବାକୁ ଜୁଲମ୍ କରିଥିଲା।

Related Posts