ଭୁବନେଶ୍ୱର,୭/୬(ସତ୍ୟପାଠ ବ୍ୟୁରୋ): ହିମାଚଳ ପ୍ରଦେଶର ମଣ୍ଡିରୁ ବିଜେପି ଟିକେଟରେ ଲୋକସଭା ନିର୍ବାଚନ ଜିତିଥିବା କଙ୍ଗନା ରାଣାୱତଙ୍କୁ ଗତକାଲି ଏୟାରପୋର୍ଟରେ ହଟହଟା ହେବାକୁ ପଡ଼ିଛି। ଚଣ୍ଡିଗଡ଼ ଏୟାରପୋର୍ଟର ସୁରକ୍ଷା କାର୍ଯ୍ୟରେ ନିୟୋଜିତ ହୋଇଥିବା ସିଆଇଏସଏଫର ଜଣେ ମହିଳା କନଷ୍ଟେବଲ କଙ୍ଗନାଙ୍କୁ ଶକ୍ତ ଚାପୁଡ଼ା ମାରିଛନ୍ତି। ସେ ଚଣ୍ଡିଗଡ଼ରୁ ଦିଲ୍ଲୀ ଆସୁଥିବା ବେଳେ ଏପରି ଘଟଣା ଘଟିଛି।
କଙ୍ଗନା ଅଭିଯୋଗ କରିଛନ୍ତି ଯେ ସୁରକ୍ଷା ଯାଞ୍ଚ ପରେ ସେ ବୋର୍ଡିଂ ପଏଣ୍ଟ ଆଡ଼କୁ ଯାଉଥିଲେ। ଏହି ସମୟରେ ସେଠାରେ ଉପସ୍ଥିତ ଥିବା ସିଆଇଏସଏଫର ମହିଳା କନଷ୍ଟେବଲ କୁଲୱିନ୍ଦର କୌର ତାଙ୍କ ସହ ଯୁକ୍ତି କରିଥିଲେ। ଏହାପରେ ସେ ତାଙ୍କୁ ଶକ୍ତ ଚାପୁଡ଼ା ମାରିଥିଲେ।
ଅନୁସାରେ, ଚାଷୀ ଆନ୍ଦୋଳନ ବେଳେ ପଞ୍ଜାବର ଶହଶହ ମହିଳା ସାମିଲ ହୋଇଥିଲେ। ସେମାନଙ୍କ ସମ୍ପର୍କରେ କଙ୍ଗନା ଦେଇଥିବା ଅତ୍ୟନ୍ତ ଅସଭ୍ୟ ଭାଷଣ ପାଇଁ ସିଆଇଏସଏଫ କର୍ମଚାରୀ କୌର ତାଙ୍କୁ ମାଡ଼ ମାରିଛନ୍ତି। ଘଟଣା ପରେ କୌରଙ୍କୁ ସିଆଇଏସଏଫ ପକ୍ଷରୁ ତୁରନ୍ତ ନିଲମ୍ବିତ କରାଯାଇଛି।
ଘଟଣା ପରେ କଙ୍ଗନା ଗୋଟିଏ ଭିଡିଓ ଏକ୍ସରେ ପୋଷ୍ଟ କରିଛନ୍ତି। ଏଥିରେ ସେ କହିଛନ୍ତି ଯେ “ମୁଁ ସୁରକ୍ଷିତ। ମୁଁ ପୂରା ଠିକ ଅଛି। ସୁରକ୍ଷା ଯାଞ୍ଚ ବେଳେ ଚଣ୍ଡିଗଡ଼ ଏୟାରପୋର୍ଟରେ ଚାପୁଡ଼ା ମରା ଘଟଣା ଘଟିଛି।
ସୁରକ୍ଷା ଯାଞ୍ଚ ପରେ ମୁଁ ମହିଳା ସୁରକ୍ଷାକର୍ମୀଙ୍କୁ ଅତିକ୍ରମ କରୁଥିଲି। ଏହି ସମୟରେ ଉକ୍ତ ମହିଳା ଜଣଙ୍କ ଆସିଥିଲେ ଓ ମୋତେ ଚାପୁଡ଼ା ମାରିଥିଲେ। ଏଥିସହ ସେ ମୋତେ ଗାଳିଗୁଲଜ କରିଥିଲେ।
ଯେତେବେଳେ ମୁଁ ତାଙ୍କୁ କାହିଁକି ଏମିତି କଲ ବୋଲି ପ୍ରଶ୍ନ କରିଥିଲି ସେ ଚାଷୀଙ୍କ ସମର୍ଥନ କରନ୍ତି ବୋଲି କହିଥିଲେ। ମୁଁ ସୁରକ୍ଷିତ ଅଛି। କିନ୍ତୁ ପଞ୍ଜାବରେ ଏପରି ହିଂସା ଓ ଆତଙ୍କରାଜ ବୃଦ୍ଧିକୁ ନେଇ ମୁଁ ଚିନ୍ତିତ।”
ସାମ୍ନାକୁ ଆଉ ଏକ ଭିଡିଓରେ କନଷ୍ଟେବଲ କୌର ଘଟଣା ପଛର କାରଣ କହୁଥିବା ଶୁଣିବାକୁ ମିଳିଛି। ସେ କହିଛନ୍ତି, “କଙ୍ଗନା ଚାଷୀଙ୍କ ସମ୍ପର୍କରେ ବିବାଦୀୟ ଟିପ୍ପଣୀ କରିବା ବେଳେ ମୋ ମା’ ମଧ୍ୟ ବିକ୍ଷୋଭ କରୁଥିଲେ।” ଘଟଣାରେ ତାଙ୍କୁ ନିଲମ୍ବିତ କରାଯିବା ସହ ସିଆଇଏସଏଫ କମାଣ୍ଡାଣ୍ଟ ଅଫିସକୁ ଜେରା ପାଇଁ ନିଆ ଯାଇଛି।
ଦିଲ୍ଲୀ ଆସିବା ପରେ କଙ୍ଗନା ସିଆଇଏସଏଫ ଡିଜି ନିନା ସିଂହ ଓ ଅନ୍ୟ ଅଧିକାରୀଙ୍କୁ ଭେଟି ଘଟଣା ସମ୍ପର୍କରେ ଅବଗତ କରାଇଛନ୍ତି। ଘଟଣା ପାଇଁ ଗୋଟିଏ ପ୍ୟାନେଲ ମଧ୍ୟ ଗଠନ କରାଯାଇଥିବା କଙ୍ଗନା ଦାବି କରିଛନ୍ତି।





