ନବ ଏବେ ଦାସ

‘ମୋ ସରକାର’ର 5-ଟି କାର୍ଯ୍ୟକ୍ରମକୁ ନେଇ ଚାରିଆଡେ ଡାକ୍ତରଖାନା ବିଜେ କରୁଛନ୍ତି 5-ଟି ସଚିବ । ସ୍ବାସ୍ଥ୍ୟସେବାର ଉନ୍ନତି ପାଇଁ ପ୍ୟାକେଜ ଘୋଷଣା ମଧ୍ୟ ଚାଲିଛି । ଏସବୁ ଭିତରେ ଗୋଟିଏ କଥା ସମସ୍ତଙ୍କ ନଜରରୁ ହଟିଯାଇଛି । ସେଇଟା ହେଉଛି ଯେ ଏବେ ସ୍ବାସ୍ଥ୍ୟମନ୍ତ୍ରୀ କେଉଁଠି ?  ଡାକ୍ତରଖାନାର ଚାଲିଛି ସଂସ୍କାର, ଉନ୍ନତ ଓ ଗଣାତ୍ମକ ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ ନିଜେ ବର୍ତ୍ତମାନ ସବୁ ଜିଲ୍ଲା ବୁଲୁଛନ୍ତି ମୁଖ୍ୟମନ୍ତ୍ରୀଙ୍କ ମାନସ ସଚିବ । କିନ୍ତୁ ଯେଉଁ ବିଭାଗର ଉନ୍ନତି ପାଇଁ ଏତେ ସବୁ କରାଯାଉଛି ସେ ବିଭାଗର ମନ୍ତ୍ରୀଙ୍କ ଦେଖା ନାହିଁ । ନବ ଦାସଙ୍କୁ ମସସ୍ତେ ଭାବୁଥିଲେ ସେ ଜଣେ ଟାଣୁଆ ନେତା । କଂଗ୍ରେସରେ ସେ ଥିଲେ କାର୍ଯ୍ୟକାରୀ ସଭାପତି । ନବ ଦାସଙ୍କ ପାଖରେ ଜଣେ ସଣ୍ଢମାର୍କା ନେତା ହେବାର ସମସ୍ତ ଯୋଗ୍ୟତା ଅଛି । ନବଙ୍କ ପାଖରେ ଅଚଳାଚଳ ସମ୍ପତ୍ତି ଅଛି । ସରକାର ବା କ୍ଷମତାସିନ ରାଜନୈତିକ ଦଳ ବିରୋଧରେ 2019 ଯାଏ ବାରମ୍ବାର ତାଙ୍କର ଜିତାପଟ ହୋଇଛି । ନବୀନ ବାବୁ ଏବଂ ତାଙ୍କର ଦଳଭାଇଙ୍କୁ ବାରମ୍ବାର ସେ ଝାରସୁଗୁଡ଼ା ମାଟିରେ ହରାଇଛନ୍ତି । କର୍ପୋରେଟ ୱର୍ଲ୍ଡ ସହ ନବଙ୍କର ସମ୍ପର୍କ ବହୁ ପୁରୁଣା । ବେଦାନ୍ତ ଭଳି ବଡ଼ ବଡ଼ କମ୍ପାନି ବି ତାଙ୍କ ସହ ଅଛନ୍ତି । ବିଧାନସଭାରେ ତାଙ୍କ କାର୍ଯ୍ୟକଳାପକୁ ଯିଏ ଦେଖିଛି ସେ ଜାଣିଛି ନବ ଦାସ ଚୁପଚାପ ବସିକି ଟେବୁଲ ବାଡେଇବା ନେତା ନୁହଁନ୍ତି । ବିଧାନସଭାରେ ସେ ତଥ୍ୟ ସହିତ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ପ୍ରଶ୍ନ ଉଠେଇବା ନେତା । ନବ ଦାସ ଜଣେ ଚିନ୍ତାଶୀଳ ବିଧାୟକ ମଧ୍ୟ । ଏପରିକି ରାଜ୍ୟର ଖଣି, ପାଣି ଓ ଶିଳ୍ପ ଭଳି ସମସ୍ୟାକୁ ନେଇ ସେ ବହି ଛାପିକି ମଧ୍ୟ ବାଣ୍ଟିଛନ୍ତି । 2019 ନିର୍ବାଚନ ପୂର୍ବରୁ ନବ ଦାସ ଯେତେବେଳେ କଂଗ୍ରେସର କାର୍ଯ୍ୟକାରୀ ସଭାପତି ଥାଇ ଦଳ ଛାଡ଼ିଲେ ସେତେବେଳେ ଚର୍ଚ୍ଚା ହେଲା ଯେ ନବ ଦାସ ଗୋଟିଏ ନେତା ଯିଏ ନବୀନ ବାବୁଙ୍କ ସହ ସିଧାସଳଖ ମୁଲଚାଲ କରି ବିଜେଡିକୁ ଯାଇଛନ୍ତି । ନବୀନ ବାବୁ ଓ ବିଜେଡି ବାଲା ନବଙ୍କ ସହ ଖେଳିପାରିବେ ନାହିଁ । କୁହାଯାଏ ଯେ ନବ ଦାସ କଂଗ୍ରେସର ଏକ ମାତ୍ର ନେତା ଯାହାଙ୍କୁ ବିଜେଡି କ୍ୟାମ୍ପକୁ ନେବାକୁ ନବୀନ ବାବୁ ସବୁଠୁ ଅଧିକ ଆଗ୍ରହୀ ଥିଲେ । ନବଙ୍କୁ ମନେଇ ବିଜେଡିକୁ ଆଣିବାକୁ 3 ଜଣ IAS ଅଫିସରଙ୍କୁ ଦାୟିତ୍ବ ଦେଇଥିଲେ । ଆଉ ସଫଳ ମଧ୍ୟ ହେଲେ । ଆଉ ସେଇୟା ମଧ୍ୟ ହେଲା ନିର୍ବାଚନ ପରେ । ନବ ଦାସଙ୍କୁ କ୍ୟାବିନେଟ୍ ପାହ୍ୟା ମନ୍ତ୍ରୀ ପଦ ମିଳିଲା । ତାଙ୍କୁ ସ୍ବାସ୍ଥ୍ୟ ବିଭାଗର ମନ୍ତ୍ରୀ କରାଗଲା । ମନ୍ତ୍ରୀ ହେଉ ହେଉ ନବ ଦାସ ଯେଭଳି ସ୍ବାସ୍ଥ୍ୟ ବିଭାଗର ତର୍ଜମା କରିବା, ବିଭିନ୍ନ ହସ୍ପିଟାଲ ପରିଦର୍ଶନ କରିବା, ଅଧିକାରୀଙ୍କ ସହ ଆଲୋଚନା କରି କୋଉ କୋଉ ନୂଆ ଯୋଜନା ହୋଇପାରିବ ତା ଉପରେ ଗୁରୁତ୍ବ ଦେଇଥିଲେ । 2022 ସୁଦ୍ଧା ରାଜ୍ୟରେ ସମସ୍ତ ଡାକ୍ତର ପଦବୀ ପୂରଣ ହେବା ସହ ଓଡ଼ିଶାକୁ ବଳକା ଡାକ୍ତର ରାଜ୍ୟ କରିବାକୁ  କହିଥିଲେ ନବ । ସେତେବେଳେ ତାଙ୍କ କାର୍ଯ୍ୟ କରିବାର ଶୈଳୀ ଯେଭଳି ଭାବେ ଉତ୍ସାହଜନକ ଥିଲା ଆଶା କରାଯାଉଥିଲା 5-T ବେଳକୁ ତାହା ଦ୍ବିଗୁଣିତ ହେବ । କିନ୍ତୁ 5-T ସଚିବ ଏବଂ 5-T କାର୍ଯ୍ୟକ୍ରମ ବେଳକୁ ହଠାତ ନବ ଦାସ ଗାଏବ । ଇତି ମଧ୍ୟରେ ପାଣ୍ଡିଆନ ଓ ନବୀନ ବାବୁଙ୍କ  ବ୍ୟୁରୋକ୍ରାଟ ସହଯୋଗୀ 15ଟି ଜିଲ୍ଲା ବୁଲି ସାରିଲେଣି । ଜଣେ ସିଡିଏମ୍‌ସଙ୍କୁ ବରଖାସ୍ତ କରିସାରିଲେଣି । 3ଟି ଜିଲ୍ଲାରେ ଉନ୍ନତ ସ୍ବାସ୍ଥ୍ୟସେବା ପାଇଁ 400 କୋଟି ଟଙ୍କା ଘୋଷଣା ସରିଲାଣି । କନ୍ଧମାଳରେ 500 ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜ କରିବାକୁ ବି କୁହାସରିଲାଣି । ସବୁ ଜିଲ୍ଲାର ମୁଖ୍ୟ ଡାକ୍ତରଖାନାରେ ରୋଗୀଙ୍କ ସମ୍ପର୍କୀୟଙ୍କ ପାଇଁ ବିଶ୍ରାମାଗାର ଖୋଲିବାକୁ ବି ଘୋଷଣା କରାଗଲାଣି । ହେଲେ ବାବୁ ନବ ଦାସଙ୍କର ଦେଖା ନାହିଁ । କୌଣସି କାରଣରୁ ମାନ ମାରି ନବ ଦାସ ଅନୁପସ୍ଥିତ ରହୁଛନ୍ତି ନା ତାଙ୍କୁ ସାଇଟ୍‌ ମରା ହେଉଛି । 5-T ସଚିବ ଓ ଓଗେରଙ୍କ ଦ୍ବାରା ନବ ଦାସଙ୍କୁ ସାଇଟ୍ ମରା ହେଉଛି ସଚିବାଳୟର ପ୍ରଥମରୁ ତୃତୀୟ ମହଲା କରିଡୋରରେ ଯେଉଁ କଥାଟି ଚର୍ଚ୍ଚା ହେଉଛି ତାହା ହେଉଛି ନବ ଦାସଙ୍କୁ ସ୍ବାସ୍ଥ୍ୟ ବିଭାଗରେ କଣଠେସା କରାଯାଇଛି ।

ଗୁରୁତ୍ବପୂର୍ଣ୍ଣ କଥା ହେଲା ଯେ ନବ ଦାସଙ୍କ ଭଳି ସଂହ ଥିବା ଘୋଡ଼ା ଚୁପ ହୋଇଗଲେ କାହିଁକି ?

ଏ ସବୁକୁ ନବ ଦାସ ବର୍ଦାସ୍ତ କରୁଛନ୍ତି କିଭଳି ?

ନବଙ୍କ ଅସ୍ମିତା ଗଲା କୁଆଡେ ?

ମୁଖ୍ୟମନ୍ତ୍ରୀଙ୍କ ଚାମ୍ବରରେ 400 କୋଟି ଟଙ୍କାର ପ୍ୟାକେଜ ସମ୍ପର୍କରେ ଗୁରୁତ୍ବପୂର୍ଣ୍ଣ ବୈଠକ ହେଲା ଆଉ ସେଠି ନିଷ୍ପତ୍ତି ନିଆଗଲା । ବୈଠକକୁ ନବ ଦାସଙ୍କୁ ଡକାଯାଇ ନଥିଲା । ଯାହା ଲାଗୁଛି ବିଜେଡିକୁ ଯାଇ ମନ୍ତ୍ରୀ ପଦ ପାଇବା ପରେ ନବ ଏବେ ବିଜେଡିର ଦାସ ହୋଇଯାଇଛନ୍ତି । ନବ ଏବେ ପୁରାପୁରି ଦାସ ଆଉ ସେ ସ୍ବାସ୍ଥ୍ୟ ବିଭାଗର ନେତୃତ୍ବ ନେଉନାହାନ୍ତି ଦାସତ୍ବରେ ଥିବା ଭଳି ଲାଗୁଛି ।

Related Posts