ସୌମ୍ୟ କୃତଜ୍ଞ  

ନବୀନଙ୍କ ପ୍ରତି ସୌମ୍ୟଙ୍କ କୃତଜ୍ଞତା । ଜନ୍ମଦିନରେ ସୌମ୍ୟବାବୁ ନବୀନଙ୍କୁ ଓଡ଼ିଶାର ସବୁ ପ୍ରକାର ଶ୍ରେୟ ଦେଇଛନ୍ତି । ସମ୍ବାଦର ସମ୍ପାଦକ ତଥା ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ନବୀନ ବାବୁଙ୍କ ଜନ୍ମଦିନ ଉପଲକ୍ଷେ ସମ୍ବାଦ ଖବରକାଗଜର ପ୍ରଥମ ପୃଷ୍ଠାର ‘ଆମ ଘରର ହାଲଚାଲ’ରେ ‘କୃତଜ୍ଞତାର ଭାଷା’ ନାମରେ ସମ୍ପାଦକୀୟ ଲେଖିଛନ୍ତି । ସେଥିରେ ଗୋଟିଏ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନକୁ ଯେଭଳି ଭାବେ ଭୂୟଶୀ ପ୍ରଶଂସା କରି ଲେଖାଯାଇଛି । ତାହା ପୁଣି ପ୍ରଥମ ପୃଷ୍ଠାରେ ସବୁଠୁ ଅଧିକ ସ୍ପେସ ଦିଆଯାଇଛି । ଏହା ନବୀନଙ୍କ ପ୍ରତି ସୌମ୍ୟଙ୍କ କୃତଜ୍ଞତାକୁ ବ୍ୟକ୍ତ କରୁଛି । ଯଦିଓ ସେଥିରେ ସେ ରାଜ୍ୟବାସୀଙ୍କ କଥା ଲେଖିଛନ୍ତି କିନ୍ତୁ ଜଣେ ଖବରକାଗଜର ସମ୍ପାଦକ ଭାବେ ଏକ ରାଜନୈତିକ ନେତୃତ୍ବକୁ ଏଭଳି ଭାବେ ପ୍ରଶଂସା କରିବାକୁ ନେଇ ବିଭିନ୍ନ ଫୋରମରେ ଚର୍ଚ୍ଚା ହେଉଛି । ଏହାକୁ ନେଇ ମଧ୍ୟ ଅନେକ ସମାଲୋଚନା କରୁଛନ୍ତି ।

ସୌମ୍ୟଙ୍କ ସମ୍ପାଦକୀୟ ଦୁଇଟି ପରପ୍ପର ବିରୋଧୀ ଦିଗକୁ ଦର୍ଶାଉଛି । ପ୍ରଥମ କଥା ହେଲା ଓଡ଼ିଶାର ଗୋଟିଏ ଅଗ୍ରଣୀ ଖବରକାଗଜର ସେ ହେଉଛନ୍ତି ସମ୍ପାଦକ । ଜଣେ ସମ୍ପାଦକ ବା ସାମ୍ବାଦିକ ଭାବରେ ସେ ଜନ୍ମଦିନ ଶୁଭେଚ୍ଛା ବାର୍ତ୍ତା ପାଇଁ ନିଜର ଖବରକାଗଜର ପ୍ରଥମ ପଷ୍ଠାର ଅଧାରୁ ଅଧିକ ସ୍ଥାନକୁ ଯେଭଳି ଭାବେ ନବୀନଙ୍କ ପାଇଁ ଉତ୍ସର୍ଗ କରିଛନ୍ତି, ତାହା ଏକ ନିରପେକ୍ଷ, ସ୍ବଚ୍ଛ ଗଣମାଧ୍ୟମର ମୂଲ୍ୟବୋଧ ଉପରେ ପ୍ରଶ୍ନ ଚିହ୍ନ ଲଗାଇଛି । ସୌମ୍ୟଙ୍କ ଡବଲ ରୋଲକୁ ନେଇ ମଧ୍ୟ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି । ଗୋଟେ ପଟେ ଜଣେ ସମ୍ପାଦକ ଓ ଅନ୍ୟପଟେ ସେ ଜଣେ ବିଜୁ ଜନତା ଦଳର ନେତା ଓ ବିଧାୟକ । ଯେହେତୁ ଖବରକାଗଜଟି ତାଙ୍କର ଓ ସେ ତାର ସମ୍ପାଦକ, ନିଜ ଦଳର ସଭାପତି ଆଉ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଭାବିକ ଭାବେ ଖୁସି କରିବାକୁ ଚେଷ୍ଟା କରିଛନ୍ତି । କିନ୍ତୁ ଏଥିରେ ନବୀନବାବୁଙ୍କୁ ତାଙ୍କ ଜନ୍ମଦିନରେ ସନ୍ତୁଷ୍ଟ କରିବାକୁ ଯାଇ ନିଜର ଖବରକାଗଜକୁ ଅଧିକ ବ୍ୟବହାର କଲାଭଳି ମନେ ହେଉଛି । ଅର୍ଥାତ ନବୀନଙ୍କୁ ଖୁସି କରିବାକୁ ସାମ୍ବାଦିକତା ଓ ଗଣମାଧ୍ୟମର ମୂଲ୍ୟବୋଧକୁ ବ୍ୟବହାର କଲା ଭଳି ଲାଗୁଛି ।

ଏହି ଲେଖା ପଢ଼ିବା ପରେ ଏହା ଦର୍ଶାଉଛି ସୌମ୍ୟବାବୁ ଯେ ନବୀନଙ୍କ ପାଖରେ କୃତଜ୍ଞ ଏଥିରେ ବୁଝିବାକୁ ଦ୍ବିଧା ନାହିଁ । କିନ୍ତୁ ସୌମ୍ୟବାବୁଙ୍କ ରାଜନୈତିକ କ୍ୟାରିୟର ଓ ସାମ୍ବାଦିକତାକୁ ଆଗରୁ ଯିଏ ଲକ୍ଷ୍ୟ କରିଛି, ଖାସ୍‌ କରି ନବୀନ ଯେବେଠାରୁ ମୁଖ୍ୟମନ୍ତ୍ରୀ ହେଲେଣି ନବୀନଙ୍କ ପ୍ରତି ତାଙ୍କର ମନୋଭାବ କିଭଳି ଥିଲା ତାହା ଜାଣିଛନ୍ତି । ସୌମ୍ୟବାବୁ ବିଭିନ୍ନ ସମୟରେ ନବୀନଙ୍କୁ କିଭଳି କଡ଼ା ଭାଷାରେ ସମାଲୋଚନା କରୁଥିଲେ ତାହା ମଧ୍ୟ ଜାଣିଥିବେ । ସମ୍ବାଦର ସମ୍ପାଦକୀୟ ‘ଆମ ଘର ହାଲଚାଲ୍’ରେ ବି ବହୁବାର ନବୀନଙ୍କୁ ତାତ୍ସଲ୍ୟ କରି ସମାଲୋଚନା କରିଥିଲେ । ନବୀନବାବୁ ଜଣେ ଅହଂକାରୀ, ଜଣେ ଓଡ଼ିଶା ଭାଷା ବିରୋଧୀ, ଚାଷୀଙ୍କ ପ୍ରତି ତାଙ୍କର ଆନ୍ତରିକତା ନାହିଁ ବୋଲି କହିଥିଲେ । ରାଜ୍ୟରେ ଚାଷୀମାନେ ଆତ୍ମହତ୍ୟା କରୁଥିବା ବେଳେ ଭୋଟ ବ୍ୟାଙ୍କ ପାଇଁ ଚାଷୀ ଆତ୍ମହତ୍ୟାକୁ ବି ନବୀନ ସ୍ବୀକାର କରୁନଥିବା କହିଥିଲେ ସୌମ୍ୟ । ମହାନଦୀ ଜଳ ସଙ୍କଟବେଳେ ନବୀନବାବୁଙ୍କୁ କଟୁ ଭାଷାରେ ସମାଲୋଚନା କରି କହିଥିଲେ କି ନବୀନବାବୁ ମହାନଦୀକୁ ଭୋଟବ୍ୟାଙ୍କ ପଲିଟିକ୍ସ ପାଇଁ ବ୍ୟବହାର କରୁଛନ୍ତି । ମହାନଦୀକୁ ମାଆ ବୋଲି କହୁଥିବା ନବୀନବାବୁ ସେଥିରେ ବି ରାଜନୀତି କରିବାକୁ ଭୁଲିନାହାନ୍ତି ବୋଲି କହିଥିଲେ ସୌମ୍ୟ । ନବୀନବାବୁ ଦାୟିତ୍ବରେ ସବୁବେଳେ ଅବହେଳା କରିଛନ୍ତି ବୋଲି ସୌମ୍ୟ ତାଙ୍କ ବ୍ଳଗରେ କେତେ ଥର ଲେଖିଛନ୍ତି । ବ୍ରହ୍ମ ବିଭ୍ରାଟ ବେଳେ ସୌମ୍ୟବାବୁ ନବୀନବାବୁଙ୍କୁ କି ଭାଷାରେ ସମାଲୋଚନା କରିଥିଲେ ତାହା ରାଜ୍ୟବାସୀଙ୍କୁ ଅଛପା ନାହିଁ । ନବୀନଙ୍କ ଓଡ଼ିଆ ଭାଷା ବିରୋଧୀ ମନୋଭାବ ପାଇଁ କଥା ଛଳରେ ଏକଥା ବି କହିବାକୁ ଭୁଲି ନଥିଲେ ଯେ ନବୀନ ବିଜୁବାବୁଙ୍କର ପ୍ରକୃତ ଦାୟାଦ କି ନୁହେଁ ।

Related Posts