ଭୁବନେଶ୍ୱର,୭/୬(ସତ୍ୟପାଠ ବ୍ୟୁରୋ): କେନ୍ଦ୍ରରେ ତୃତୀୟ ଥର ପାଇଁ ସରକାର ଗଠନ ଦାବି ପୂର୍ବରୁ ଆଜି ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କ ଦିଲ୍ଲୀ ବାସଭବନକୁ ଯାଇ ତାଙ୍କୁ ଭେଟିଛନ୍ତି। ସମ୍ବିଧାନ ସଦନରେ ଏନଡିଏ ବୈଠକ ପରେ ପ୍ରଧାନମନ୍ତ୍ରୀ ମୋଦି ସିଧା ଆଡଭାନୀଙ୍କ ପାଖକୁ ଯାଇଥିଲେ। ଆଡଭାନୀଙ୍କ ଆଶୀର୍ବାଦ ନେବା ପରେ ରାଷ୍ଟ୍ରପତିଙ୍କ ପାଖକୁ ଯାଇ ଏନଡିଏ ସରକାର ଗଠନ ନେଇ ଦାବି ଜଣାଇବେ।
ତେବେ ଆଜି ଏନଡିଏର ନେତା ଭାବେ ନିର୍ବାଚିତ ହୋଇଛନ୍ତି ନରେନ୍ଦ୍ର ମୋଦି । ଆଜି ସେଣ୍ଟ୍ରାଲ ହଲ୍ରେ ଏନଡିଏ ସଂସଦୀୟ ଦଳର ବୈଠକ ବସିଥିଲା । ଯେଉଁଥିରେ ନରେନ୍ଦ୍ର ମୋଦିଙ୍କୁ ଏନଡିଏ ମେଣ୍ଟର ନେତା ନିର୍ବାଚିତ କରାଯାଇଛି । ତେବେ ରାଜନାଥ ସିଂହ ଦଳର ବୈଠକରେ ଏହି ପ୍ରସ୍ତାବ ରଖିଥିଲେ । ଯାହାକି ସର୍ବସମ୍ମତି କ୍ରମେ ପାସ୍ ହେଇଥିଲା । ଏହି ସଂସଦୀୟ ଦଳ ବୈଠକରେ ବିଜେପିର ନବ ନିର୍ବାଚିତ ସାଂସଦଙ୍କ ସହିତ ଏନଡିଏରେ ସାମିଲ ଥିବା ବିଭିନ୍ନ ଦଳର ନେତା ସାମିଲ ଥିଲେ ।
ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ଏହି ବୈଠକରେ ଯୋଗ ଦେଇଥିଲେ । ଏହାପରେ ରାଷ୍ଟ୍ରପତିଙ୍କୁ ଭେଟି ସରକାର ଗଢ଼ିବାକୁ ଦାବି ଜଣାଇବେ। ଆସନ୍ତା ୯ ତାରିଖ ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେବେ ନରେନ୍ଦ୍ର ମୋଦି। ତାଙ୍କ ସହ ସେହିଦିନ କେନ୍ଦ୍ର ମନ୍ତ୍ରିମଣ୍ଡଳ ବି ଶପଥ ନେଇପାରେ ବୋଲି ଚର୍ଚ୍ଚା ହେଉଛି। ଲଗାତାର ୩ ଥର ପ୍ରଧାନମନ୍ତ୍ରୀ ହେବାରେ ଜବାହରଲାଲ ନେହରୁଙ୍କ ପରେ ଦ୍ବିତୀୟ ପିଏମ୍ ହେବେ ନରେନ୍ଦ୍ର ମୋଦି।
