ଭୁବନେଶ୍ୱର,୮/୬(ସତ୍ୟପାଠ ବ୍ୟୁରୋ): ବିଧାନସଭା ନିର୍ବାଚନରେ ବିଜୟୀ ହେବା ପରେ ଆକ୍ସନ୍ ମୁଡ଼୍ରେ ଅଛନ୍ତି ଏକାମ୍ର ବିଧାୟକ ବାବୁ ସିଂହ। ଦୁଇ ଦିନ ହେଲା ନିର୍ବାଚନମଣ୍ଡଳୀରେ ବିଭିନ୍ନ ୱାର୍ଡ ବୁଲି ସମୀକ୍ଷା ଆରମ୍ଭ କରିଛନ୍ତି। ଆଉ ଦୁଇ ଦିନ ପରେ ମୌସୁମୀ ଆସୁଥିବାରୁ ଡ୍ରେନ୍ ଉଚ୍ଛୁଳିବାର ଆଶଙ୍କା ରହିଛି। କାରଣ ଏ ଯାଏ ବହୁ ଡ୍ରେନ୍ ସଫା ହୋଇନାହିଁ।
ଏଥିପାଇଁ ସେ ବିଭିନ୍ନ ମୁଖ୍ୟ ଡ୍ରେନ୍କୁ ଅନୁଧ୍ୟାନ କରିବା ସହ ଗଳିକନ୍ଦି ବୁଲି ଡ୍ରେନ୍ ଜଳ ନିଷ୍କାସନ ସମସ୍ୟା ସମ୍ପର୍କରେ ଲୋକଙ୍କୁ ପଚାରି ବୁଝିଛନ୍ତି। ତତ୍କାଳ ପରିସ୍ଥିତିର ମୁକାବିଲା କରିବା ପାଇଁ ସେ ନିଜ ଖର୍ଚ୍ଚରେ ୫୦ ଜଣ ଲୋକ ନିୟୋଜିତ କରି ଡ୍ରେନ୍ଗୁଡ଼ିକ ସଫା ଆରମ୍ଭ କରିଛନ୍ତି।
ପୂର୍ବ ବର୍ଷଗୁଡ଼ିକରେ ଗ୍ୟାରେଜ୍ ଛକ ନିକଟ ଗୌରୀନଗରର ଗୌରୀ ଗାର୍ଡେନ୍, କୋଟିତୀର୍ଥ ନିକଟ ପ୍ରଭୁଗଳି, ୫୯ନଂ ଵାର୍ଡ ଅନ୍ତର୍ଗତ ଶ୍ରୀରାମ ନଗର ଛକ ଠାରୁ ଲିଙ୍ଗରାଜ ମନ୍ଦିରକୁ ଯାଇଥିବା ରାସ୍ତା, ନୂଆଗାଁରୋଡ୍, ବିଜୟବିହାର, ଆକାଶନଗର, ରୁଦ୍ର ବିହାର, ସାମନ୍ତରାପୁର ଠାରୁ ଗ୍ୟାରେଜଛକ, ଭୀମଟାଙ୍ଗୀ ଉପର ଫେଜ୍ର ଅଟାକଳଗଳି, ତଳ ଫେଜ୍ର ପଞ୍ଚମୁଖୀ ହନୁମାନ ମନ୍ଦିରଗଳି, ପୋଷ୍ଟ ଅଫିସ୍ ଗଳି, ବେହେରାସାହି, ଜମେଶ୍ବରପାଟଣାସାହି, ଦର୍ଜିସାହି, ପରକରଣସାହି, ବଣିଆସାହି, ପୂଜାପଣ୍ଡାସାହି, ନାରଦସାହି, ସୁଆରସାହି, ଗୋଡ଼ିପୋଖରୀସାହି, ଚେମେଡ଼ିସାହି, ହରଚଣ୍ଡୀସାହି, ବାରିକ୍ସାହି, ବ୍ୟାଙ୍କ କଲୋନୀ, ଗୋବିନ୍ଦେଶ୍ବର ରୋଡ୍, ତଳବଜାର, ହାଟସାହି ଆଦି ଅଞ୍ଚଳରେ ବର୍ଷାଜଳ ସମସ୍ୟା ସୃଷ୍ଟି କରେ।
ଆଜି ଶ୍ରୀ ସିଂହ ନିଜ ଖର୍ଚ୍ଚରେ ଗଳିକନ୍ଦି ଡ୍ରେନ୍ ସଫା କରିବା ସହ ମୁଖ୍ୟ ଡ୍ରେନ୍ଗୁଡ଼ିକରେ ଲାଗିଥିବା ଅଳିଆକୁ ବୁଲ୍ଡୋଜର ସାହାଯ୍ୟରେ ସଫା କରିଛନ୍ତି। ବର୍ଷା ଜଳ ସମସ୍ୟାର ମୁକାବିଲା ପାଇଁ ସାମୟିକ ଭାବେ ଏହି ପଦକ୍ଷେପସବୁ ନିଆଯାଉଛି। ଆଗାମୀ ଦିନରେ ସ୍ଥାୟୀ ସମାଧାନ ପାଇଁ ଉଦ୍ୟମ କରାଯିବ ବୋଲି ଶ୍ରୀ ସିଂହ କହିଛନ୍ତି। ସେହିପରି ଆଉ ୪ଦିନ ପରେ ଆସୁଛି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଶୀତଳଷଷ୍ଠୀ ଯାତ୍ରା। ଏଥିପାଇଁ କେଦାରଗୌରୀ ପୁଷ୍କରିଣୀ ପାଣିରେ ବିଭିନ୍ନ ନୀତିକାନ୍ତି ହେବାକୁ ଥିବାରୁ ଏହାର ପରିସରରେ ଥିବା ପୁଷ୍କରିଣୀଗୁଡ଼ିକର ସଫା କରିବାକୁ ଶ୍ରୀ ସିଂହ ପଦକ୍ଷେପ ନେଇଛନ୍ତି।





