ଭୁବନେଶ୍ୱର,୯/୬(ସତ୍ୟପାଠ ବ୍ୟୁରୋ): ଆଜି ଶପଥ ନେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତାଙ୍କ ସହ ୧୮ ଜଣ ସାଂସଦ ମଧ୍ୟ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେବେ। ତେବେ କାହାକୁ କେଉଁ ମନ୍ତ୍ରୀ ପଦ ମିଳିବ। କେଉଁ ଦଳ ଭାଗରେ କେତେ ମନ୍ତ୍ରୀ ପଦ ରହିବ? ତାକୁ ନେଇ ଚାଲିଛି ଚର୍ଚ୍ଚା। ନେତାମାନଙ୍କୁ ଶପଥ ନେବା ପାଇଁ ଫୋନ୍ କଲ୍ ଯିବା ମଧ୍ୟ ଆରମ୍ଭ ହେଇଗଲାଣି। ଏହାରି ଭିତରେ ବିଜେପି ନିଜ ପାଖରେ ୪ଟି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରାଳୟ ରଖିବ। ଅନ୍ୟ ମନ୍ତ୍ରାଳୟରେ ସହଯୋଗୀ ଦଳର ନେତାଙ୍କୁ ମନ୍ତ୍ରୀ କରାଯିବ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି।
ସୂଚନା ଅନୁଜାଇ, ମୋଦିଙ୍କ ତୃତୀୟ ପାଳିରେ ବିଜେପି ନିଜ ପାଖରେ ସ୍ୱରାଷ୍ଟ୍ର, ପ୍ରତିରକ୍ଷା, ଅର୍ଥ ଓ ବିଦେଶ ମନ୍ତ୍ରାଳୟ ରଖିବ। ମୋଦି ସରକାରଙ୍କ ଶେଷ ଦୁଇ କାର୍ଯ୍ୟକାଳ ମଧ୍ୟରେ ବି ଏହି ସବୁ ମନ୍ତ୍ରଣାଳୟ ବିଜେପି ପାଖରେ ଥିଲା। ଶିକ୍ଷା ଓ ସଂସ୍କୃତି ବିଭାଗକୁ ମଧ୍ୟ ବିଜେପି ନିଜ ପାଖରେ ରଖିବ। ତେବେ ରେଳ, କୃଷି, ଶିକ୍ଷା ଭଳି କିଛି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀ ପଦ ଏଥର ବିଜେପି ନିଜ ପାଖରେ ନରଖି, ନିଜ ସହଯୋଗୀଙ୍କୁ ଦେଇପାରେ। ସହଯୋଗୀମାନେ ୫ରୁ ୮ଟି କ୍ୟାବିନେଟ ପଦ ପାଇପାରନ୍ତି ବୋଲି ଅନୁମାନ କରାଯାଉଛି।





