ଭୁବନେଶ୍ୱର,୩୦/୬(ସତ୍ୟପାଠ ବ୍ୟୁରୋ): ଅନ୍ତର୍ଜାତୀୟ ଟି-୨୦ରୁ ଅବସର ନେଲେ ଅଲ୍ରାଉଣ୍ଡର ରବୀନ୍ଦ୍ର ଜାଡେଜା। କ୍ୟାପଟେନ୍ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ପରେ ତୃତୀୟ ଖେଳାଳି ଭାବେ ସେ ଟି-୨୦ରୁ ଅବସର ନେଇଛନ୍ତି। ଆଜି ସେ ଏନେଇ ସୋଶାଲ୍ ମିଡ଼ିଆରେ ଘୋଷଣା କରିଛନ୍ତି।
ସୋଶାଲ ମିଡ଼ିଆ ଇନ୍ଷ୍ଟାଗ୍ରାମ୍ ପୋଷ୍ଟରେ ସେ ଲେଖିଛନ୍ତି, ଟି-୨୦ ଅନ୍ତର୍ଜାତୀୟ କ୍ୟାରିୟରରେ ବିଶ୍ୱକପ୍ ଜିତିବା ସ୍ୱପ୍ନ ଥିଲା। ଯାହା ଆଜି ପୂରଣ ହୋଇଛି ବୋଲି ସେ ଲେଖିଛନ୍ତି।
ସୂଚନାରୁ ପ୍ରକାଶ, ଭାରତୀୟ ଟିମ୍ରେ ରବୀନ୍ଦ୍ର ଜାଡେଜା ହେଉଛନ୍ତି ଜଣେ ଅଲ୍ରାଉଣ୍ଡର। ସେ ୭୪ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ୫୧୫ ରନ୍ କରିଥିବା ବେଳେ ୫୪ଟି ୱିକେଟ ଅକ୍ତିଆର କରିଛନ୍ତି। ତେବେ ସେ ଟେଷ୍ଟ, ଦିନିକିଆ ଓ ଆଇପିଏଲ୍ ଖେଳିବେ ବୋଲି ଜଣାପଡ଼ିଛି।
ରବୀନ୍ଦ୍ର ଜାଡେଜାଙ୍କ ଟି-୨୦ ଅନ୍ତର୍ଜାତୀୟ କ୍ୟାରିୟର୍ ୨୦୦୯ ମସିହା ଫେବ୍ରୁଆରୀ ୧୦ ତାରିଖରେ ଆରମ୍ଭ ହୋଇଥିଲା। ସେ ପ୍ରଥମ ମ୍ୟାଚ ଶ୍ରୀଲଙ୍କା ବିରୋଧରେ କଲମ୍ୱୋରେ ଖେଳିଥିଲେ। ଡେବ୍ୟୁ ମ୍ୟାଚରେ ସେ ୪ ଓଭର ବୋଲିଂ କରି ୨୯ ରନ୍ ଦେଇଥିଲେ। ମାତ୍ର କୌଣସି ୱିକେଟ୍ ଅକ୍ତିଆର କରିପାରିନଥିଲେ।
ଟି-୨୦ ବିଶ୍ୱ କପ୍ ଜିତିବା ପରେ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ରୁ ଅବସର ନେଇଥିଲେ କ୍ୟାପ୍ଟେନ୍ ରୋହିତ ଶର୍ମା ଓ ବିରାଟ କୋହଲି। ଉଭୟ ଗତକାଲି ଏନେଇ ଘୋଷଣା କରିଥିଲେ।





