ଭୁବନେଶ୍ୱର,୦୫/୭(ସତ୍ୟପାଠ ବ୍ୟୁରୋ): ବ୍ରିଟେନ ସାଧାରଣ ନିର୍ବାଚନରେ ପରାଜିତ ହୋଇଛନ୍ତି ଭାରତୀୟ ବଂଶୋଦ୍ଭବ ଋଷି ସୁନକ। କଞ୍ଜରଭେଟିବ ପାର୍ଟିର ଋଷି ସୁନକଙ୍କୁ ବିପୁଳ ବ୍ୟବଧାନରେ ହରାଇ ଲେବର ପାର୍ଟିର କେର ଷ୍ଟାରମର ହେବାକୁ ଯାଉଛନ୍ତି ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ। ସୁନକଙ୍କ ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀ ହେବାର ସ୍ୱପ୍ନ, ସ୍ୱପ୍ନରେ ରହିଯାଇଛି।
ଗତକାଲି ବ୍ରିଟେନରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ଆଜି ଭୋଟ୍ ଗଣତି ହୋଇଥିଲା।
ଫଳାଫଳ ଅନୁସାରେ, କେର୍ ଷ୍ଟାରମରଙ୍କ ଲେବର ପାର୍ଟିକୁ ବହୁମତ ମିଳିଛି। ଫଳରେ କଞ୍ଜରଭେଟିଭ୍ ପାର୍ଟିର ୧୪ ବର୍ଷ ଶାସନର ଅନ୍ତ ଘଟିଛି। ସେପଟେ ଦେଢ଼ ଦଶନ୍ଧି ପରେ ସତ୍ତାକୁ ଫେରିଛି ଲେବର୍ ପାର୍ଟି।
ଭାବି ପ୍ରଧାନମନ୍ତ୍ରୀ କେର୍ ଷ୍ଟାରମେରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଋଷି ସୁନକ। ବ୍ରିଟେନରେ ୬୫୦ ସଂସଦୀୟ ନିର୍ବାଚନମଣ୍ଡଳୀ ଥିବାବେଳେ ସରକାର ଗଢିବା ପାଇଁ ମ୍ୟାଜିକ୍ ନଂ ହେଉଛି ୩୨୬। ଏଥିରୁ ଲେବର୍ ପାର୍ଟି ୩୭୮ ଆସନରେ ବିଜୟ ସହ ପୂର୍ଣ୍ଣ ବହୁମତ ପାଇଛି। ସେପଟେ ସୁନକଙ୍କୁ ୯୨ଟି ଆସନ ମିଳିଥିବା ବେଳେ ଅନ୍ୟାନ୍ୟ ପାଇଛନ୍ତି ୯୦ଟି।
ତେବେ କଞ୍ଜରଭେଟିଭ ପାର୍ଟିର ୮ ଜଣ କ୍ୟାବିନେଟ ମନ୍ତ୍ରୀ ପରାସ୍ତ ହୋଇଥିବା ବେଳେ ଉତ୍ତର-ପୂର୍ବ ଇଂଲଣ୍ଡର ରିଚମୋଣ୍ଡ ଏବଂ ନର୍ଥାଲେରୋଟନ ଆସନ ବଜାୟ ରଖିଛନ୍ତି ସୁନକ। ସେ ଏହି ଆସନରୁ ୪୭.୫% ଭୋଟ୍ ପାଇଛନ୍ତି।
୪୪ ବର୍ଷୀୟ ଋଷି ସୁନକ ବ୍ରିଟେନର ପ୍ରଥମ ଭାରତୀୟ ବଂଶୋଦ୍ଭବ ପ୍ରଧାନମନ୍ତ୍ରୀ ହୋଇଥିଲେ। ସେ ମଧ୍ୟ ସମଗ୍ର ଏସିଆ ମହାଦେଶରୁ ପ୍ରଥମ, ଯିଏକି ବ୍ରିଟେନରେ ପ୍ରଧାନମନ୍ତ୍ରୀ ହେବାର ସୌଭାଗ୍ୟ ଅର୍ଜନ କରିଥଇଲେ। ୨୦୨୨ରେ ଲିଜ୍ ଟ୍ରସ୍ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିଲେ ସୁନକ।
ଏହା ପୂର୍ବରୁ ସେ ବୋରିସ ଜନସନଙ୍କ ସରକାରରେ ଦୁଇ ଥର କ୍ୟାବିନେଟ ମନ୍ତ୍ରୀ ଥିଲେ। ତେବେ ସୁନକ ଚଳିତ ନିର୍ବାଚନରେ ପ୍ରଧାନମନ୍ତ୍ରୀ ଚେହେରା ଥିବାରୁ ଫଳାଫଳ ଉପରେ ସମସ୍ତଙ୍କ ନଜର ରହିଥିଲା। କିନ୍ତୁ ସେ ଏହି ନିର୍ବାଚନରେ ପରାସ୍ତ ହୋଇଛନ୍ତି।





