ରାଜ୍ୟ ଯୋଜନା ବୋର୍ଡ ଭଙ୍ଗ କଲେ ରାଜ୍ୟ ସରକାର

ଭୁବନେଶ୍ୱର,୧୮/୭(ସତ୍ୟପାଠ ବ୍ୟୁରୋ):   ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ ବିଜେପି ସରକାର ଆଜି ରାଜ୍ୟ ଯୋଜନା ବୋର୍ଡକୁ ଭାଙ୍ଗି ଦେଇଛନ୍ତି। ରାଜ୍ୟ ଯୋଜନା ବୋର୍ଡ ଭାଙ୍ଗିବା ପାଇଁ ଆସିଥିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଅନୁମୋଦନ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ରାଜ୍ୟ ଯୋଜନା ବୋର୍ଡ ଭାଙ୍ଗିବା ପରେ ନୂଆ ସଦସ୍ୟଙ୍କୁ ନେଇ ଏହାର ପୁର୍ନଗଠନ ହେବ ନା ନୀତି ଆୟୋଗର ରାଜ୍ୟ ଶାଖା ଖୋଲିବ ସେନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ପ୍ରତି ରାଜ୍ୟରେ ଯୋଜନା ବୋର୍ଡ ଭାଙ୍ଗି ନୀତି ଆୟୋଗର ଶାଖା ଖୋଲିବାକୁ ସୁପାରିm କରାଯାଇଥିଲେ ହେଁ ଓଡ଼ିଶାରେ ଏହାକୁ କାର୍ଯ୍ୟକାରୀ କରାଯାଇନଥିଲା। ତେଣୁ ଏବେ ବିଜେପି ସରକାର ନୀତି ଆୟୋଗଙ୍କ ସୁପାରିସକୁ କାର୍ଯ୍ୟକାରୀ କରୁଛନ୍ତି କି ନାହିଁ ତାହା ଖୁବ୍‌ ଶୀଘ୍ର ଜଣାପଡ଼ିବ।

ସୂଚନାଯୋଗ୍ୟ ଯେ ରାଜ୍ୟ ଯୋଜନା ବୋର୍ଡର ଅଧ୍ୟକ୍ଷ ଭାବେ ମୁଖ୍ୟମନ୍ତ୍ରୀ କାର୍ଯ୍ୟ କରନ୍ତି। ଉପାଧ୍ୟକ୍ଷଙ୍କ ସମେତ ଅନ୍ୟ ସଦସ୍ୟମାନଙ୍କୁ ସରକାର ନିଯୁକ୍ତି ଦେଇଥା’ନ୍ତି। ପେସାଦାର ଲୋକ ଯଥା ଅର୍ଥନୀତିଜ୍ଞ, ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞ, ଶିକ୍ଷାବିତ୍‌ମ‌ାନଙ୍କୁ ଏଥିରେ ସଦସ୍ୟ ନେବାର ପରମ୍ପରା ପୂର୍ବରୁ ରହିଥିଲା। ଫଳରେ ରାଜ୍ୟର ଯୋଜନା ପ୍ରସ୍ତୁତିରେ ଯୋଜନା ବୋର୍ଡ ବଡ଼ ଭୂମିକା ନେଇଥାଏ। କିନ୍ତୁ ପୂର୍ବ ସରକାର ସମୟରେ ଏଥିରେ ବ୍ୟତିକ୍ରମ ହୋଇଥିଲା। ଯୋଜନା ବୋର୍ଡ କେବଳ ରାଜନେତାଙ୍କ ଥଇଥାନ କେନ୍ଦ୍ର ପାଲଟିଥିଲା। ଶେଷ ଥର ପାଇଁ ୨୦୨୦ ମସିହାରେ ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ହୋଇଥିଲେ। ୨୦୨୨ ଜୁନ୍ ମାସ ପର୍ଯ୍ୟନ୍ତ ସେ ଏହି ପଦବିରେ ଥିଲେ। ତାଙ୍କ ପରେ ଅନ୍ୟ କାହାକୁ ଉପାଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇନଥିଲା। ହେଲେ ୨୦୨୨, ଅକ୍ଟୋବରରେ ତତ୍କାଳୀନ ସରକାର ରାଜ୍ୟ ଯୋଜନା ବୋର୍ଡର ସଦସ୍ୟ ଭାବେ ବିଜେଡି ନେତା ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ପ୍ରସନ୍ନ ପାଟ୍ଟଶାଣୀ ଓ ସାଧୁ ନେପାକଙ୍କୁ ନିଯୁକ୍ତି ଦେଇଥିଲେ। ସେମାନଙ୍କୁ ମନ୍ତ୍ରୀ ପାହ୍ୟା ଦିଆଯାଇଥିଲା। ସେମାନଙ୍କ ପାହ୍ୟା ଅନୁଯାୟୀ ଘର, ଗାଡ଼ି ସମେତ ଅନ୍ୟାନ୍ୟ ସୁବିଧା ସୁଯୋଗ ମିଳୁଥିଲା। କିନ୍ତୁ ପରିତାପର ବିଷୟ ଯେ ଓଡ଼ିଶା ଯୋଜନା ବୋର୍ଡର ବୈଠକ ଗତ ୧୭ ବର୍ଷ ଧରି ଥରୁଟିଏ ମଧ୍ୟ ବସିନାହିଁ। ଶେଷଥର ପାଇଁ ୨୦୦୭, ଅକ୍ଟୋବର ୧୫ରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଗତ ୧୭ ବର୍ଷ ଧରି ଥରୁଟିଏ ମଧ୍ୟ ବସିନାହିଁ। ଶେଷଥର ପାଇଁ ୨୦୦୭, ଅକ୍ଟୋବର ୧୫ରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା। ତେଣୁ ନୂଆ ସରକାର କିପରି ଏହାକୁ କାର୍ଯ୍ୟକ୍ଷମ କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର।

Related Posts