ଭୁବନେଶ୍ୱର,୨୦/୭(ସତ୍ୟପାଠ ବ୍ୟୁରୋ): ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ଆଜି ପ୍ରକାଶ ପାଇଛି ନିଟ-ୟୁଜି ପରୀକ୍ଷା ରେଜଲ୍ଟ । ଶନିବାର ମଧ୍ୟାହ୍ନ ସୁଦ୍ଧା ସହର ୱାରୀ ଓ ପରୀକ୍ଷା କେନ୍ଦ୍ର ୱାରୀ ନିଟ ୟୁଜି ରେଜଲ୍ଟ ପ୍ରକାଶ କରିବାକୁ ସର୍ବୋଚ୍ଚ ଅଦାଲତ ଏନଟିଏକୁ ନିର୍ଦ୍ଦେଶ ଦେଇଥିଲେ। ଫଳରେ ଆଜି ନିର୍ଦ୍ଧାରିତ ସମୟ ମଧ୍ୟରେ ସହରୱାରୀ ଏହାକୁ ପ୍ରକାଶ କରାଯାଇଛି।
ନିଟ-ୟୁଜି ରେଜଲ୍ଟ ଏବେ NEET UG 2024ର ଅଫିସିଆଲ ୱେବସାଇଟ୍ରେ ଉପଲବ୍ଧ ଅଛି। ୱେବସାଇଟ୍ nta.nic.inକୁ କ୍ଲିକ୍ କରି ଛାତ୍ରଛାତ୍ରୀ ନିଜ ରେଜଲ୍ଟ ପାଇପାରିବେ
ଜୁନ ୪ରେ ସର୍ବଭାରତୀୟ ସ୍ତରରେ ନିଟ ରେଜଲ୍ଟ ପ୍ରକାଶ ପାଇଥିଲା। କିନ୍ତୁ ଏବେ ସହର ୱାରୀ ଓ ପରୀକ୍ଷା କେନ୍ଦ୍ର ୱାରୀ ରେଜଲ୍ଟ ପ୍ରକାଶ ପାଇଛି। ଯଦି ବିପୁଳ ସଂଖ୍ୟାରେ ଅନିୟମିତତା ହୋଇଥିବା ଏହି ରେଜଲ୍ଟରୁ ଜଣାପଡ଼ିବ, ତା’ହେଲେ ପୁଣି ପରୀକ୍ଷା ହୋଇପାରେ ବୋଲି ସର୍ବୋଚ୍ଚ ଅଦାଲତ ସର୍ତ୍ତ ରଖିଥିଲେ।
ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍-ୟୁଜି ପରୀକ୍ଷାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗର ତଦନ୍ତ ଏବେ ସିବିଆଇ କରୁଛି। ସିବିଆଇ ତଦନ୍ତ ଦାୟିତ୍ୱ ପାଇବା ପରେ ଏଫଆଇଆର ରୁଜୁ କରି ୬୦ ଜଣଙ୍କୁ ଗିରଫ କରିସାରିଲାଣି।
ବିହାର ପେପର ଲିକ୍ର ମୂଳକେନ୍ଦ୍ର ହୋଇଥିବା ବେଳେ ଗୁଜରାଟ, ରାଜସ୍ଥାନ ଓ ମହାରାଷ୍ଟ୍ରରେ ମଧ୍ୟ ଏହାର ଲିଙ୍କ ରହିଛି। ଏଠାରେ ମଧ୍ୟ ପରୀକ୍ଷା ବେଳେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇ ଆସୁଛି। ତେଣୁ ପୁନଃ ପରୀକ୍ଷା ପାଇଁ ସୁପ୍ରିମକୋର୍ଟରେ ଏକାଧିକ ଆବେଦନ କରାଯାଇଛି।
ମେ ୫ରେ ଦେଶର ୪,୭୫୦ କେନ୍ଦ୍ରରେ NEET-UG ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରାୟ ୨୪ ଲକ୍ଷ ପିଲା ଭାଗ ନେଇଥିଲେ। ଜୁନ୍ ୧୪ରେ ରେଜଲ୍ଟ ଘୋଷଣା ହେବା ନେଇ ଆଶା କରାଯାଉଥିଲା, କିନ୍ତୁ ମୂଲ୍ୟାୟନ ଶେଷ ହୋଇଯିବାରୁ ଜୁନ୍ ୪ରେ ଫଳାଫଳ ପ୍ରକାଶ ପାଇଥିଲା।
ନିଟ୍ ୟୁଜି ପରୀକ୍ଷାରେ ୬୭ ଜଣ ପିଲା ୭୨୦ ମାର୍କ ରଖି ଟପ୍ କରିବା ପରେ ପ୍ରଶ୍ନପତ୍ର ଲିକ ଅଭିଯୋଗ ହୋଇଥିଲା। ଏହାପରେ NTA ପକ୍ଷରୁ CBI ତଦନ୍ତ ନିର୍ଦ୍ଦେଶ ଦିଆ ଯାଇଥିଲା।
