ମହଙ୍ଗା ପଡିଲା ପରକୀୟା ପ୍ରୀତି; IPS ରାଜେଶ ପଣ୍ଡିତ ସସପେଣ୍ଡ୍

ଭୁବନେଶ୍ୱର,୩୦/୭(ସତ୍ୟପାଠ ବ୍ୟୁରୋ):   ମହଙ୍ଗା ପଡିଲା ପରକୀୟା ପ୍ରୀତି , ସସପେଣ୍ଡ୍ ହେଲେ ଆଇପିଏସ୍ ଅଧିକାରୀ ପଣ୍ଡିତ ରାଜେଶ ଉତ୍ତମରାଓ । ଭାରତୀୟ ପୋଲିସ ସେବା ଆଇନ ଉଲ୍ଲଙ୍ଘନ ଅଭିଯୋଗରେ ତାଙ୍କୁ ସସ୍‌ପେଣ୍ଡ କରାଯାଇଛି । ରାଜେଶ ପଣ୍ଡିତଙ୍କ ସସ୍‌ପେଣ୍ଡ ନେଇ ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି | ନିଲମ୍ବନ ଅବଧିରେ ସେ କଟକ ସ୍ଥିତ ରାଜ୍ୟ ପୁଲିସ ମୁଖ୍ୟାଳୟରେ କାର୍ଯ୍ୟ କରିବେ। ପୁଲିସ ଡିଜିଙ୍କ ବିନା ଅନୁମତିରେ ସେ ହେଡ କ୍ୱାର୍ଟର୍ସ ଛାଡ଼ି ଯାଇପାରିବେ ନାହିଁ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି।

ତେବେ ଖବର ଅନୁସାରେ ଜଣେ ମହିଳା ପୋଲିସ ଅଧିକାରୀଙ୍କ ସହ ରାଜେସ ପଣ୍ଡିତଙ୍କର ପ୍ରେମ ସମ୍ପର୍କ ଥିଲା | ଆଉ ଗତ ୨୭ ତାରିଖ ରାତିରେ ସେ କ୍ୟାପିଟାଲ ଥାନା ଅଞ୍ଚଳରେ ଥିବା ସମ୍ପୃକ୍ତ ମହିଳା ଅଧିକାରୀଙ୍କ ସରକାରୀ କ୍ୱାର୍ଟର୍ସକୁ ଯାଇ ସେଠାରେ ତାଙ୍କୁ ବିବାହ କରିବେ ବୋଲି ଜିଦ୍‌ ଧରିଥିଲେ ବୋଲି ଚର୍ଚ୍ଚା ହେଉଛି। ଏପରିକି ସଂପୃକ୍ତ ମହିଳାଙ୍କ ସ୍ୱାମୀ ବାରଣ କରିବାରୁ ତାଙ୍କୁ ସେ ମାରପିଟ କରିଥିବା ଅଭିଯୋଗ ହୋଇଛି। ଏନେଇ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ ମହିଳା ପୁଲିସ ଅଧିକାରୀଙ୍କ ସ୍ଵାମୀ। ତେବେ ଏଇ ଘଟଣା ସମ୍ପର୍କରେ କ୍ୟାପିଟାଲ ଥାନା ପୋଲିସ କୌଣସି ପଦକ୍ଷେପ ଗ୍ରହଣ କରିନଥିଲା। ସେପଟେ ଏନେଇ ମାନବ ଅଧିକାର କମିଶନରେ ମଧ୍ୟ ଅଭିଯୋଗ ହୋଇଥିଲା।

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗତକାଲି ରାତିରେ ଦିଲ୍ଲୀ ଚାଲିଥିବା ନୀତି ଆୟୋଗ ବୈଠକରୁ ଫେରିବା ପରେ ରାଜେଶ ପଣ୍ଡିତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ବରିଷ୍ଠ ପୋଲିସ ଅଧିକାରୀ ରାଜେଶ ପଣ୍ଡିତ ଅଗ୍ନିଶମ ଓ ହୋମ ଗାର୍ଡ ବିଭାଗରେ ଡି.ଆଇ.ଜି ଭାବରେ କାର୍ଯ୍ୟରତ ଥିଲେ।

Related Posts