ଭୁବନେଶ୍ୱର,୨୯/୮(ସତ୍ୟପାଠ ବ୍ୟୁରୋ): ମାତ୍ର ୨୨ ବର୍ଷ ବୟସରେ ଆଇପିଏସ୍ ଏବଂ ୨୮ ବର୍ଷରେ ଇସ୍ତଫା | ସେ ଥିଲେ ବିହାରର ଲେଡି ସିଙ୍ଘମ | ଯେଉଁଠି ପୋଷ୍ଟିଂ ହେଉଥିଲା, ଥରହର ହେଉଥିଲେ ଅପରାଧୀ | ହେଲେ କାହିଁକି ହଠାତ ଚାକିରୀ ଛାଡିଦେଲେ ଓଡ଼ିଆ ଝିଅ କାମ୍ୟା ମିଶ୍ର? ସେ ରାଜନୀତିରେ ଯୋଗଦେବା ନେଇ ଜାତୀୟ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା |
ଆସନ୍ତୁ ଜାଣିବା ଓଡ଼ିଶାର ଆଦିବାସୀ ବହୁଳ ଜିଲ୍ଲା ମୟୁରଭଂଜ ରାଇରଙ୍ଗପୁରର ଝିଅ କାମ୍ୟା ମିଶ୍ରଙ୍କ କାହାଣୀ। ରାଇରଙ୍ଗପୁରର ଗୋରୁମହିଷାଣିରେ ଜନ୍ମ ହୋଇଥିବା କାମ୍ୟାଙ୍କୁ ନେଇ ଏବେ ଜାତୀୟ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା | ମାତ୍ର ୨୨ ବର୍ଷ ବୟସରେ ଆଇପିଏସ୍ ପାଇଥିବା କାମ୍ୟା ବିହାରର ଲେଡି ସିଙ୍ଘମ ଭାବେ ପରିଚିତ | ଖୁବ କମ ଦିନ ଚାକିରୀରେ ସେ ଅନେକ ସୁନାମ ଅର୍ଜନ କରିଛନ୍ତି | ମାତ୍ର ୨୮ ବର୍ଷ ବୟସରେ ସେ ଚାକିରୀରୁ ଇସ୍ତଫା ଦେବାକୁ ନେଇ ଏବେ ଜୋରଦାର ଚର୍ଚ୍ଚା | ଏପରିକି ସେ ଆଗକୁ ରାଜନୀତିରେ ଯୋଗଦେଇ ପାରନ୍ତି ବୋଲି ମଧ୍ୟ କୁହାଯାଉଛି |
ତେବେ ଆସନ୍ତୁ ପ୍ରଥମେ ନଜର ପକାଇବା କାମ୍ୟାଙ୍କ ଯାତ୍ରା ଉପରେ | ପିଲା ଦିନରୁ ମେଧାବୀ ଛାତ୍ରୀ ଥିବା କାମ୍ୟା, ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାରେ ୯୮.୬ ପ୍ରତିଶତ ନମ୍ବର ରଖିଥିଲେ ଏବଂ ପରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଲେଡି ଶ୍ରୀରାମ କଲେଜରୁ ସ୍ନାତକ ଡିଗ୍ରି ହାସଲ କରିଥିଲେ। ମାତ୍ର ୨୨ ବର୍ଷ ବୟସରେ ପ୍ରଥମ ଥର ୟୁପିଏସ୍ସି ସିଭିଲି ସର୍ଭିସ ପରୀକ୍ଷା ମାନ୍ୟତା ତାଲିକାର ୧୭୨ ସ୍ଥାନରେ ରହି ସେ ଆଇପିଏସ୍ ହେବାର ସଫଳତା ପାଇଥିଲେ। ସେ IPS ଅଵଦେଶ ସରୋଜ ଦୀକ୍ଷିତଙ୍କୁ ବିବାହ କରିଛନ୍ତି | କାମ୍ୟା ମିଶ୍ର ୨୬ ଅଗଷ୍ଟ ୨୦୧୯ରେ ଟ୍ରେନି ଆଇପିଏସ୍ ଭାବରେ ବିହାରରେ ଯୋଗ ଦେଇଥିଲେ। ୨୦୨୪ ମାର୍ଚ୍ଚ ୬ରେ, ସେ ଦରଭଙ୍ଗା ଏସ୍ପି ଭାବରେ କାର୍ଯ୍ୟଭାର ଗ୍ରହଣ କରିଥିଲେ। ଏହାପରେ ଅନେକ ଜଘନ୍ୟ ଅପରାଧର ତଦନ୍ତ କରି ସେ ସାରା ବିହାରରେ ଲେଡି ସିଙ୍ଘମ ଭାବେ ନିଜକୁ ପରିଚିତ କରି ପାରିଥିଲେ | ହେଲେ ଗତ ଅଗଷ୍ଟ ୫ରେ ସେ ଆଇପିଏସ୍ ଚାକିରୀରୁ ଇସ୍ତଫା ଦେଇଛନ୍ତି | ପାରିବାରିକ ବ୍ୟବସାୟ ପାଇଁ ନିଜ ଇସ୍ତଫା ଦେଇଥିବା ଉଲ୍ଲେଖ କରିଥିବା ବେଳେ ତାଙ୍କୁ ନେଇ କିନ୍ତୁ ଏବେ ବିହାର ରାଜନୀତିରେ ଜୋରଦାର ଚର୍ଚ୍ଚା |
ରାଜନୀତି ରଣନୀତିକାର ପ୍ରଶାନ୍ତ କିଶୋର ନୂଆ କରି ଗଢ଼ିଥିବା ଜନସ୍ୱରାଜ ଦଳରେ କାମ୍ୟା ଯୋଗଦେଇ ପାରନ୍ତି ବୋଲି କୁହାଯାଉଛି | ବିହାରର କିଛି ଆଗଧାଡ଼ିର ପ୍ରଶାସନିକ ଅଧିକାରୀ ଏବେ ପ୍ରଶାନ୍ତଙ୍କ ନୂଆ ଦଳରେ ଯୋଗ ଦେଉଥିବାରୁ କାମ୍ୟାଙ୍କୁ ନେଇ ମଧ୍ୟ ଏହି ଚର୍ଚ୍ଚା ଆରମ୍ଭ ହୋଇଛି | ସେପଟେ ନିକଟରେ ଓଡ଼ିଶାର ଏକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କାମ୍ୟା କହିଛନ୍ତି ଯେ, ‘ମୁଁ ବହୁତ ଭାବିଚିନ୍ତି ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛି। ରାଜନୀତି ନୁହେଁ, ମୋ ଜନ୍ମଭୂମି ରାଇରଙ୍ଗପୁରର ଏବଂ ମୋ ଅଞ୍ଚଳର ଜନସାଧାରଣଙ୍କ ମୋ ପ୍ରତି ରହିଥିବା ଅବଦାନକୁ ଯେତିକି ସମ୍ଭବ ସେବାକରି ଫେରାଇବାକୁ ଇସ୍ତଫା ଦେଇଛି। ମୋ ଅଞ୍ଚଳର ମା’ ଭଉଣୀ ଜଣେ ଜଣେ ବଣମଲ୍ଲୀ। ଯେଉଁ ମାଟି ଭାରତର ରାଷ୍ଟ୍ରପତି ସୃଷ୍ଟି କରିପାରେ ସେହି ମାଟି ଅନେକ କାମ୍ୟା ମିଶ୍ର ସୃଷ୍ଟି କରିପାରିବ। ଖାଲି ଟିକିଏ ସୁଯୋଗ ସେମାନଙ୍କୁ ମିଳିବା ଦରକାର। ବିହାର ମୋର କର୍ମଭୂମି ହେଲେ ମଧ୍ୟ ଯେଉଁ ମାଟିର ପାଣି ପବନ ମୋତେ ମଣିଷ କରିଛି ସେଇ ମାଟିର ସେବା କରିବା ମୋର ପ୍ରଧାନ କର୍ତ୍ତବ୍ୟ। ଏହା ଚିନ୍ତାକରି ଇସ୍ତଫା ଦେଇଛି ବୋଲି କାମ୍ୟା କହିଛନ୍ତି। ତେବେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର ଶୀର୍ଷକ ପାଲଟିଥିବା ଏହି ଓଡ଼ିଆ ଝିଅ ଆଗକୁ କଣ ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା |





