ଅସମ୍ଭାଳ ହେଲା ବୁନୁ-ପଣ୍ଡା ବନାମ ବାୟାଁ-ଲିଟୁ କଳି

 

ଭୁବନେଶ୍ୱର,୧୬/୧୦(ସତ୍ୟପାଠ ବ୍ୟୁରୋ):  ଭୁବନେଶ୍ୱର ବିଜେଡିରେ ସୃଷ୍ଟି ହୋଇଥିବା ଫାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଭୁବନେଶ୍ବର ମହାନଗର ନିଗମର ଦୁଇ ବିଜେଡି କର୍ପୋରେଟର ଅମରେଶ ଜେନା ଓରଫ  ବାୟାଁ ଓ ବିରଞ୍ଚି ମହାସୁପକାର ଓରଫ ଲିଟୁ, ଭୁବନେଶ୍ୱର ଜିଲ୍ଲା ବିଜେଡି ସଭାପତି ସୁଶାନ୍ତ ରାଉତଙ୍କ ନିକଟରେ କାରଣଦର୍ଶାଅ ନୋଟିସ୍‌ର ଉତ୍ତର ରଖିବା ପରେ ଗଣମାଧ୍ୟମ ସମ୍ମୁଖରେ ପୁଣିଥରେ ବର୍ଷିଛନ୍ତି। ନାଁ ନ ନେଇ ଉଭୟ କର୍ପୋରେଟର ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା ଓ ମଧ୍ୟ ବିଧାୟକ ଅନନ୍ତ ଜେନାଙ୍କୁ ଟାର୍ଗେଟ କରିଛନ୍ତି। ଭୁବନେଶ୍ବରରେ ଦଳକୁ କିଏ ଭାଙ୍ଗୁଛି ତାହା ସମସ୍ତଙ୍କୁ ଜଣା ବୋଲି ସେମାନେ କହିଛନ୍ତି।

ଉଭୟ ଆହୁରି କହିଛନ୍ତି, ଆମେ ଦଳର ଶୃଙ୍ଖଳିତ କର୍ମୀ। ମାତ୍ର ଯୁବନେତାଙ୍କ ମନୋବଳ ଭାଙ୍ଗିବାକୁ ଉଦ୍ୟମ ହେଉଛି। ଦୁଇ ଚାରି ବର୍ଷ ହେଲା ମାନସିକ ଯନ୍ତ୍ରଣା ଦିଆଯାଉଛି। ଯେଉଁମାନେ ଆମକୁ ସହଯୋଗ କରୁଛନ୍ତି ସେମାନଙ୍କୁ ମଧ୍ୟ ଅତ୍ୟାଚାର ଦିଆଯାଉଛି। କେଉଁମାନେ ଏଭଳି କାର୍ଯ୍ୟ କରୁଛନ୍ତି ସେନେଇ ସମ୍ପୂର୍ଣ୍ଣ ତଥ୍ୟ ସହ ଉତ୍ତର ରଖିଛୁ। ଉତ୍ତର ପାଇବା ପରେ ଶୀର୍ଷ ନେତୃତ୍ବ ଆମକୁ ଦୋଷୀ ସାବ୍ୟସ୍ତ କରିବେ କିମ୍ବା ଅନ୍ୟ କିଏ ଦୋଷୀ ଚିହ୍ନଟ ହେବ ତାହା ସମୟ କହିବ। ଯଦି ଆମକୁ କାରଣ ଦର୍ଶାଅ ନୋଟିସ୍ ଦିଆଗଲା ତେବେ ସମାନ ନ୍ୟାୟରେ ସେମାନଙ୍କୁ ବି ଦଳ କାରଣ ଦର୍ଶାଅ ନୋଟିସ୍ ଜାରି କରୁ। ଆମ ଦୁଇ ଜଣଙ୍କୁ ସେମାନେ ଦଳରୁ ଅଲଗା କରିବାକୁ ଚାହୁଁଛନ୍ତି କହି ଟାର୍ଗେଟ୍ କରିବା ସହ ଦଳର ସଭାପତିଙ୍କୁ ଏ ବାବଦରେ ପୁଙ୍ଖାନୁପୁଙ୍ଖ ଭାବେ ଲେଖି ଜଣାଇ ଦିଆଯାଇଥିବା ସେମାନେ କହିଛନ୍ତି।

ସେପଟେ ଏହାର ଜବାବ ରଖିଛନ୍ତି ଅନନ୍ତ ନାରାୟଣ ଜେନା । ସେ ଗଣମାଧ୍ୟମକୁ କହିଛନ୍ତି, କାହାକୁ କାହିଁକି କା‌ରଣଦର୍ଶାଅ ନୋଟିସ ଦିଆଯାଇଥିଲା, ସେ କ’ଣ ଉତ୍ତର ରଖିଲେ ସେ ସବୁ ହାଇକମାଣ୍ଡ ଦେଖିବେ। ବାହାରେ ଫମ୍ପା ମାଠିଆର ଆୱାଜ୍‌ ଶୁଭୁଛି। ସେମାନଙ୍କ ଏହି ଆୱାଜ ବାହାରେ ରହିବ। ଭୁବନେଶ୍ୱର ବିଜେଡିକୁ କେହି ଭାଙ୍ଗିପାରିବେ ନାହିଁ ବୋଲି ସେ ଦୃଢ଼ତାର ସହ କହିଛନ୍ତି। 

 ତେବେ ଗତ ନିର୍ବାଚନରେ ଭୁବନେଶ୍ୱର ଏକାମ୍ର ଆସନରୁ ଅଶୋକ ପଣ୍ଡାଙ୍କ ବଦଳରେ ଲିଟୁ ମହସୂପକାର ଓ ମଧ୍ୟ ଆସନରୁ ଅନନ୍ତ ଜେନାଙ୍କ ବଦଳରେ ଅମରେଶ ଜେନା ଦଳୀୟ ଟିକେଟ ଚାହିଁଥିଲେ । ହେଲେ ଦଳ ଅଶୋକ ଓ ଅନନ୍ତଙ୍କୁ ଟିକେଟ ଦେଇଥିବାବେଳେ ବାୟାଁ ଓ ଲିଟୁଙ୍କୁ ନିରାଶ ହେବାକୁ ପଡ଼ିଥିଲା । ସେବେଠାରୁ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ କନ୍ଦଳ ଲାଗିରହିଛି । ଏବେ ଗଣମାଧ୍ୟମରେ ବୟାନବାଜି ଚାଲିଥିବା ବେଳେ ଆଗକୁ ଭୁବନେଶ୍ୱର ବିଜେଡ଼ି ରାଜନୀତିରେ କି ରୋଚକ ମୋଡ଼ ଆସୁଛି, ତାହା ଦେଖିବାକୁ ବାକି ରହିଲା ।

Related Posts