ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଅନେକ ସମୟରେ ଦେଶର ସୁପ୍ରିମକୋର୍ଟ ଏବଂ ବଭିନ୍ନ ରାଜ୍ୟର ହାଇକୋର୍ଟ ବିଚାରପତିମାନେ ଦୃଷ୍ଟାନ୍ତମୂଳକ ରାୟ ଦେଇ ଚର୍ଚ୍ଚାରେ ରହିଥାନ୍ତି। ଏହି କ୍ରମରେ ଓଡ଼ିଶା ହାଇକୋର୍ଟ ଜଣେ ଅଭିଯୁକ୍ତଙ୍କୁ ଏପରି ସର୍ତ୍ତରେ ଜାମିନ ଦେଇଛନ୍ତି, ଯାହା ପ୍ରଶଂସାଯୋଗ୍ୟ। ହାଇକୋର୍ଟର ବିଚାରପତି ଡକ୍ଟର ଜଷ୍ଟିସ୍ ସଂଜୀବ କୁମାର ପାଣିଗ୍ରାହୀ ଏକ ଗୁରୁତ୍ଵପୂର୍ଣ୍ଣ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।
୨ ଲକ୍ଷ ଟଙ୍କାର ବିଦ୍ୟୁତ୍ ସାମଗ୍ରୀ ଚୋରି ମାମଲାରେ ଗିରଫ ହୋଇ ଜେଲରେ ଥିବା ଜଣେ ଅଭିଯୁକ୍ତକୁ ହାଇକୋର୍ଟ ଜାମିନ ମଞ୍ଜୁର କରିବା ସହିତ ୨୦୦ଟି ଗଛ ଲଗାଇ ତାହାକୁ ୨ ବର୍ଷ ପର୍ଯ୍ୟନ୍ତ ଯତ୍ନ ନେବା ଭଳି ନିଆରା ସର୍ତ୍ତ ରଖିଛନ୍ତି।
କୋର୍ଟଙ୍କ ସର୍ତ୍ତ ଅନୁସାରେ, ଜାମିନରେ ମୁକୁଳିବା ପରେ ଅଭିଯୁକ୍ତ ନିଜ ଗାଁର ଆଖପାଖରେ ୨୦୦ଟି ଆମ୍ବ , ନିମ୍ବ, ତେନ୍ତୁଳି ଭଳି ପ୍ରଜାତିର ଚାରା ଲଗାଇବେ। ରାଜସ୍ବ କର୍ତ୍ତୃପକ୍ଷ ଗଛ ଲଗାଇବା ପାଇଁ ଜମି ଚିହ୍ନଟ କ୍ଷେତ୍ରରେ ସହଯୋଗ କରିବୋ ଜିଲ୍ଲା ନର୍ସରି ଡିଏଫ୍ଓ ଚାରା ଯୋଗାଇବା କ୍ଷେତ୍ରରେ ସହାୟତା କରିବେ । ଅଭିଯୁକ୍ତ ୨୦୦ ଚାରା ରୋପଣ କରିବା ପ୍ରସଂଗ ସ୍ଥାନୀୟ ଥାନା ଆଇଆଇସି ଓ ଜଙ୍ଗଲ ବିଭାଗ ଅଧିକାରୀ ତଦାରଖ କରିବୋ ଚାରା ରୋପଣ ପରେ ଏକ ସତ୍ୟପାଠ ଅଭିଯୁକ୍ତ ସ୍ଥାନୀୟ ଥାନାରେ ଦାଖଲ କରିବେ। ଦୁଇ ବର୍ଷ ପର୍ଯ୍ୟନ୍ତ ଚାରା ଗୁଡ଼ିକର ରକ୍ଷଣାବେକ୍ଷଣ ଓ ଯତ୍ନ ନେବେ ବୋଲି ଅଭିଯୁକ୍ତ ପ୍ରତିଶ୍ରୁତି ଦେବେ।
ମାମଲାର ଟ୍ରାଏଲ ସମୟରେ ଏହି ସତ୍ୟପାଠ ନିମ୍ନ ଅଦାଲତରେ ଦାଖଲ କରାଯିବ। ନିମ୍ନ ଅଦାଲତ ଆବଶ୍ୟକ ସର୍ତ୍ତ ପୂରଣ ପରେ ଅଭିଯୁକ୍ତଙ୍କୁ ଜାମିନରେ ଛାଡ଼ିବେ । ଜାମିନରେ ଥିବା ବେଳେ ଅଭିଯୁକ୍ତ କୌଣସି ଆପରାଧିକ ମାମଲାରେ ସଂପୃକ୍ତ ହେବେ ନାହିଁ ବୋଲି ହାଇକୋର୍ଟ ସର୍ତ୍ତାରୋପ କରିଛନ୍ତି। ଯଦି ସର୍ତ୍ତ ଉଲଂଘନ କରନ୍ତି ତେବେ ଜାମିନ ବାତିଲ ହେବ ବୋଲି ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଉଲ୍ଲେଖ କରାଯାଇଛି।
ସୂଚନାଯୋଗ୍ୟ, ପୋଖରାସାଲେରୁ ଖୋଣ୍ଡୋକାତା ପର୍ଯ୍ୟନ୍ତ ବିଦ୍ୟୁତ କାମ ଚାଲିଥିବା ବେଳେ ୬ଟି ଲୁହା ଖୁଣ୍ଟ (ମୂଲ୍ୟ ୨ ଲକ୍ଷ ଟଙ୍କା) ଚୋରି ହୋଇ ଯାଇଥିଲା। ଏ ନେଇ ଝାରସୁଗୁଡ଼ା ଜିଲ୍ଲା କୋଲାବିରା ଥାନାରେ ମାନସ ଅତିଙ୍କ ନାଁରେ ଆଇପିସିର ଦଫା ୩୭୯, ୩୪ରେ ପୋଲିସ ମାମଲା ରୁଜୁ ହୋଇଥିଲା |





