ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ପୂର୍ବତନ ରାଜ୍ୟସଭା ସାଂସଦ ଡା.ସୁବ୍ରମଣ୍ୟମ୍ ସ୍ୱାମୀ ରାମ ସେତୁକୁ ନେଇ ସୁପ୍ରିମ କୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାଖଲ କରିଛନ୍ତି। ଏହି ଆବେଦନରେ ସେ ରାମ ସେତୁକୁ ଜାତୀୟ ସ୍ମାରକ ରୂପେ ଘୋଷଣା କରିବାକୁ କେନ୍ଦ୍ର ସରକାରକୁ ନିର୍ଦ୍ଦେଶ ଦେବା ପାଇଁ ଅନୁରୋଧ କରିଛନ୍ତି। ସେ ଭୌଗୋଳିକ ସର୍ବେକ୍ଷଣ ଓ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ବିଭାଗ ଦ୍ୱାରା ରାମ ସେତୁର ସର୍ବେକ୍ଷଣ କରିବା ପାଇଁ ଦାବି କରିଛନ୍ତି । ଲୋକମାନଙ୍କର ଏହି ରାମ ସେତୁ ସହିତ ଆସ୍ଥା, ଶ୍ରଦ୍ଧା ରହିଥିବାରୁ କେନ୍ଦ୍ର ସରକାର ଏହାକୁ ଅପବ୍ୟବହାର ଓ ପ୍ରଦୂଷଣ ମୁକ୍ତ ରଖିବାକୁ ସେ ନିଜ ଆବେଦନରେ ଦର୍ଶାଇଛନ୍ତି |
ଉଲ୍ଲେଖଯୋଗ୍ୟ ଯେ, ସୁବ୍ରମଣ୍ୟମ୍ ସ୍ୱାମୀଙ୍କ ଦ୍ୱାରା ଦାୟର ଅନ୍ୟ ଏକ ଆବେଦନ, ଯେଉଁଥିରେ ସେତୁ ସମୁଦ୍ରମ୍ ଜାହାଜ ଚ୍ୟାନେଲ ପ୍ରକଳ୍ପ ପାଇଁ ଏକ ବିକଳ୍ପ ରାସ୍ତା ଖୋଜିବା ପାଇଁ ପ୍ରତିପକ୍ଷଙ୍କୁ ଏକ ନିର୍ଦ୍ଦେଶନାମା ପ୍ରଦାନ କରିବାକୁ କୁହାଯାଇଛି, ଯାହା ଦ୍ୱାରା ଐତିହାସିକ ରାମ ସେତୁ ଡ୍ରେଜିଂ ଇତ୍ୟାଦି ଯୋଗୁଁ କ୍ଷତିଗ୍ରସ୍ତ ହେବାର ଆଶଙ୍କା ଥିବା ଦର୍ଶାଯାଇଛି, ତାହା ସୁପ୍ରିମକୋର୍ଟରେ ବିଚାରାଧୀନ ଅଛି। ଏହି ପ୍ରକଳ୍ପ ଅଧୀନରେ, ବ୍ୟାପକ ଡ୍ରେଜିଂ ଦ୍ୱାରା ମନ୍ନାର ଏବଂ ପାଲକ୍ ପ୍ରଣାଳୀକୁ ସଂଯୋଗ କରୁଥିବା ଏକ ୮୩ କିଲୋମିଟର ଲମ୍ବା ଚ୍ୟାନେଲ୍ ସୃଷ୍ଟି କରାଯିବାର ଥିଲା। ଏହି ପ୍ରକଳ୍ପ ରାମ ସେତୁ ଉପରେ ପ୍ରଭାବ ପକାଇବ ବୋଲି ଅଭିଯୋଗ ହୋଇଛି।
ଜାନୁଆରୀ ୨୦୨୩ ରେ, ସୁପ୍ରିମକୋର୍ଟ ରାମ ସେତୁକୁ ଜାତୀୟ ଐତିହ୍ୟ ମାନ୍ୟତା ଦାବିରେ ହୋଇଥିବା ଏକ ଆବେଦନର ବିଚାର କରିଥିଲେ। ଶୁଣାଣି ସମୟରେ, କେନ୍ଦ୍ର ସରକାର କୋର୍ଟକୁ କହିଥିଲେ ଯେ ‘ରାମ ସେତୁ’କୁ ଜାତୀୟ ଐତିହ୍ୟ ମାନ୍ୟତା ଦେବାନେଇ ବିଚାର କରିବା ପାଇଁ ସଂସ୍କୃତି ମନ୍ତ୍ରଣାଳୟରେ ପ୍ରକ୍ରିୟା ଚାଲିଛି। ଏହା ବ୍ୟତୀତ, ସଲିସିଟର ଜେନେରାଲ ତୁଷାର ମେହେଟା ପରାମର୍ଶ ଦେଇଥିଲେ ଯେ ଡକ୍ଟର ସ୍ୱାମୀ ମନ୍ତ୍ରଣାଳୟ ସମ୍ମୁଖରେ ଏକ ରିପ୍ରେଜେଣ୍ଟେସନ ରଖନ୍ତୁ। ଯଦି ଡକ୍ଟର ସ୍ୱାମୀ ତାଙ୍କ ରିପ୍ରେଜେଣ୍ଟେସନ ଉପରେ ନିଆଯାଇଥିବା ନିଷ୍ପତ୍ତି ଦ୍ୱାରା ଅସହମତ ହୁଅନ୍ତି ତେବେ ସେ ତାଙ୍କର ଆଇନଗତ ପ୍ରତିକାର ପାଇବା ପାଇଁ ସ୍ୱାଧୀନତା ପାଇପାରିବେ। ଏହି ପୃଷ୍ଠଭୂମିରେ, ସେତେବେଳେ ଆବେଦନର ସମାଧାନ କରାଯାଇଥିଲା।
ବର୍ତ୍ତମାନ ସ୍ୱାମୀ ୨୭.୦୧.୨୦୨୩ ଓ ୧୩.୦୫.୨୦୨୫ ରେ ରିପ୍ରେଜେଣ୍ଟେସନ ଦାଖଲ କରିଥିଲେ ବୋଲି କୋର୍ଟଙ୍କୁ କହିଛନ୍ତି, କିନ୍ତୁ ଏପର୍ଯ୍ୟନ୍ତ ସେ କିମ୍ବା କୋର୍ଟକୁ ସଂସ୍କୃତି ମନ୍ତ୍ରଣାଳୟ କୌଣସି ନିଷ୍ପତ୍ତି ଅବଗତ କରାଯାଇନାହିଁ। ସେ ଆବେଦନରେ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ଅନ୍ୟ ମାମଲାରେ କେନ୍ଦ୍ର ସରକାର ତରଫରୁ ଏପର୍ଯ୍ୟନ୍ତ କୌଣସି କାଉଣ୍ଟର ଅଫିଡେଭିଟ ଦାଖଲ ହୋଇନାହିଁ।
ମାମଲାର ପୃଷ୍ଠଭୂମି:
ଡା.ସୁବ୍ରମଣ୍ୟମ୍ ସ୍ୱାମୀ ରାମ ସେତୁକୁ ଜାତୀୟ ଐତିହ୍ୟ ଘୋଷଣା କରିବା ଦାବି ୨୦୦୭ ରୁ ଟାହି ଆସୁଛନ୍ତି| ସେତୁ ସମୁଦ୍ରମ୍ ଜାହାଜ ଚ୍ୟାନେଲ ପ୍ରକଳ୍ପ ବିରୁଦ୍ଧରେ ଆବେଦନ କରି ସୁପ୍ରିମକୋର୍ଟଙ୍କର ସେ ଦ୍ୱାରସ୍ଥ ହୋଇଥିଲେ। ସେତୁ ସମୁଦ୍ରମ୍ ପ୍ରକଳ୍ପ ଅଧୀନରେ, ବ୍ୟାପକ ଡ୍ରେଜିଂ ଦ୍ୱାରା ମନ୍ନାର ଏବଂ ପାଲକ୍ ପ୍ରଣାଳୀକୁ ସଂଯୋଗ କରୁଥିବା ଏକ ୮୩ କିଲୋମିଟର ଲମ୍ବା ଚ୍ୟାନେଲ୍ ସୃଷ୍ଟି କରାଯିବାର ଥିଲା। ଏହି ପ୍ରକଳ୍ପର ରାମ ସେତୁ ଉପରେ ପ୍ରଭାବ ପଡ଼ିଥିବା ଅଭିଯୋଗ ହୋଇଥିଲା।
ତେବେ ତାମିଲନାଡୁର ଦକ୍ଷିଣ-ପୂର୍ବ ଉପକୂଳରେ ଚୂନା ପଥରର ରେ ନିର୍ମିତ ସେତୁ କୁ ରାମ ସେତୁ କୁହାଯାଏ। ଏହା ତାମିଲନାଡୁର ରାମେଶ୍ୱରମ୍ ନିକଟସ୍ଥ ପାମ୍ବନ୍ ଦ୍ୱୀପରୁ ଶ୍ରୀଲଙ୍କାର ଉତ୍ତର ଉପକୂଳରେ ମନ୍ନାର ଦ୍ୱୀପ ପର୍ଯ୍ୟନ୍ତ ଲମ୍ବିଛି। ରାମାୟଣରେ ଏହି ସେତୁର ଉଲ୍ଲେଖ ଅଛି। ସୀତାଙ୍କୁ ରକ୍ଷା କରିବାକୁ ଲଙ୍କାରେ ପହଞ୍ଚିବା ପାଇଁ ଭଗବାନ ରାମଙ୍କ ଦ୍ୱାରା ଏହି ସେତୁ ନିର୍ମିତ ହୋଇଥିବା କୁହାଯାଇଛି।





