
ନୂଆଦିଲ୍ଲୀ: ମାନ୍ୟବର ସୁପ୍ରିମକୋର୍ଟ ଆଜି ଏକ ଗୁରୁତ୍ୱପୂର୍ଣ ରାୟ ଶୁଣାଇଛନ୍ତି | ଦେଶଦ୍ରେହ ଆଇନ୍ ଉପରେ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ | ଶୁଣାଣି କରି ଆଇନ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ସୁପ୍ରିମକୋର୍ଟ ।
ଫଳରେ ଆଉ ଏହି ଆଇନ ବ୍ୟବହାର ହୋଇପାରିବନି | ପୁନର୍ବିଚାର ଯାଏ ଦେଶଦ୍ରୋହ ଆଇନ୍ ତଥା ଆଇପିସିର ୧୨୪(କ) ଜରିଆରେ କୌଣସି ନୂଆ ମାମଲା ରୁଜୁ ମଧ୍ୟ କରାଯିବ ନାହିଁ ବୋଲି ଆଜି ଏହି ମାମଲାରେ ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି। ଏଥି ସହିତ ବିଚାରାଧୀନ ମାମଲାଗୁଡ଼ିକରେ ସ୍ଥିତାବସ୍ଥା ବଜାୟ ରଖାଯିବ ବୋଲି କୋର୍ଟ କହିଛନ୍ତି।
କେବଳ ସେତିକି ନୁହେଁ ଯେଉଁମାନେ ଦେଶଦ୍ରୋହ ଅଭିଯୋଗରେ ବିଚାରର ସମ୍ମୁଖୀନ ହେଉଛନ୍ତି ଏବଂ ଏହି ଅଭିଯୋଗରେ ଜେଲରେ ଅଛନ୍ତି ସେମାନେ ଉପଯୁକ୍ତ କୋର୍ଟରେ ଜାମିନ ଆବେଦନ କରିପାରିବେ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି। ଏହି ଆଇନ ଉପରେ କେନ୍ଦ୍ର ସରକାର ପୁନର୍ବିଚାର କରିବେ ବୋଲି ଚିଫ ଜଷ୍ଟିସ୍ କହିଛନ୍ତି।
ଆସନ୍ତା ଜୁଲାଇ ତୃତୀୟ ସପ୍ତାହରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ।
ବୁଧବାର ସୁପ୍ରିମକୋର୍ଟରେ ଦେଶଦ୍ରୋହ ଆଇନ୍ର ସମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ ଦେବା ମାମଲାର ଶୁଣାଣି ହୋଇଥିଲା। ଏହି ସମୟରେ କେନ୍ଦ୍ର ସରକାରଙ୍କ ପକ୍ଷ ରଖି ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କୋର୍ଟଙ୍କୁ କହିଛନ୍ତି ଯେ, ଆମେ ରାଜ୍ୟ ସରକାରଙ୍କୁ ଦିଆଯିବାକୁ ଥିବା ନିର୍ଦ୍ଦେଶର ଏକ ଡ୍ରାଫ୍ଟ ପ୍ରସ୍ତୁତ କରିଛୁ। ତାଙ୍କ କହିବାନୁସାରେ, ରାଜ୍ୟ ସରକାରଙ୍କୁ ଏକ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯିବ ଯେ ଜିଲ୍ଲା ପୁଲିସ୍ ଅର୍ଥାତ୍ ଏସପି କିମ୍ବା ଉଚ୍ଚସ୍ତରୀୟ ଅଧିକାରୀଙ୍କ ଅନୁମୋଦନ ବିନା ଦେଶଦ୍ରୋହ ଆଇନ ଅଧୀନରେ ଏଫ୍ଆଇଆର୍ ରୁଜୁ ହେବ ନାହିଁ। ଏହି ଯୁକ୍ତି ସହିତ ସଲିସିଟର ଜେନେରାଲ କୋର୍ଟଙ୍କୁ କହିଛନ୍ତି ଯେ ବର୍ତ୍ତମାନ ଏହି ଆଇନକୁ ସ୍ଥଗିତ କରିବା ଉଚିତ ନୁହେଁ।
ସେପଟେ କିନ୍ତୁ ଆବେଦନକର୍ତ୍ତାଙ୍କ ପକ୍ଷରୁ ଯୁକ୍ତି ବାଢ଼ି ଆଡଭୋକେଟ କପିଲ ସିବଲ କୋର୍ଟଙ୍କୁ ଦେଶଦ୍ରୋହ ଆଇନ ଉପରେ ତୁରନ୍ତ ରୋକ୍ ଲଗାଇବା ଆବଶ୍ୟକ ବୋଲି ଦାବି କରିଛନ୍ତି।
ଗତକାଲି ମଧ୍ୟ ଏହି ମାମଲାରେ ଶୁଣାଣି ହୋଇଥିଲା। ଦେଶରେ ଲାଗୁ ହେଉଥିବା ଦେଶଦ୍ରୋହ ଆଇନ ଉପରେ ନିଜର ମତ ସ୍ପଷ୍ଟ କରିବାକୁ ବୁଧବାର ଯାଏ କେନ୍ଦ୍ର ସରକାରଙ୍କୁ ସମୟ ଦେଇଥିଲେ ସୁପ୍ରିମକୋର୍ଟ। ଏହା ପୂର୍ବରୁ ଆଇନର ସମୀକ୍ଷା ପାଇଁ ଅଧିକ ସମୟ ଓ ଆଇନର ଅପବ୍ୟବହାର ବଢ଼ୁଥିବା ଘଟଣାକୁ ନେଇ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନବାଣ ମାରିଥିଲେ। ପ୍ରଧାନ ବିଚାରପତି ରମନ୍ନା କହିଥିଲେ, “ସରକାର କହୁଛନ୍ତି ସେମାନେ ସମୀକ୍ଷା କରୁଛନ୍ତି। କିନ୍ତୁ ଆମେ ଅଯଥା କାମ କରିପାରିବୁ ନାହିଁ। ଆମେ ଯେମିତି ହେଲେ ବି କେତେ ସମୟ ଦିଆଯିବ, ତା’ର ନିଷ୍ପତ୍ତି ନେବୁ।
ସୂଚନା ମୁତାବକ, ସୁପ୍ରିମକୋର୍ଟର ତିନି ଜଣିଆ ଖଣ୍ଡପୀଠ ଏହି ଦେଶଦ୍ରୋହ ଆଇନ ଉପରେ ଶୁଣାଣି କରୁଛନ୍ତି। ଏହି ଖଣ୍ଡପୀଠରେ ପ୍ରଧାନ ବିଚାରପତି ଏନ୍ଭି ରମନ୍ନା, ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ହିମା କୋହଲି ସାମିଲ ଅଛନ୍ତି।