ବିଜେଡି-ବିଜେପିର ପରସ୍ପର ଟେକା-ଟେକି ରାଜନୀତି

(ସତ୍ୟପାଠ ବ୍ୟୁରୋ) ଭୁନନେଶ୍ବର: କହିଁପେ ନିଗାହେଁ, କହିଁପେ ନିଶାନା । ବିଜେଡି-ବିଜେପି ପରସ୍ପର ଟେକା-ଟେକି । ନବୀନଙ୍କୁ ତୁଷ୍ଟିକରଣ ପାଇଁ ବିଜେପିର ପ୍ରଶଂସା ବର୍ଷା । ସ୍ବାସ୍ବ୍ୟସେବା କ୍ଷେତ୍ରରେ ଓଡ଼ିଶା ଉତ୍ତମ ପ୍ରଦର୍ଶନ ଓ ଅଭିନବ ପଦକ୍ଷେପ ଗ୍ରହଣ କରୁଛି । ଗୁଜରାଟର ଗାନ୍ଧିନଗରରେ ଆୟୋଜିତ ଷଷ୍ଠ ଜାତୀୟ ସମ୍ମିଳନୀରେ ଏଭଳି କିଛି ପ୍ରଶଂସା କରିଛନ୍ତି ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ଏବଂ ମୋ ସରକାର କାର୍ଯ୍ୟକ୍ରମ ଦ୍ବାରା ସ୍ବାସ୍ଥ୍ୟ କ୍ଷେତ୍ରରେ କରାଯାଉଥିବା କାର୍ଯ୍ୟକ୍ରମକୁ ସାବାସି ଜଣାଯାଇଛି । ସାରା ଦେଶକୁ ସବୁ କ୍ଷେତ୍ରରେ ଗୁଜରାଟର ମଡେଲ ଦେଖାଉଥିବା ବିଜେପି ସରକାର ଏବେ ଓଡ଼ିଶା ମଡେଲକୁ ଅନୁକରଣ କରିବାକୁ କହୁଛନ୍ତି । ଏହା ପଛରେ ଅନେକ ଭିତିରି କଥା ରହିଥିବା ଚର୍ଚ୍ଚା ହେଉଛି ।

ଆୟୁଷ୍ମାନ ଯୋଜନାରେ ଓଡ଼ିଶା ସାମିଲ ହୋଇନଥିବାରୁ ନିର୍ବାଚନ ପୂର୍ବରୁ ନିଜେ ପ୍ରଧାନମନ୍ତ୍ରୀ, ବିଜେପି ଅଧ୍ୟକ୍ଷ ଅମିତ ଶାହ ବିଜେଡିକୁ ଏବଂ ନବୀନ ବାବୁଙ୍କୁ ସମାଲୋଚନା କରୁଥିଲେ । ଏବେ କେନ୍ଦ୍ର ସରକାରଙ୍କ ଦ୍ବାରା ଓଡ଼ିଶାର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାକୁ ଏକ ମଡେଲ ଭାବେ ନେବାକୁ କୁହାଯିବା ସୁଚାଉଛି ଯେ କହିଁପେ ନିଗାହେଁ, କହିଁପେ ନିଶାନା । ଅର୍ଥାତ ନଜର କେଉଁଠି କିନ୍ତୁ ଉଦ୍ଦେଶ୍ୟ ଅନ୍ୟ କେଉଁଠି । କାରଣ ଆଗକୁ କେନ୍ଦ୍ର ସରକାରଙ୍କ ଦ୍ବାରା ବହୁ ବିଲ୍ ଆସିବାକୁ ଯୋଜନା ରହିଛି । ରାଜ୍ୟସଭାରେ ମୋଦି ସରକାରଙ୍କୁ ସମର୍ଥନ ଆବଶ୍ୟକ । ତେଣୁ ତେମେ ଆମକୁ ସହଯୋଗ କର, ଆମେ ତମକୁ ଟେକିବୁ ନ୍ୟାୟରେ ଗୁଜରାଟରେ ଏଭଳି ପ୍ରଶଂସା କରାଯାଇଛି । ଏକଥା ସତ୍ୟପାଠ ଜରିଆରେ ଏଇଥିପାଇଁ କୁହାଯାଉଛି, କାରଣ ଓଡ଼ିଶାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ବାସ୍ତବ ସ୍ଥିତି କିଛି ଅଲଗା କହୁଛି ।

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରରେ 70 ଲକ୍ଷ ଲୋକଙ୍କୁ ଯେକୌଣସି ଘରୋଇ ହସ୍ପିଟାଲରେ ମାଗଣା ଚିକିତ୍ସା ଯୋଗାଇବାକୁ ରାଜ୍ୟ ସରକାର ଘୋଷଣା କରିଥିଲେ  । ଏପରିକି ପୁରୁଷଙ୍କ ପାଇଁ 5 ଲକ୍ଷ ଏବଂ ମହିଳାଙ୍କ ପାଇଁ 7 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ମିଳିବ ବୋଲି ଘୋଷଣା ହୋଇଥିଲା । ହେଲେ ଏହି ଯୋଜନା ଲାଗୁ ହେବାର 15 ମାସ ପରେ ବି ଏହାର ସୁଫଳ ପାଇପାରି ନାହାନ୍ତି ରାଜ୍ୟବାସୀ । ଖାସ୍‌ କରି ଗରିବ ଲୋକ, ଯାହାଙ୍କ ପାଇଁ ଏହି ଯୋଜନା ପ୍ରାଜୁର୍ଯ୍ୟ । ଘରୋଇ ହସ୍ପିଟାଲଗୁଡ଼ିକ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ରୋଗୀଙ୍କୁ ସେବା ଯୋଗାଉନାହାନ୍ତି । କାରଣ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ପାଇଁ ସରକାର ଘରୋଇ ହସ୍ପିଟାଲକୁ ଟଙ୍କା ଦେଉନାହାନ୍ତି । ଯୋଜନା ଆରମ୍ଭରୁ କିଛି ମାତ୍ରାରେ ଘରୋଇ ହସ୍ପିଟାଲ ଏହାକୁ ଲାଗୁ କରିଥିଲେ ବି ସରକାର ଟଙ୍କା ନଦେବାରୁ ଏହି ସୁବିଧାରୁ ବଞ୍ଚିତ ରହୁଛନ୍ତି ଗରିବ ରୋଗୀ । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ରାଜ୍ୟରେ ମୋଟ 208ଟି ଘରୋଇ ହସ୍ପିଟାଲ ସହ ରାଜ୍ୟ ସରକାର ଅନୁବନ୍ଧିତ ହୋଇଥିଲେ । ହେଲେ ଏବେ 200ରୁ ଅଧିକ ଘରୋଇ ହସ୍ପିଟାଲ ଉପରେ ପ୍ରାୟ 35 କୋଟି ଟଙ୍କା ବକେୟା ପଡ଼ିଛି । ଯାହା ସରକାର ଏଯାବତ ଦେଲେ ନାହିଁ । ଆଉ ସ୍ବାସ୍ଥ୍ୟ ବିଭାଗ ବି ଏନେଇ ତତ୍ପରତା ଦେଖାଉନାହିଁ । ଏନେଇ ଜାତୀୟ ସ୍ବାସ୍ଥ୍ୟ ମିଶନର ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତଙ୍କୁ ବାରମ୍ବାର ଚିଠି ଲେଖିଥିଲେ ବି କିଛି ଉତ୍ତର ମିଳିନଥିବା ଅଭିଯୋଗ କରିଛନ୍ତି ଘରୋଇ ହସ୍ପିଟାଲ କର୍ତ୍ତୃପକ୍ଷ ।

ଅନ୍ୟପଟେ ଗତ ରବିବାର ଗାନ୍ଧିନଗର ସମ୍ମିଳନୀରେ ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାକୁ ଟେକି ଆକାଶରେ ଲଗେଇ ଦେଇଛନ୍ତି । ତାଙ୍କ କହିବା କଥା ଜାତୀୟ ସ୍ବାସ୍ଥ୍ୟ ନୀତି 2017 ଅନୁଯାୟୀ ନିରନ୍ତର ବିକାଶ ଲକ୍ଷ୍ୟ ହାସଲ ପାଇଁ ଓଡ଼ିଶାରେ ମାନବ ସମ୍ବଳ ଭିତ୍ତିଭୂମି ଭଳି ଅନେକ ମୁକାବିଲା ପାଇଁ ସରକାର ଆର୍ଥିକ ପ୍ରୋତ୍ସାହନ ବ୍ୟବସ୍ଥା କରିଛନ୍ତି । ଆନୁଷ୍ଠାନିକ ପ୍ରସବ ହାର ବୃଦ୍ଧି, ବାଇକ ଓ ବୋଟ ଆମ୍ବୁଲାନ୍ସ ଭ୍ରମ୍ୟମାଣ ପ୍ରସୂତି ଯାନଠାରୁ ଆରମ୍ଭ କରି ପ୍ରସୂତି ଗୃହ ଯାତାୟାତ ଖର୍ଚ୍ଚ ଆଦି ପଦକ୍ଷେପ ଗ୍ରହଣ କରାଯାଇଛି । ଲୋକଙ୍କୁ ଘରୋଇ ଚିକିତ୍ସାଳୟରେ ଉନ୍ନତ ସେବା ଯୋଗାଇବାକୁ 197ଟି ଘରୋଇ ହସ୍ପିଟାଲ ସହିତରାଜ୍ୟ ସରକାର ଅନୁବନ୍ଧିତ ହୋଇଛନ୍ତି । ସରକାରୀ ସ୍ବାସ୍ଥ୍ୟ କେନ୍ଦ୍ରରେ ମାଗଣାରେ ରୋଗ ନିରୂପଣ, ଜଟିଳ ରେଗର ଚିକିତ୍ସା, ଓ ବିନାମୂଲ୍ୟରେ ଔଷଧ ଯୋଗାଣ, ଡାଏଲିସିସ, କେମୋଥେରାପି ବ୍ୟବସ୍ଥା ହୋଇଛି । 70 ଲକ୍ଷ ପରିବାରକୁ ବିଏସ୍‌କେୱାଇ ଯୋଜନାରେ ସାମିଲ କରାଯାଇଛି । ‘ମୋସରକାର’ ଯୋଜନାରେ ରୋଗୀଙ୍କ ମତାମତ ନିଆଯାଇ ସ୍ବାସ୍ଥ୍ୟସେବାକୁ ସଜଡ଼ା ଯାଉଥିବା ପଣ୍ଡିତ କହିଛନ୍ତି ।

ପୂର୍ବରୁ ବିଜୁ କୃଷକ କଲ୍ୟଶଣ ଯୋଜନା ଏବଂ ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ବୀମା ଯୋଜନାରେ 40ରୁ 50 କୋଟି ଟଙ୍କା ବାକି ପଡ଼ିଛି । ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ବୀମା ଯୋଜନା 2018 ଡିସେମ୍ବରରୁ ବନ୍ଦ ହୋଇଥିଲେ ବି ଓଡ଼ିଶା ସରକାର ଏବାବଦୁ 25 କୋଟି ଟଙ୍କା ଏଯାଏ ଦେଇନାହାନ୍ତି । ଏଭଳି ସ୍ଥିତିରେ ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଓଡ଼ିଶା ସରକାର ଏବଂ ତାଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାକୁ ପ୍ରଶଂସା କରିବା କିଛି ଅଲଗା ଉଦ୍ଦେଶ୍ୟ ଥିବା ଦର୍ଶାଉଛି ବୋଲି କୁହାଯାଉଛି ।

Related Posts