ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବାତ୍ୟା ମୋନ୍ଥା ପାଇଁ ୧୦୮ର ଆମ୍ବୁଲାନ୍ସ ସେବା ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଥିବାର ଦେଖିବାକୁ ମିଳିଛି । ତେବେ ୧୦୮ କଲ୍ ସେଣ୍ଟରକୁ ବ୍ୟାକ୍ଅପ୍ ପାୱାର୍, ଇଣ୍ଟରନେଟ୍ ଓ ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରାଯାଇଛି। ଯାହାଦ୍ୱାରା କଣ୍ଟ୍ରୋଲ୍ ଓ ଡିସପାଚ୍ ସେଣ୍ଟରରୁ ନିରବଚ୍ଛିନ୍ନ ଜରୁରିକାଳୀନ ସେବା ଯୋଗାଇ ମିଳିପାରିବ।
ଜରୁରିକାଳୀନ କଲ୍ ସଂଖ୍ୟାରେ ସମ୍ଭାବ୍ୟ ବୃଦ୍ଧି ଓ କୌଣସି କଲ୍ ଯେପରି ହାତଛଡ଼ା ନ ହୁଏ, ସେଥିପାଇଁ ଅତିରିକ୍ତ କର୍ମଚାରୀ ନିୟୋଜିତ କରାଯାଇଥିବା ୧୦୮ ଆମ୍ବୁଲାନ୍ସ ପରିଚାଳନା ସଂସ୍ଥା ଏମ୍ରି ଗ୍ରିନ୍ ପକ୍ଷରୁ ସୂଚନା ଦିଆଯାଇଛି। ସେପଟେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କଳାହାଣ୍ଡି, କନ୍ଧମାଳ ଓ ନବରଙ୍ଗପୁରର କିଛି ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହାକୁ ନଜରରେ ରଖି ଜିଲ୍ଲା ସଂଯୋଜକଙ୍କୁ ଜିଲ୍ଲା ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ, ସ୍ଥାନୀୟ ପ୍ରଶାସନ ଓ ପୁଲିସ ଅଧିକାରୀଙ୍କ ସହ ସମନ୍ୱୟ ରକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି।





