ନିରବ ଅବଧିକୁ ପାଳନ କରୁନାହାନ୍ତି ବିଜେପି ନେତା; ଏନେଇ ECI ନିକଟରେ ଅଭିଯୋଗ କଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ନୂଆପଡ଼ା ବିଧାନସଭା ନିର୍ବାଚନକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା। ଏହା ମଧ୍ୟରେ ରାଜ୍ୟରେ ବିଜେପି ସରକାର ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିରବ ଅବଧି ସମୟରେ ନୂଆପଡ଼ାରେ ନିୟମର ଉଲ୍ଲଂଘନ ହୋଇଥିବା ନବୀନ କହିଛନ୍ତି। ତେବେ ଭାରତୀୟ ନିର୍ବାଚନ ଆୟୋଗଙ୍କ ଗାଇଡଲାଇନ ଅନୁସାରେ ନିରବ ଅବଧି ଆରମ୍ଭ ହେବା ମାତ୍ରେ ରାଜନୈତିକ ନେତା ଓ କର୍ମୀଙ୍କୁ ନିର୍ବାଚନ କ୍ଷେତ୍ର ଛାଡ଼ିବା ବାଧ୍ୟତାମୂଳକ। କିନ୍ତୁ ମୋ ପାଖରେ ଥିବା ସୂଚନା ଅନୁସାରେ, ନୂଆପଡ଼ାରେ ବିଜେପିର ବାହାର ଅଞ୍ଚଳର ନେତା ଓ କାର୍ଯ୍ୟକର୍ତ୍ତା ଖୋଲାଖୋଲି ବୁଲୁଛନ୍ତି। ବେଆଇନ ଭାବେ ମତଦାତାଙ୍କୁ ପ୍ରଭାବିତ କରିବାକୁ ଉଦ୍ୟମ କରୁଛନ୍ତି। ଏହା ନିଶ୍ଚିତ ଭାବେ ଚିନ୍ତାର ବିଷୟ। ଯେବେ ବିଜେଡିର ନେତାମାନେ ବିଜେପି ନେତା-କର୍ମୀଙ୍କ ଗତିବିଧି ଉପରେ ଆପତ୍ତି ଉଠାଇଲେ ପୋଲିସ ସେମାନଙ୍କୁ ଅଟକ ରଖିଛି। ଏଥିରୁ ସ୍ପଷ୍ଟ ଭାବେ ଜଣା ପଡ଼ିଛି ଯେ, ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ପୋଲିସ ସରକାରୀ ଦଳ ପକ୍ଷରୁ କାମ କରୁଛନ୍ତି।

ନିର୍ବାଚନରେ ନିରପେକ୍ଷତା ବଜାୟ ରଖିବା ପରିବର୍ତ୍ତେ କ୍ଷମତାସୀନ ପାର୍ଟିର ହିତସାଧନ କରୁଛନ୍ତି।ଏହା ଗଣତନ୍ତ୍ରର ନିରପେକ୍ଷତାକୁ ଆଘାତ ଦେଉଛି ଏବଂ ନିର୍ବାଚନ ପ୍ରକ୍ରିୟାରେ ଜନତାଙ୍କୁ ବିଶ୍ଵାସକୁ କମ କରୁଛି। ଯଦି ଏମିତି ଗତିବିଧି ଜାରି ରହେ ତେବେ ନୂଆପଡ଼ାରେ ନିର୍ବାଚନର ନିରପେକ୍ଷତା ଉପରେ ଗମ୍ଭୀର ପ୍ରଭାବ ପଡ଼ିବ। ଏଥିପାଇଁ ଆମେ ନିର୍ବାଚନ ଆୟୋଗଙ୍କୁ ଏଥିରେ ତତ୍କାଳ ହସ୍ତକ୍ଷେପ କରିବାକୁ ଅନୁରୋଧ କରୁଛୁ। ୪୮ ଘଣ୍ଟାର ମଉନ ଅବଧିକୁ କଡ଼ାକଡ଼ି ଲାଗୁ କରାଯାଉ। ନିର୍ବାଚନ କମିଶନର ନିୟମ ଅନୁଯାୟୀ ସମସ୍ତ ଅଣ-ସ୍ଥାନୀୟ ରାଜନୈତିକ ନେତାମାନେ ନିର୍ବାଚନମଣ୍ଡଳୀ ଛାଡିବା ନିଶ୍ଚିତ କରନ୍ତୁ। ଜିଲ୍ଲା ପ୍ରଶାସନ ଏବଂ ପୋଲିସକୁ ନିରପେକ୍ଷ ଭାବରେ କାର୍ଯ୍ୟ କରିବାକୁ ଏବଂ ନିର୍ବାଚନ ପ୍ରକ୍ରିୟାର ପବିତ୍ରତା ବଜାୟ ରଖିବାକୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ନବୀନ କହିଛନ୍ତି ।

Related Posts