୨୭ରୁ ବିଧାନସଭାର ଶୀତକାଳୀନ ଅଧିବେଶନ, ଗୃହକୁ ସମ୍ବୋଧନ କରିବେ ରାଷ୍ଟ୍ରପତି

ଭୁବନେଶ୍ୱର: ଚଳିତ ମାସ ୨୭ ତାରିଖରୁ ଆରମ୍ଭ ହେବ ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ। ତେବେ ଏହି ଅଧିବେଶନର ପ୍ରଥନ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୃହକୁ ସମ୍ବୋଧନ କରିବେ। ଗୃହରେ ରାଷ୍ଟ୍ରପତି ସମ୍ବୋଧନ କରିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଇଥିଲା ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି।

ସେହିପରି ପରଦିନ ଅର୍ଥାତ ୨୮ରେ ଗୃହରେ ସରକାର ପ୍ରଥମ ଅତିରିକ୍ତ ବଜେଟ ଆଗତ କରିବେ। ଅର୍ଥ ବିଭାଗର ମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ଗୃହରେ ଉପସ୍ଥାପିତ କରିବେ। ଏହା ଉପରେ ଡିସେମ୍ବର ୪ ରୁ ୬ ତାରିଖ ପର୍ଯ୍ୟନ୍ତ ଆଲୋଚନା ହେବ । ୮ ତାରିଖରେ ଏ ସଂପର୍କିତ ବ୍ୟୟମଞ୍ଜୁରୀ ବିଲ୍‌ ଗୃହରେ ଆଗତ ହେବ।

ଏଠାରେ କହି ରଖୁ କି ନଭେମ୍ବର ଶେଷ ଆଡ଼କୁ ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତରେ ଆସିପାରନ୍ତି। ଏହି ସମୟରେ ରାଷ୍ଟ୍ରପତି ରାଜ୍ୟ ବିଧାନସଭାର ଅନୁରୋଧକୁ ରକ୍ଷା କରିପାରନ୍ତି। ଏହା ହେଲେ ସମ୍ପୂର୍ଣ୍ଣ ବିଧାନସଭା ଇତିହାସରେ ଏହା ପ୍ରଥମ ହେବ ବୋଲି ଆଲୋଚନା ହେଉଛି।

ନୂଆପଡ଼ା ଉପ ନିର୍ବାଚନ ପରେ ଏହା ପ୍ରଥମ ଅଧିବେଶନ ହେବାକୁ ଯାଉଛି। ଏହା ସ୍ୱଳ୍ପକାଳୀନ ଅଧିବେଶନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି। ଉଭୟ ରାଜନୀତିକ ଓ ସରକାରୀ କାର୍ଯ୍ୟକ୍ରମରେ ସମ୍ପୂର୍ଣ୍ଣ ଅଧିବେଶନ ସନ୍ନିବସିତ ହେବ।

ଅପରପକ୍ଷେ ଗତ ବିଧାନସଭାରେ ବିରୋଧୀ ଦଳର ବିଧାୟକମାନେ ବାରମ୍ବର ତମ୍ବୀ ତୋଫାନ କରି ଗୃହ କାର୍ଯ୍ୟରେ ଅଚଳାବସ୍ଥା ସୃଷ୍ଟି କରୁଥିବାର ନଜର ଆସିଥିଲା। ଏଥର ନିର୍ବାଚନ ପରବର୍ତ୍ତୀ ସମୟରେ ଏ ବିଷୟ ପୁଣି ଉଠିପାରେ ବୋଲି କୁହାଯାଉଛି ।

Related Posts