ଦିଲ୍ଲୀ ବିସ୍ଫୋରଣ; ବଢ଼ିଚାଲିଛି ମୃତ୍ୟୁ ସଂଖ୍ୟା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦିଲ୍ଲୀ କାର୍ ବିସ୍ଫୋରଣକୁ ନେଇ ସାରା ଦେଶରେ ଚର୍ଚ୍ଚା ବଢ଼ିଚାଲିଛି । ଏହା ମଧ୍ୟରେ ଦିଲ୍ଲୀ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି । ତେବେ ଘଟଣାରେ ୨୮ ଜଣ ଆହତ ହୋଇଛନ୍ତି । ଧାରା ୧୬, ୧୮, ୟୁଏପିଏ ଆକ୍ଟ ତଥା ଆତଙ୍କବାଦୀ ବିରୋଧୀ ମାମଲା ରୁଜୁ କଲା ଦିଲ୍ଲୀ ପୁଲିସ । କୋଟୱାଲି ପୁଲିସ ଷ୍ଟେସନରେ ରୁଜୁ ହେଲା ମାମଲା । ଏନଆଇଏକୁ ମାମଲାର ତଦନ୍ତ ଭାର ଦିଆଯାଇଛି । ଲାଲକିଲ୍ଲା ମେଟ୍ରୋ ଷ୍ଟେସନ୍‌ ଗେଟ୍‌ ନମ୍ୱର-୧ ନିକଟରେ ଏହି ବିସ୍ଫୋରଣ ଘଟିଛି । ସୂଚନା ଅନୁସାରେ, ସନ୍ଧ୍ୟା ୬ଟା ୫୨ ନିକଟରେ ହରିୟାଣା ନମ୍ୱର ପ୍ଲେଟ୍ ବିଶିଷ୍ଟ ଏକ ଧଳା ରଙ୍ଗର ଆଇ-ଟ୍ୱେଣ୍ଟି କାର୍ ଧୀରେ ଧୀରେ ଆସି ରେଡ୍ ଲାଇଟ୍ ନିକଟରେ ଅଟକିଥିଲା । ଏହାପରେ ସେଥିରେ ବଡ଼ ଧରଣର ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ, ଆଖପାଖରେ ଥିବା ବହୁ ଯାନବାହନ କ୍ଷତିଗ୍ରସ୍ତ ହୋଇଛି । ବହୁ ଦୂର ଯାଏଁ ଏହାର ଶବ୍ଦ ଶୁଣାଯିବା ସହ ମେଟ୍ରୋ ଷ୍ଟେସନ ମଧ୍ୟ ଥରି ଉଠିଥିଲା ।ଏହାପରେ ସାମ୍ନାକୁ ଆସିଥିଲା ଘଟଣାସ୍ଥଳର ଛାତିଥରା ଚିତ୍ର । ଖଣ୍ଡବିଖଣ୍ଡିତ ମୃତଦେହ ଗୁଡ଼ିକ ଏଣେ ତେଣେ ବିଛାଡ଼ି ହୋଇପଡ଼ିଥିବା ଦେଖିବାକୁ ମିଳିଥିଲା । ବହୁ ମୃତକଙ୍କ ପରିଚୟ ମଧ୍ୟ ମିଳିପାରୁନାହିଁ ।

ଦିଲ୍ଲୀ ପୁଲିସର କ୍ରାଇମବ୍ରାଞ୍ଚ୍, ସ୍ପେଶାଲ୍ ସେଲ୍, ଏନ୍‌ଆଇଏ, ଏନ୍‌ଏସ୍‌ଜି ଏବଂ ଫରେନ୍‌ସିକ ଟିମ୍‌ ଘଟଣାର ତଦନ୍ତ କରୁଛନ୍ତି । ସେପଟେ ଆକ୍ରମଣ ପଛରେ ଆତଙ୍କବାଦୀଙ୍କ ହାତ ଥିବା ନେଇ ସନ୍ଦେହ ପ୍ରକାଶ କରିଛନ୍ତି ପ୍ରତିରକ୍ଷା ବିଶେଷଜ୍ଞ ଅନୀଲ ଗୌର । ଏହା ପୂର୍ବରୁ ହରିଆଣାରୁ ୨୯୦୦ କେଜି ବୋମା ପ୍ରସ୍ତୁତକାରୀ କେମିକାଲ ଜବତ ହୋଇଥିଲା । ଆକ୍ରମଣ ପଛରେ ପାକିସ୍ତାନର ଗୁପ୍ତଚରୀ ସଂସ୍ଥା ଆଇଏସଆଇର ହାତ ଥାଇପାରେ ବୋଲି ସେ କହିଛନ୍ତି ।

Related Posts