ନୂଆଦିଲ୍ଲୀ: ମଙ୍ଗଳବାର ଦିନ ବିହାରରେ ପ୍ରକାଶିତ ଏକଜିଟ୍ ପୋଲରେ ନୀତିଶ କୁମାରଙ୍କ ନେତୃତ୍ୱାଧୀନ କ୍ଷମତାସୀନ ଏନଡିଏର ସ୍ପଷ୍ଟ ବିଜୟ ହେବ ବୋଲି ପୂର୍ବାନୁମାନ କରାଯାଇଥିବା ବେଳେ ମେଣ୍ଟ ନେତାମାନେ ଏହାକୁ ଜନସାଧାରଣଙ୍କ ବିଶ୍ୱାସର ବିଜୟ ବୋଲି କହିଛନ୍ତି। ବିରୋଧୀ ‘ଇଣ୍ଡିଆ’ ମେଣ୍ଟ କହିଛି ଯେ ଏହି ଭବିଷ୍ୟବାଣୀ ବାସ୍ତବତାଠାରୁ ବହୁ ଦୂରରେ। ବିଭିନ୍ନ ସଂଗଠନ ଦ୍ୱାରା କରାଯାଇଥିବା ଏକଜିଟ୍ ପୋଲରେ ଏନଡିଏ ସରକାର ଗଠନ ହେବାର ପୂର୍ବାନୁମାନ କରାଯାଇଛି। ଯେତେବେଳେ ବିରୋଧୀ ମହାମେଣ୍ଟର ପ୍ରଦର୍ଶନକୁ ଦୁର୍ବଳ ଏବଂ ପୂର୍ବତନ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କ ଦଳ ଜନ ସୂରଜ ପାର୍ଟିର ପ୍ରଦର୍ଶନକୁ ନିରାଶାଜନକ ବୋଲି କୁହାଯାଇଛି।
ରାଜ୍ୟ ମନ୍ତ୍ରୀ ଏବଂ ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା (HAM) ନେତା ସନ୍ତୋଷ ସୁମନ କହିଛନ୍ତି, “NDA ବିପୁଳ ବହୁମତ ସହିତ ସରକାର ଗଠନ କରିବାକୁ ଯାଉଛି। ଆମେ ଜିତିବା ଆସନ ସଂଖ୍ୟା ଏକଜିଟ୍ ପୋଲ ଆକଳନ ଅପେକ୍ଷା ବହୁତ ଅଧିକ ହେବ।” ବିଭିନ୍ନ ଏକଜିଟ୍ ପୋଲ ଅନୁସାରେ, NDA ବିହାରରେ ସରକାର ଗଠନ କରୁଥିବା ଜଣାପଡ଼ିଛି।
ଏକଜିଟ ପୋଲର ଆକଳନ
ମାଟ୍ରିକ୍ସ ଏକଜିଟ୍ ପୋଲରେ NDA ପାଇଁ ୧୪୭ ରୁ ୧୬୭ ଆସନ ପାଇବ ବୋଲି ଆକଳନ କରାଯାଇଛି। ସେହିପରି ମହାମେଣ୍ଟ ପାଇଁ ୭୦ ରୁ ୯୦ ଆସନ ଏବଂ ଜନ ସୂରଜ ପାଇଁ ୦ ରୁ ୨ ଆସନ ରହିବ ବୋଲି ପୂର୍ବାନୁମାନ କରାଯାଇଛି।
ସେହିପରି ବୁଥ ବାହୁଡା ମତରେ ଦୈନିକ ଭାସ୍କର ୧୪୫ରୁ ୧୬୦ଟି ଆସନ ଏନଡିଏ ପାଇବ ବୋଲି ଆକଳନ କରିଛି। ମହାମେଣ୍ଟକୁ ୭୩ ରୁ ୯୧ଟି ଆସନ ଦେଇଛି ଦୈନିକ ଭାସ୍କର। ପିପଲ୍ସ ଇନସାଇଟ୍ ଏନଡିଏ ୧୩୩ ରୁ ୧୪୮ଟି ଆସନରେ ବିଜୟ ଲାଭ କରିବ ବୋଲି ପୂର୍ବାନୁମାନ କରିଛି। ଇଣ୍ଡିଆ ମେଣ୍ଟ ୭୫ରୁ ୧୦୧ଟି ଓ ଜନ ସୁରଜ ସର୍ବାଧିକ ୫ଟି ଆସନରେ ବିଜୟ ହାସଲ କରିବ ବୋଲି ପୂର୍ବାନୁମାନ କରାଯାଇଛି। ପିପୁଲ୍ସ ପଲ୍ସ ଏକଜିଟ୍ ପୋଲରେ, ଏନଡିଏ ୧୩୩ ରୁ ୧୫୯ ଆସନ, ଇଣ୍ଡିଆ ଆଲାଏନ୍ସ ୭୫ ରୁ ୧୦୧ ଆସନ ଏବଂ ଜନ ସୂରଜ ୦ ରୁ ୫ ଆସନ ପାଇବାର ଆଶା କରାଯାଉଛି।
ଜେଭିସି ଏନଡିଏ ପାଇଁ ୧୩୫ ରୁ ୧୫୦ ଆସନ ଏବଂ ମହାମେଣ୍ଟ୍ ପାଇଁ ୮୮ ରୁ ୧୦୩ ଆସନ ପୂର୍ବାନୁମାନ କରିଛି। Polstrat ଏନଡିଏଏ ପାଇଁ ୧୩୩ ରୁ ୧୪୮ ଆସନ ଏବଂ ମହାମେଣ୍ଟ ପାଇଁ ୮୭ ରୁ ୧୦୨ ଆସନ ପୂର୍ବାନୁମାନ କରିଛି। ଚାଣକ୍ୟ ରଣନୀତି ଅନୁସାରେ, ଏନଡିଏ ୧୩୦ ରୁ ୧୩୮ ଆସନ, ମହାମେଣ୍ଟ ୧୦୦ ରୁ ୧୦୮ ଆସନ ଏବଂ ଜନ ସୂରଜ କୌଣସି ଆସନ ଜିତିବ ନାହିଁ ବୋଲି ପୂର୍ବାନୁମାନ କରିଛି। P-Mark ଏନଡିଏ ପାଇଁ ୧୪୨ ରୁ ୧୬୨ ଆସନ, ମହାମେଣ୍ଟ ପାଇଁ ୮୦ ରୁ ୯୮ ଆସନ ଏବଂ ଜନ ସୂରଜ ପାଇଁ ୧ ରୁ ୪ ଆସନ ପୂର୍ବାନୁମାନ କରିଛି।
ମୋଟା ମୋଟି ଭାବରେ ଦେଖିବାକୁ ଗଲେ ଅଧିକାଂଶ ଏକଜିଟ୍ ପୋଲ NDA ପାଇଁ ସ୍ପଷ୍ଟ ବହୁମତ ଏବଂ ବିରୋଧୀ ମେଣ୍ଟ ପାଇଁ ଅପେକ୍ଷାକୃତ ଦୁର୍ବଳ ପ୍ରଦର୍ଶନ ପୂର୍ବାନୁମାନ କରିଛନ୍ତି। ୨୪୩ ସଦସ୍ୟ ବିଶିଷ୍ଟ ବିଧାନସଭାରେ ବହୁମତ ପାଇଁ ୧୨୨ ଆସନ ଆବଶ୍ୟକ।
ଏକଜିଟ ପୋଲ ଏକଜାଟ ପୋଲ ନୁହେଁ: ମହାମେଣ୍ଟ
ରାଷ୍ଟ୍ରୀୟ ଜନତା ଦଳ (RJD) ନେତା ଏବଂ ବକ୍ସର ସାଂସଦ ସୁଧାକର ସିଂହ କହିଛନ୍ତି ଉଚ୍ଚ ଭୋଟରଙ୍କ ମତଦାନ ସର୍ବଦା ଶାସକ ଦଳ ବିରୁଦ୍ଧରେ ଏକ ଜନାଦେଶକୁ ସୂଚିତ କରେ। ଆମକୁ ଚୂଡ଼ାନ୍ତ ଫଳାଫଳ ପାଇଁ ଅପେକ୍ଷା କରିବା ଉଚିତ। ମୁଁ ନିଶ୍ଚିତ ଯେ ‘ମହାଗଠବନ୍ଧନ’ ସହଜରେ ସରକାର ଗଠନ କରିବ। ଏହି ଏକଜିଟ୍ ପୋଲଗୁଡ଼ିକ ବାସ୍ତବତାଠାରୁ ବହୁତ ଦୂରରେ।” ସେ ଅଭିଯୋଗ କରିଛନ୍ତି ଯେ ଏହି ସର୍ଭେଗୁଡ଼ିକ ଶାସକ ଦଳଗୁଡ଼ିକ ସପକ୍ଷରେ ଏକ ଜନସମ୍ପର୍କ କସରତ କରୁଛନ୍ତି।
