‘ଡାଲମିଆ ସିମେଣ୍ଟ କମ୍ପାନୀ ଦ୍ବାରା ବଳପୂର୍ବକ ଆଦିବାସୀଙ୍କ ଜମି ଅଧିଗ୍ରହଣ ଅନ୍ୟାୟ ଏବଂ ସମ୍ବିଧାନ ବିରୋଧୀ’; ଜନ ଆନ୍ଦୋଳନ ରାଷ୍ଟ୍ରୀୟ ସମନ୍ୱୟ ସମିତି, ଓଡ଼ିଶା

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ),୧୯/୧୨/୨୫: ଡାଲମିଆ ସିମେଣ୍ଟ କମ୍ପାନୀ ଦ୍ୱାରା ଜମି ଅଧିଗ୍ରହଣକୁ ନେଇ ଲାଞ୍ଜିବେର୍ଣ୍ଣା-ରାଜଗାଙ୍ଗପୁର ଅଞ୍ଚଳରେ ଆଦିବାସୀ ସମ୍ପ୍ରଦାୟର ପ୍ରତିବାଦ ତୀବ୍ରତର ହୋଇଛି। ଏହା ସମସ୍ତ ଗଣତାନ୍ତ୍ରିକ ରୀତିନୀତି ଓ ସାମ୍ବିଧାନିକ ଅଧିକାର ଉଲଂଘନ ବୋଲି ଜନ ଆନ୍ଦୋଳନ ମାନଙ୍କର ରାଷ୍ଟ୍ରୀୟ ସମନ୍ୱୟ (ଏନ୍.ଏ.ପି.ଏମ୍) ପକ୍ଷରୁ ଅଭିଯୋଗ କରାଯାଇଛି।

ସ୍ଥାନୀୟ ଆଦିବାସୀମାନଙ୍କ ଅଭିଯୋଗ ଅନୁଯାୟୀ ଏହା ସ୍ପଷ୍ଟ ଯେ ଜମି ଅଧିଗ୍ରହଣ ସଂପର୍କିତ ଆଇନଗତ ପ୍ରକ୍ରିୟା ଅନୁସରଣ ନକରି ସେମାନଙ୍କର ପୈତୃକ ଏବଂ ଜୀବନ ଜୀବିକା ପାଇଁ ଉଦ୍ଦିଷ୍ଟ ଜମିକୁ ବେଆଇନ ଭାବରେ ଦଖଲ କରାଯାଉଛି, ଯାହା ସେମାନଙ୍କ ଅସ୍ତିତ୍ୱ ଏବଂ ଭବିଷ୍ୟତକୁ ବିପଦ ମୁହଁକୁ ଠେଲି ଦେଇଛି। ଡାଲମିଆ ସିମେଣ୍ଟ କମ୍ପାନୀ ଦ୍ଵାରା ଜମି ଅଧିଗ୍ରହଣ ସମୟରେ ଗ୍ରାମସଭାର ଉପଯୁକ୍ତ ସମ୍ମତି ନିଆଯାଇନାହିଁ କିମ୍ବା ଅନୁସୂଚିତ ଅଞ୍ଚଳରେ ଆଦିବାସୀଙ୍କ ଅଧିକାର ସଂପର୍କିତ ବିଭିନ୍ନ ଆଇନ୍ ଏବଂ ଜମି ଅଧିଗ୍ରହଣ ଆଇନ- ୨୦୧୩ କୁ ପାଳନ କରାଯାଉନାହିଁ। ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରା କହିଛନ୍ତି ଯେ ଯଦି କଥିତ ଅବୈଧ ଦଖଲକୁ ତୁରନ୍ତ ବନ୍ଦ କରାନଯାଏ ଏବଂ ଆଦିବାସୀ ମାନଙ୍କ ଦାବି ଶୁଣା ନଯାଏ, ତେବେ ଆନ୍ଦୋଳନ ଆହୁରି ବ୍ୟାପକ ହେବ। ଅବିଳମ୍ବେ ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ତୁରନ୍ତ ବନ୍ଦ କରିବା, ଘଟଣାର ନ୍ୟାୟିକ ତଦନ୍ତ ଏବଂ ଆଦିବାସୀଙ୍କ ସାମ୍ବିଧାନିକ ଓ ଆଇନଗତ ଅଧିକାରର ସୁରକ୍ଷା ପାଇଁ ସେମାନେ ଦାବି କରିଛନ୍ତି।

Related Posts