ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଶ୍ଚିମବଙ୍ଗ ଏବଂ ତାମିଲନାଡୁ ନିର୍ବାଚନକୁ ନେଇ ସାରା ଦେଶର ନଜର ରହିଛି । ତେବେ ନିର୍ବାଚନ କମିସନ ସ୍ପଷ୍ଟ କରିଛନ୍ତି ଯେ ଇଭିଏମ୍ ବଟନ୍ରେ ଅତର, ଅଠା କିମ୍ବା କାଳି ଲଗାଇବା ଏକ ଟାମ୍ପରିଂ ଏବଂ ଏକ ନିର୍ବାଚନୀ ଅପରାଧ । ସମ୍ପ୍ରତି, ଏହା ସାମ୍ନାକୁ ଆସିଛି ଯେ କିଛି ରାଜନୈତିକ କର୍ମୀ ଭୋଟ୍ ସେମାନଙ୍କ ସପକ୍ଷରେ ଦିଆଯାଇଛି କି ନାହିଁ ତାହା ଜାଣିବା ପାଇଁ ଏଭଳି କରିଥାନ୍ତି । ଯଦି କୌଣସି ମତଦାନ କେନ୍ଦ୍ରରେ ଏପରି କାର୍ଯ୍ୟକଳାପ ନଜରକୁ ଆସେ, ତେବେ ସେଠାକାର ପ୍ରିଜାଇଡିଂ ଅଧିକାରୀଙ୍କୁ ତୁରନ୍ତ ସେକ୍ଟର ଅଧିକାରୀ କିମ୍ବା ନିର୍ବାଚନ ଅଧିକାରୀଙ୍କୁ ଏ ବିଷୟରେ ଜଣାଇବାକୁ ପରାମର୍ଶ ଦିଆଯାଇଛି। ସମସ୍ତ ମତଦାନ କେନ୍ଦ୍ରର ପ୍ରିଜାଇଡିଂ ଅଧିକାରୀମାନଙ୍କୁ ଇଭିଏମ୍ରେ ଥିବା ସମସ୍ତ ପ୍ରାର୍ଥୀଙ୍କ ବଟନ ସ୍ପଷ୍ଟ ଭାବରେ ଦୃଶ୍ୟମାନ ହେବା ଏବଂ ଟେପ୍, ଅଠା କିମ୍ବା ଅନ୍ୟ କୌଣସି ପଦାର୍ଥ ମୁକ୍ତ ହେବା ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ବାଲଟ୍ ୟୁନିଟର ବଟନ୍ଗୁଡ଼ିକରେ କୌଣସି ରଙ୍ଗ, କାଳି, ଅତର କିମ୍ବା ରାସାୟନିକ ପଦାର୍ଥ ଲଗାଯାଇପାରିବ ନାହିଁ, କାରଣ ଏହା ଭୋଟ୍ର ଗୋପନୀୟତାକୁ ବିପଦରେ ପକାଇପାରେ। ଯଦି ଏପରି କୌଣସି ଅନିୟମିତତା ଦେଖାଯାଏ, ତେବେ ପ୍ରିଜାଇଡିଂ ଅଧିକାରୀ ତୁରନ୍ତ ଉଚ୍ଚ ଅଧିକାରୀମାନଙ୍କୁ ଜଣାଇବେ। ନିର୍ବାଚନ କମିସନଙ୍କ ଅନୁଯାୟୀ, ଏପରି ସମସ୍ତ ମାମଲା ଇଭିଏମ୍ ଟାମ୍ପରିଂ ଭାବେ ବିବେଚନା କରାଯିବ ବୋଲି କହିଛନ୍ତି ।
