ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପହଲଗାମ ଆକ୍ରମଣର ପ୍ରଥମ ବାର୍ଷିକୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଡ଼ା ବାର୍ତ୍ତା ଦେଇଥିବାର ଦେଖିବାକୁ ମିଳିଛି । ତେବେ ନିର୍ଦ୍ଦୋଷ ଲୋକଙ୍କ ମୃତ୍ୟୁକୁ ଭୁଲି ହେବ ନାହିଁ। ପହଲଗାମ ଆକ୍ରମଣରେ ନିର୍ଦ୍ଦୋଷ ଲୋକଙ୍କୁ ହତ୍ୟା କରାଯାଇଥିଲା। ଆକ୍ରମଣରେ ପ୍ରାଣ ହରାଇଥିବା ଲୋକଙ୍କୁ ଭୁଲିହେବ ନାହିଁ। ଆତଙ୍କବାଦୀଙ୍କ ଘୃଣ୍ୟ ଯୋଜନା କେବେ ସଫଳ ହେବ ନାହିଁ। ଭାରତ କୌଣସି ପ୍ରକାରେ ଆତଙ୍କବାଦ ଆଗରେ ମୁଣ୍ଡ ନୁଆଁଇବ ନାହିଁ। ଏହି ଦୁଃଖ ଏବଂ ସଂକଳ୍ପର ସମୟରେ, ଆମେ ଏକ ରାଷ୍ଟ୍ର ଭାବରେ ଏକଜୁଟ ହୋଇ ଠିଆ ହୋଇଛୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହା ସହ ବର୍ଷକ ପୂର୍ବେ, ଏପ୍ରିଲ ୨୨ ତାରିଖରେ, ଜମ୍ମୁ ଏବଂ କାଶ୍ମୀରର ପହଲଗାମରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ବୈସାରନ ଉପତ୍ୟକାରେ ଆତଙ୍କବାଦୀମାନେ ୨୬ ଜଣ ପର୍ଯ୍ୟଟକଙ୍କୁ ହତ୍ୟା କରିଥିଲେ। ୨୨ ଏପ୍ରିଲ ୨୦୨୫, ଏପରି ଏକ ତାରିଖ ଯାହାକୁ ଦେଶ କେବେ ଭୁଲିପାରିବ ନାହିଁ। ସେହି ଦିନ, ବୈସାରନର ସୁନ୍ଦର ଉପତ୍ୟକା ହଠାତ୍ ଲୋକଙ୍କ କରୁଣ ଚିତ୍କାର ଏବଂ ବାରୁଦ ଧୂଆଁରେ ଭରି ଯାଇଥିଲା। ଆତଙ୍କବାଦୀଙ୍କ ଗୁଳି କେବଳ ମୃତ୍ୟୁ ଆଣିଥିଲା। ଏହି ହୃଦୟବିଦାରକ ଘଟଣା ସମଗ୍ର ଦେଶକୁ ଥରାଇ ଦେଇଥିଲା। ଅନେକ ପରିବାର ନିଜ ପ୍ରିୟ ପରିଜନଙ୍କୁ ହରାଇ ଭାଙ୍ଗି ପଡ଼ିଥିଲେ। ଏହି ଘଟଣା ସାରା ଦେଶରେ ଆକ୍ରୋଶର କାରଣ ହୋଇଥିଲା, ଏବଂ ସବୁଠି ପ୍ରତିବାଦ ଆରମ୍ଭ ହୋଇଥିଲା। ଆଜି ମଧ୍ୟ, ଗୋଟିଏ ବର୍ଷ ପରେ, ସେହି ଦୃଶ୍ୟକୁ ମନେ ପକାଇଲେ ଦେହ ଥରିଯାଉଛି । ପହଲଗାମ ଆକ୍ରମଣର ପ୍ରଥମ ବାର୍ଷିକୀରେ, ଉପତ୍ୟକାରେ ସୁରକ୍ଷା ବ୍ୟବସ୍ଥାକୁ ବୃଦ୍ଧି କରାଯାଇଛି। ଗୁଇନ୍ଦା ସଂସ୍ଥାଗୁଡ଼ିକୁ ସତର୍କ କରାଯାଇଛି। ପର୍ଯ୍ୟଟନ ସ୍ଥଳଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ବୋଲି କହିଛନ୍ତି।