ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଶ୍ଚିମବଙ୍ଗ ନିର୍ବାଚନକୁ ନେଇ ସାରା ଦେଶର ନଜର ରହିଛି । ଏହା ମଧ୍ୟରେ ପଶ୍ଚିମବଙ୍ଗ ନିର୍ବାଚନ ପ୍ରଚାର ସମୟରେ ଜଣେ ଆଇପିଏସ୍ ଅଧିକାରୀ ଓ ତୃଣମୂଳ କଂଗ୍ରେସ (ଟିଏମସି) ପ୍ରାର୍ଥୀଙ୍କ ମଧ୍ୟରେ ଚାଲିଥିବା ଟକ୍କର ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ନିର୍ବାଚନ କମିଶନଙ୍କ ଦ୍ୱାରା ପୋଲିସ ପର୍ୟ୍ୟବେକ୍ଷକ ଭାବେ ନିୟୋଜିତ ଏନକାଉଣ୍ଟର ସ୍ପେଶାଲିଷ୍ଟ ଆଇପିଏସ୍ ଅଜୟ ପାଲ୍ ଶର୍ମା, ଫାଲଟା ନିର୍ବାଚନ ମଣ୍ଡଳୀର ଟିଏମସି ପ୍ରାର୍ଥୀ ଜାହାଙ୍ଗୀର ଖାନଙ୍କୁ ଭୋଟରଙ୍କୁ ଭୟଭୀତ କରୁଥିବା ଅଭିଯୋଗରେ କଡ଼ା ଚେତାବନୀ ଦେଇଛନ୍ତି। ସୋମବାର ଜାହାଙ୍ଗୀରଙ୍କ ବାସଭବନରେ ପହଞ୍ଚି ଶର୍ମା ତାଙ୍କ ପରିବାର ସଦସ୍ୟଙ୍କୁ ରୋକଠୋକ୍ ଶୁଣାଇଛନ୍ତି ଯେ, ଯଦି ଭୋଟରଙ୍କୁ ଧମକାଇବା କିମ୍ବା ନିର୍ବାଚନ ପ୍ରକ୍ରିୟାରେ ବାଧା ସୃଷ୍ଟି କରିବା ନେଇ ପୁଣି ଅଭିଯୋଗ ଆସେ, ତେବେ ପୋଲିସ କଠୋର ଆଇନଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବ। ଶର୍ମା ଏହା ମଧ୍ୟ କହିଛନ୍ତି ଯେ ଯଦି ବଦମାସି କରିବେ, ତେବେ ଆମେ ଉପଯୁକ୍ତ ଢଙ୍ଗରେ ଜବାବ ଦେବୁ। ଏହି ଚଢ଼ାଉ ସମୟରେ ଜାହାଙ୍ଗୀର ଖାନଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ମଧ୍ୟ ଏକ ବଡ଼ ଦ୍ୱନ୍ଦ୍ୱ ସାମ୍ନାକୁ ଆସିଛି। ସରକାରୀ ନିୟମ ଅନୁଯାୟୀ ତାଙ୍କୁ ”ୱାଇ” କ୍ୟାଟେଗୋରୀ ସୁରକ୍ଷା ଅଧୀନରେ ୧୦ ଜଣ ପୋଲିସ କର୍ମଚାରୀ ମିଳିବା କଥା, କିନ୍ତୁ ସେଠାରେ ୧୪ ଜଣ ପଶ୍ଚିମବଙ୍ଗ ପୋଲିସ କର୍ମଚାରୀ ମୁତୟନ ଥିବା ଦେଖିବାକୁ ମିଳିଥିଲା। ଏହି ଅତିରିକ୍ତ ସୁରକ୍ଷା ବଳୟକୁ ନେଇ ଶର୍ମା ସ୍ଥାନୀୟ ପୋଲିସ ସୁପରିଣ୍ଟେଣ୍ଡେଣ୍ଟଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି। ଏହି ଘଟଣାକୁ ନେଇ ରାଜ୍ୟରେ ରାଜନୈତିକ ଯୁଦ୍ଧ ତୀବ୍ର ହୋଇଛି। ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟ ଅଧିକାରୀଙ୍କ ପଦକ୍ଷେପକୁ ପ୍ରଶଂସା କରି କହିଛନ୍ତି ଯେ, ଏହା ଦ୍ୱାରା ଅପରାଧୀ ଓ ଭୟଭୀତ କରୁଥିବା ଲୋକଙ୍କୁ ଏକ ସ୍ପଷ୍ଟ ବାର୍ତ୍ତା ଯାଇଛି। ସେପଟେ ଟିଏମସି ଏହି ଆଇପିଏସ୍ ଅଧିକାରୀଙ୍କ ନିୟୋଜନକୁ ନେଇ ନିର୍ବାଚନ କମିଶନଙ୍କୁ ଟାର୍ଗେଟ୍ କରିଛି। ଶର୍ମାଙ୍କ ଅତୀତର ବିବାଦୀୟ ରେକର୍ଡ ଓ ତାଙ୍କ ବିରୋଧରେ ଥିବା ପୁରୁଣା ମାମଲାକୁ ନେଇ ଟିଏମସି ପ୍ରଶ୍ନ ଉଠାଇଛି। ଦଳ ପକ୍ଷରୁ କୁହାଯାଇଛି ଯେ ବଙ୍ଗଳା, ଉତ୍ତରପ୍ରଦେଶ ନୁହେଁ ଏବଂ ନିରପେକ୍ଷତା ବଜାୟ ନରଖିଲେ ଏହାର ପରିଣାମ ଭୋଗିବାକୁ ପଡ଼ିବ। ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ମଧ୍ୟ ଏହି ବିବାଦରେ ସାମିଲ ହୋଇ ଅଭିଯୋଗ କରିଛନ୍ତି ଯେ, ବିଜେପି ନିଜର ଏଜେଣ୍ଟମାନଙ୍କୁ ପର୍ଯ୍ୟବେକ୍ଷକ ସଜାଇ ବଙ୍ଗଳାକୁ ପଠାଇଛି। ନିର୍ବାଚନ ଯେତିକି ପାଖେଇ ଆସୁଛି, ପୋଲିସ ପ୍ରଶାସନ ଏବଂ ରାଜନୈତିକ ଦଳଙ୍କ ମଧ୍ୟରେ ଏହି ଟଣାଓଟରା ପଶ୍ଚିମବଙ୍ଗର ନିର୍ବାଚନୀ ପରିବେଶକୁ ଅଧିକ ଉତ୍ତେଜନାପୂର୍ଣ୍ଣ କରିଦେଇଛି।
