ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଭଉଣୀ କଙ୍କାଳ ନେଇ ବ୍ୟାଙ୍କ ଆଗରେ ରଖିବା ଘଟଣାକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଜୋର୍ ଧରିଛି । ଏହା ମଧ୍ୟରେ ମୁଖ୍ୟମନ୍ତ୍ରୀ ମୋହନ୍ ମାଝୀ ଘଟଣାରେ ହସ୍ତକ୍ଷେପ କରିଥିବାର ଦେଖିବାକୁ ମିଳିଛି । ତେବେ ଏଭଳି ଘଟଣା କାହିଁକି ଘଟିଲା ଏବଂ ଏହାର ପୁନରାବୃତ୍ତି ଯେପରି ନ ହେବ ସେ ନେଇ ଉତ୍ତରାଞ୍ଚଳ ଆର୍ଡିସି ତଦନ୍ତ କରି ରିପୋର୍ଟ ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଘଟଣାର ସମ୍ପୂର୍ଣ୍ଣ ତଦନ୍ତ କରି ତୁରନ୍ତ ରିପୋର୍ଟ ଦେବାକୁ କୁହାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଡିଆନାଳି ଗାଁରେ ପହଞ୍ଚି ଜିଲା ପ୍ରଶାସନ ପକ୍ଷରୁ ସହାୟତା ପ୍ରଦାନ କରାଯାଇଛି। ଜିତୁ ମୁଣ୍ଡାଙ୍କୁ ବ୍ୟାଙ୍କରୁ ୧୯ ହଜାର ୪୦୦ ଟଙ୍କା ପ୍ରଦାନ କରାଯାଇଛି। ଡେଥ୍ ସାର୍ଟିଫିକେଟ୍ (ମୃତ୍ୟୁ ପ୍ରମାଣପତ୍ର) ଏବଂ ଲିଗାଲ ହେୟାର ସାର୍ଟିଫିକେଟ୍ ମଧ୍ୟ ପ୍ରଶାସନ ପକ୍ଷରୁ ତୁରନ୍ତ ପ୍ରଦାନ କରାଯାଇଛି। ଫାଷ୍ଟ ଟ୍ରାକ୍ ମୋଡ୍ରେ ମେଡିକାଲ ଅଫିସର ପହଞ୍ଚି ଡେଥ୍ ସାର୍ଟିଫିକେଟ୍ ପ୍ରଦାନ କରିଛନ୍ତି। ଅସହାୟ ବ୍ୟକ୍ତି ଯେପରି ପୁନର୍ବାର ଏଭଳି ପରିସ୍ଥିତିର ସମ୍ମୁଖୀନ ହେବାର ନଜିର ଦେଖିବାକୁ ନ ମିଳେ ସେଥିନେଇ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଗ୍ରାମାଞ୍ଚଳରେ ସରକାରୀ ଏବଂ ବ୍ୟାଙ୍କିଙ୍ଗ୍ ସହାୟତା ବିନା ବାଧାରେ ପହଞ୍ଚାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁ ଘଟଣା ଘଟିଲା ସେଥିପାଇଁ କାହାର ଅବହେଳା ଅଛି ସେକଥା ଜଣାଇବାକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି। ଅସୁବିଧାର ସାମ୍ନା କଲେ ଭୟଭୀତ ନ ହୋଇ ପ୍ରଶାସନକୁ ଜଣାଇବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।
