ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଆଜି ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି । ମୋଟ ୧,୪୪୮ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତାରେ ଅବତୀର୍ଣ୍ଣ ହୋଇଥିବା ବେଳେ ୭ ଜିଲାର ୪୦ ହଜାରରୁ ଊର୍ଦ୍ଧ୍ୱ ବୁଥ୍‌ରେ ଭୋଟର ନିଜ ମତାଧିକାର ସାବ୍ୟସ୍ତ କରୁଛନ୍ତି। ଏହା ମଧ୍ୟରେ ପଶ୍ଚିମବଙ୍ଗର ହାଇପ୍ରୋଫାଇଲ୍ ଡାଇମଣ୍ଡ ହାର୍ବର ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଫାଲତା ବିଧାନସଭା ଆସନରେ ମତଦାନ ସମୟରେ ଇଭିଏମରେ ଟେପ୍ ଲଗାଯିବା ଏବଂ ବଟନ୍ ଜାମ୍ କରାଯିବା ଭଳି ଗମ୍ଭୀର ଅଭିଯୋଗ ଆସିବା ପରେ ନିର୍ବାଚନ କମିଶନ କେତେକ ନିର୍ଦ୍ଦିଷ୍ଟ ବୁଥରେ ପୁନଃ ମତଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେପଟେ ଅଭିଷେକ ବାନାର୍ଜୀଙ୍କ ଅତି ନିକଟତର ତଥା ତୃଣମୂଳ କଂଗ୍ରେସ ପ୍ରାର୍ଥୀ ଜାହାଙ୍ଗୀର ଖାନ୍ ଓ ପୋଲିସ ପର୍ୟ୍ୟବେକ୍ଷକ ଅଜୟ ପାଲ ଶର୍ମାଙ୍କ ମଧ୍ୟରେ ଚାଲିଥିବା ବିବାଦ ପୂର୍ବରୁ ଚର୍ଚ୍ଚାରେ ଥିଲା। ମତଦାନ ପୂର୍ବ ରାତିରେ ଅଜୟ ପାଲ ଶର୍ମା ଜାହାଙ୍ଗୀର ଖାନ୍ଙ୍କ ପରିବାରକୁ ଭୋଟ୍ ପ୍ରକ୍ରିୟାରେ ବାଧା ନଦେବାକୁ ଚେତାବନୀ ଦେଇଥିଲେ। ତେବେ ମତଦାନ ଆରମ୍ଭ ହେବା ପରେ ବିଜେପି ପ୍ରାର୍ଥୀ ଦେବାଂଶୁ ପଣ୍ଡା ଅଭିଯୋଗ କରିଛନ୍ତି ଯେ, ଟିଏମସି ସୁଚିନ୍ତିତ ଭାବେ ଭୋଟରଙ୍କୁ ବାଧା ଦେବା ସହ ଇଭିଏମ୍ ଟାମ୍ପରିଂ କରିଛି। ଅନେକ ବୁଥରେ ବିଜେପି ପ୍ରାର୍ଥୀଙ୍କ ନାମ ଓ ଚିହ୍ନ ଉପରେ କଳା ଟେପ୍ ଲଗାଯାଇଥିବା ଦେଖିବାକୁ ମିଳିଛି, ଯାହାଫଳରେ ଭୋଟରମାନେ ସେମାନଙ୍କ ପସନ୍ଦର ପ୍ରାର୍ଥୀଙ୍କୁ ଚିହ୍ନିପାରି ନାହାନ୍ତି।