ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଆଜି ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି । ଏହା ମଧ୍ୟରେ ତୃଣମୂଳ କଂଗ୍ରେସ ରାଜ୍ୟସଭା ସାଂସଦ ଡେରେକ୍ ଓ’ ବ୍ରାଏନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚ୍ୟାଲେଞ୍ଜ କରି ବଡ ବୟାନ ଦେଇଥିବାର ଦେଖିବାକୁ ମିଳିଛି । ତେବେ ଯଦି ତୃଣମୂଳ କଂଗ୍ରେସ ପଶ୍ଚିମବଙ୍ଗରେ କ୍ଷମତା ବଜାୟ ରଖେ ତାହାହେଲେ ମୋଦୀ କ’ଣ ଇସ୍ତଫା ଦେବେ କି ବୋଲି ସେ ଚାଲେଞ୍ଜ କରି କହିଛନ୍ତି। ଡେରେକ୍ ଓ ବ୍ରାଏନ୍ ‘ଏକ୍ସ’ରେ ଏକ ପୋଷ୍ଟ କରି କହିଛନ୍ତି ଯେ, ନରେନ୍ଦ୍ର ମୋଦୀ ପଶ୍ଚିମବଙ୍ଗର ସମସ୍ତ ୨୯୪ ଆସନରେ ପ୍ରାର୍ଥୀ ବୋଲି ଘୋଷଣା କରିଥିଲେ। ତାହା ହେଲେ ମେ ୪ରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ବାଧୀନ ଟିଏମ୍ସି ଯଦି ପଶ୍ଚିମବଙ୍ଗରେ ନିର୍ବାଚନ ଜିତିବ ତାହାହେଲେ ଆପଣ କ’ଣ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବେ କି? ଯଦି ସାହାସ ଅଛି ଏହି ଚାଲେଞ୍ଜକୁ ଗ୍ରହଣ କରନ୍ତୁ ବୋଲି ସେ ଲେଖିଛନ୍ତି। ପଶ୍ଚିମବଙ୍ଗରେ ବୁଧବାର ଦ୍ବିତୀୟ ପର୍ଯ୍ୟାୟ ଭୋଟ ପାଇଁ ମତଦାନ ଚାଲିଥିବାବେଳେ ଟିଏମ୍ସି ଓ ବିଜେପି ମଧ୍ୟରେ ତୀବ୍ର ପ୍ରତିଦ୍ବନ୍ଦ୍ବିତା ଦେଖାଯାଇଛି।
