ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଭାରତକୁ ୬୫୭ ପ୍ରାଚୀନ କଳାକୃତି ଫେରାଇଲା ଆମେରିକା ।ସେସବୁର ଆନୁମାନିକ ମୂଲ୍ୟ ୧୪ ନିୟୁତ ଡଲାର ବୋଲି କୁହାଯାଉଛି। ଆମେରିକୀୟ ଅଧିକାରୀମାନେ ଏହା ମଧ୍ୟ କହିଛନ୍ତି ଯେ, ଚୋରି ହୋଇଥିବା ଐତିହ୍ୟ ଫେରି ପାଇବା ପାଇଁ ଆହୁରି ବହୁ କାମ କରିବାକୁ ବାକି ଅଛି।

ମାନହାଟନ ଜିଲ୍ଲା ଆଟର୍ଣ୍ଣି ଆଲଭିନ୍ ବ୍ରାଗ୍ ଆନୁଷ୍ଠାନିକ ଭାବରେ ଏହି କଳାକୃତି ଫେରାଇବା ଘୋଷଣା କରିଛନ୍ତି। କୁଖ୍ୟାତ ଚୋରା ଚାଲାଣକାରୀ ସୁଭାଷ କପୁର ଏବଂ ଦୋଷୀ ଚୋରା ଚାଲାଣକାରୀ ନାନସି ୱେନରଙ୍କ ସହ ଜଡିତ ନେଟୱାର୍କ ସମେତ ବିଭିନ୍ନ ଚୋରା ଚାଲାଣକାରୀ ଦଳ ଉପରେ ଦୀର୍ଘ ତଦନ୍ତ ପରେ ଏହି ସମସ୍ତ ପ୍ରାଚୀନ ସାମଗ୍ରୀ ଜବତ କରାଯାଇଥିଲା। ନ୍ୟୁୟର୍କରେ ଭାରତୀୟ କନସୁଲେଟର ରାଷ୍ଟ୍ରଦୂତ ରାଜଲକ୍ଷ୍ମୀ କଦମଙ୍କ ଉପସ୍ଥିତିରେ ଏକ ସ୍ୱତନ୍ତ୍ର ଉତ୍ସବରେ ଏହି ଫେରସ୍ତ ସାମଗ୍ରୀ ଭାରତକୁ ହସ୍ତାନ୍ତର କରାଯାଇଛି।