ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କଂଗ୍ରେସ ନେତା ପବନ ଖେଡ଼ାଙ୍କ ମାମଲା ଏବେ ସୁପ୍ରିମକୋର୍ଟରେ । ଆଜି ଆଗୁଆ ଜାମିନ ଆବେଦନ ଉପରେ ଶୁଣାଣି ହୋଇଛି। ଏହି ମାମଲା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କ ପତ୍ନୀ ରିନିକି ଶର୍ମାଙ୍କ ଦ୍ବାରା ରୁଜୁ ଏକ ମାନହାନୀ ମାମଲା ସହ ଜଡ଼ିତ। ଶୁଣାଣି ସମୟରେ ଦୁଇ ପକ୍ଷଙ୍କ (ପବନ ଖେଡ଼ା ଏବଂ ଆସାମ ସରକାର) ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହା ମଧ୍ୟରେ ପବନ ଖେଡ଼ାଙ୍କ ପକ୍ଷରୁ ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଘଭୀ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କ ସାର୍ବଜନୀନ ବୟାନକୁ କଡ଼ା ଭର୍ତ୍ସନା କରିଥିଲେ। ସେ ମୁଖ୍ୟମନ୍ତ୍ରୀଙ୍କୁ ‘ସାମ୍ବିଧାନିକ କାଓବଏ’ ଏବଂ ‘ସାମ୍ବିଧାନିକ ରାମ୍ବୋ’ ବୋଲି କହିଛନ୍ତି। ସେ ଯୁକ୍ତି ରଖିଛନ୍ତି ଯେ, ଖେଡ଼ାଙ୍କୁ ଗିରଫ କରିବା ପ୍ରକୃତରେ ମୁଖ୍ୟମନ୍ତ୍ରୀଙ୍କ କ୍ରୋଧରୁ ପ୍ରେରିତ ଏବଂ ସମଗ୍ର ମାମଲା ପକ୍ଷପାତିତାରେ ପରିପୂର୍ଣ୍ଣ। ଏହି ସମୟରେ ସିଂଘଭୀ ସମ୍ବାଦପତ୍ରର ରିପୋର୍ଟକୁ ଆଧାର କରି ମୁଖ୍ୟମନ୍ତ୍ରୀ ଅପଶବ୍ଦ କହିଥିବା ଅଭିଯୋଗ କରିଛନ୍ତି। ସିଂଘଭୀ ଏହି ସ୍ଥିତିକୁ ଅଦ୍ଭୁତପୂର୍ବ କହିବା ସହ କହିଛନ୍ତି, ‘ଯଦି ଡା. ଆମ୍ବେଦକର କୌଣସି ସାମ୍ବିଧାନିକ ପଦରେ ବସିଥିବା ବ୍ୟକ୍ତିଙ୍କୁ ଏଭଳି ‘ସାମ୍ବିଧାନିକ କାଓବଏ’ ଭଳି କହୁଥିବା ଦେଖିଥାନ୍ତେ.. ତେବେ ତାଙ୍କୁ ମଧ୍ୟ ବହୁତ କଷ୍ଟ ପହଞ୍ଚିଥାନ୍ତା।’ ସେ ଆହୁରି କହିଛନ୍ତି, ଦିଲ୍ଲୀର ନିଜାମୁଦ୍ଦିନ ଅଞ୍ଚଳରେ ଖେଡ଼ାଙ୍କ ଘରକୁ ୫୦ରୁ ୮୦ ପୋଲିସକର୍ମୀ ଏଭଳି ଘେରି ରଖିଥିଲେ ଯେପରି କୌଣସି ଆତଙ୍କବାଦୀଙ୍କୁ ଧରିବାକୁ ଯାଇଛନ୍ତି। ସେ ପ୍ରଶ୍ନ ଉଠାଇଛନ୍ତି ଯେ, ମାତ୍ର ଗୋଟିଏ ମାନହାନି ମାମଲାରେ ଏତେ ସଂଖ୍ୟକ ପୋଲିସ ଫୋର୍ସ ବ୍ୟବହାର ଉଚିତ କି ବୋଲି ପ୍ରଶ୍ନ କରିଛନ୍ତି ।