ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆଜି ବିଧାନସଭାର ସ୍ଵତନ୍ତ୍ର ଅଧିବେଶନ । ମହିଳାଙ୍କୁ ସଂରକ୍ଷଣ ପ୍ରସ୍ତାବକୁ ନେଇ ଆଜି ବିଧାନସଭାରେ ଶାସକ ଆଉ ବିରୋଧୀ ମଧ୍ୟରେ ବୟାନବାଜି ଚାଲିଥିବାର ଦେଖିବାକୁ ମିଳିଛି । ଏହା ମଧ୍ୟରେ ବିରୋଧୀ ନେତା ନବୀନ ପଟ୍ଟନାୟକଙ୍କ ବଡ ବୟାନ ସାମ୍ନାକୁ ଆସିଛି । ତେବେ ସେ କହିଛନ୍ତି ଶେଷରେ ସରକାର ମୋ ଚିଠିର ଅନୁରୋଧକୁ ରକ୍ଷା କରି ଅନୁଯାୟୀ 131ତମ ସଂବିଧାନ ସଂଶୋଧନ ବିଲ୍‌ ବିଷୟରେ ଆଲୋଚନା ପାଇଁ ବିଧାନସଭାର ବିଶେଷ ଅଧିବେଶନ ଡାକିଛନ୍ତି। କିନ୍ତୁ ସେଥିପୂର୍ବରୁ, ଅତ୍ୟନ୍ତ ଦୁଃଖର ସହ ଆମ ରାଜ୍ୟରେ ମହିଳାମାନଙ୍କ ଅଧିକାର ଓ ମର୍ଯ୍ୟାଦା ସମ୍ପର୍କିତ ଏକ ଗୁରୁତର ବିଷୟ ଉଠାଇବାକୁ ଚାଁହୁଛି ବୋଲି ନବୀନ ପଟ୍ଟନାୟକ କହିଛନ୍ତି । ଏହା ସହ ଆଜି ଓଡିଶାର ମୁଣ୍ଡ ଲଜ୍ଜାରେ ନଇଁ ଯାଇଛି, କାରଣ ଗୋଟିଏ ମହିଳାଙ୍କ ମୃତ୍ୟୁ ପ୍ରମାଣ କରିବା ପାଇଁ ତାଙ୍କ ପରିବାରକୁ ତାଙ୍କ ସମାଧି ଖୋଳି ଅସ୍ଥି ପିଞ୍ଜରାକୁ ବୋହିନେଇ ବ୍ୟାଙ୍କକୁ ଯିବାକୁ ପଡିଲା, ଯାହାଦ୍ୱାରା ସେମାନେ ତାଙ୍କ ଯୋଗ୍ୟ ଉତ୍ତରାଧିକାରୀ ବୋଲି ପ୍ରମାଣିତ କରିପାରିବେ ।

ତାଙ୍କ ଭାଇ ତାଙ୍କ ମୃତ୍ୟୁ ପରେ ଅନେକଥର କାର୍ଯ୍ୟାଳୟକୁ ଯାଇ ଅଧିକାରୀମାନଙ୍କୁ ବ୍ୟାଙ୍କ ସମ୍ପର୍କିତ ପ୍ରକ୍ରିୟା ସମ୍ପନ୍ନ କରିବାକୁ ଅନୁରୋଧ କରିଥିଲେ, କିନ୍ତୁ ସେମାନେ ବାରମ୍ବାର ମୃତ୍ୟୁ ପ୍ରମାଣପତ୍ର ମାଗି ତାଙ୍କୁ ଉତ୍ପୀଡନ କରୁଥିଲେ। ଏହାଠାରୁ ଅଧିକ ଦୁଃଖଦ କଥା ହେଲା, ପ୍ରମାଣ ଭାବେ ଅସ୍ଥିପଞ୍ଜର ଦେଖାଇବା ପରେ ମଧ୍ୟ ସେ ପୁଣିଥରେ ତାହାକୁ ପାଦରେଚାଲି ଚାଲି ଭଉଣୀର ଅସ୍ଥିକୁ କାନ୍ଧରେ ବୋହି ଘରକୁ ଫେରାଇ ନେବାକୁ ବାଧ୍ୟ ହେଲେ। ଏହା ପ୍ରଶାସନର ସମ୍ପୂର୍ଣ୍ଣ ଅନାଗ୍ରହ ଓ ଶୂନ୍ୟ ଦାୟିତ୍ୱବୋଧକୁ ପ୍ରକାଶ କରେ, ଯାହାକୁ ଏକ ଅସଂବେଦନଶୀଳ ରାଜ୍ୟ ସରକାର ସମର୍ଥନ କରୁଛି।

ଏହାହିଁ ଆଜି ଆମ ମହିଳାମାନଙ୍କର ଅବସ୍ଥା… ଏହି ଖବରକୁ New York Post ଓ BBC ଓଡିଶା ବିଷୟରେ ପ୍ରକାଶ କରିଛନ୍ତି… ଏବଂ ସମଗ୍ର ବିଶ୍ୱ ଆମ ବିଷୟରେ ଏହି ଲଜ୍ଜାଜନକ ଖବରକୁ ପଢ଼ୁଛି। ବ୍ୟାଙ୍କିଂ ସର୍ଭିସ ଯାହା ଏକ କେନ୍ଦ୍ରୀୟ ବିଷୟ, ସେଥିରେ ଡବଲ ଇଞ୍ଜିନ ସରକାର ଓ ଏକ ଅସଂବେଦନଶୀଳ ରାଜ୍ୟ ସରକାର ଆମ ଲୋକମାନଙ୍କୁ ସମ୍ପୂର୍ଣ୍ଣ ଭାବେ ପ୍ରତାରଣା କରିଛନ୍ତି। ଏପରି ଅମାନବିକ ଶାସନ ଓଡିଶାର ଇତିହାସରେ କେବେ ଦେଖାଯାଇନଥିଲା। ସେପଟେ

ପ୍ରଥମଥର ପାଇଁ ଯୁକ୍ତରାଷ୍ଟ୍ର ଆମେରିକା ତାଙ୍କ ନାଗରିକମାନଙ୍କୁ ଓଡିଶାକୁ ଯିବାକୁ ମନା କରି ସୂଚନା ଜାରି କରିଛି, ମହିଳାମାନଙ୍କ ଉପରେ ଅତ୍ୟାଚାରକୁ ନେଇ ଚିନ୍ତା ବ୍ୟକ୍ତ କରିଛି। ରାଜ୍ୟର BJP ସରକାରଙ୍କୁ ମହିଳାମାନଙ୍କ ମର୍ଯ୍ୟାଦା ଓ ସଶକ୍ତିକରଣ ବିଷୟରେ କହିବାର କୌଣସି ଅଧିକାର ନାହିଁ। ଶାସନ କେବଳ କାହାଣୀ ଓ ଦେଖାଦେଖିରେ ସୀମିତ ହୋଇଯାଇଛି।

ମୁଖ୍ୟମନ୍ତ୍ରୀ ଆଉ କୌଣସି ବକ୍ତବ୍ୟ ଦେବା ପୂର୍ବରୁ ଆତ୍ମପର୍ଯ୍ୟାଳୋଚନା କରିବା ଉଚିତ। ଏହି ଭୟଙ୍କର ଘଟଣା ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲାରେ ଘଟିଥିବା ଓଡିଶାର ଦୁର୍ଦ୍ଦଶାକୁ ପ୍ରକାଶ କରେ। ଏବେ ସଂବିଧାନ ସଂଶୋଧନ ବିଲ୍‌ ବିଷୟକୁ ଆସୁଛି, ସ୍ପଷ୍ଟ ଯେ ଦୁଇଟି ବିଷୟ ଆଲୋଚିତ ହେଉଛି। ପ୍ରଥମଟି ହେଉଛି ମହିଳା ସଂରକ୍ଷଣ ବିଲ୍‌, ଯାହା 2023 ରେ ସଂସଦରେ ସମ୍ମତି ସହ ପାସ୍‌ ହୋଇଥିଲା।

BJD ସଂସଦରେ ଏହାକୁ ସମର୍ଥନ କରିଥିଲା ଏବଂ ଆଜି ମଧ୍ୟ ଆମେ ତାହାକୁ ତୁରନ୍ତ କାର୍ଯ୍ୟକରୀ କରିବାକୁ ଦାବି କରୁଛୁ।ବିଜୁ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡିଶା ସ୍ଥାନୀୟ ସଂସ୍ଥାମାନରେ 33% ମହିଳା ସଂରକ୍ଷଣ ଲାଗୁ କରିଥିବା ପ୍ରଥମ ରାଜ୍ୟମାନଙ୍କ ମଧ୍ୟରୁ ଥିଲା। 2011 ରେ ମୋର ସରକାର ଏହାକୁ 50% କରିଥିଲା। କେବଳ ଏତିକି ନୁହଁ ବରଂ *2019 ଓ 2024 ର ଲୋକସଭା ନିର୍ବାଚନରେ ଆମେ ମହିଳାମାନଙ୍କୁ 33% ଟିକେଟ୍‌ ଦେଇଥିଲୁ। BJP କହିପାରିବ କି ସେମାନେ ଏହିପରି କରିଛନ୍ତି?* ମହିଳା ଅଧିକାର ବିଷୟରେ କେବଳ ମୁହଁରେ ଭାଷଣ ଦେବା ଓ ଭ୍ରାନ୍ତିକର କାହାଣୀ ସୃଷ୍ଟି କରି ଲୋକମାନଙ୍କୁ ଠକିବା ଛଡା , ଓଡିଶାର BJP କିଛି କରିନାହିଁ।

ମୁଁ ପୁଣିଥରେ ସ୍ମରଣ କରାଉଛି, ଲୋକମାନଙ୍କୁ ସବୁଦିନ ପାଇଁ ଠକାଯାଇପାରିବ ନାହିଁ। ସଂସଦରେ ପାସ୍‌ ହୋଇଥିବା ମହିଳା ସଂରକ୍ଷଣ ବିଲ୍‌କୁ ଡିଲିମିଟେସନ୍‌ ବିଲ୍‌ ସହ ଯୋଡ଼ିବା ହେଉଛି ଚୁପଚାପ ଭାବରେ ତଥ୍ୟ ଆଲୋଚନା ବିନା ଡିଲିମିଟେସନ୍‌କୁ ଆଗେଇ ନେବା ପ୍ରୟାସ। ଏହି ବିଷୟରେ ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଲେଖି ଥିବା ମୋର ଚିଠି ଏବଂ ଓଡିଶାର 21 ଜଣ ସାଂସଦଙ୍କୁ କରିଥିବା ଆହ୍ୱାନ ଆମର ମତକୁ ସ୍ପଷ୍ଟ କରୁଛି ।ଏହା ଚିନ୍ତାଜନକ ଯେ BJP ଏତେ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଭ୍ରାନ୍ତିକର ସୂଚନା ପ୍ରସାର କରୁଛି, ଯାହା ଓଡିଶାର ଅଲଗା ପରିଚୟ ଓ ରାଜନୈତିକ ସ୍ୱରକୁ ପ୍ରଭାବିତ କରେ।

ଏହି ଡିଲିମିଟେସନ୍‌ ବିଲ୍‌ ଆମ ଲୋକମାନଙ୍କର, ବିଶେଷକରି ଆଗାମୀ ପିଢ଼ୀମାନଙ୍କର ରାଜନୈତିକ ଅଧିକାର କମେଇବାକୁ ଉଦ୍ଦିଷ୍ଟ। ମୁଁ ପୁଣିଥରେ କହୁଛି, ଯଦି ଆମେ ଏହାକୁ ସମର୍ଥନ କରିବା, ଇତିହାସ ଆମକୁ କେବେ କ୍ଷମା କରିବ ନାହିଁ। ଓଡିଶାବାସୀଙ୍କୁ ମୁଁ ଭରସା ଦେଉଛି—ମୁଁ ଥିଲା ପର୍ଯ୍ୟନ୍ତ ଓଡିଶାକୁ ତାର ଅଧିକାରରୁ କେହି ବଞ୍ଚିତ କରିପାରିବ ନାହିଁ। ଓଡିଶାର BJP MLA ମାନେ ମହିଳାମାନଙ୍କ ପାଇଁ କୁମ୍ଭୀର କାନ୍ଦଣା ବନ୍ଦ କରନ୍ତୁ ବୋଲି ବିରୋଧୀ ନେତା ନବୀନ ପଟ୍ଟନାୟକ କହିଛନ୍ତି । ଯାହାକୁ ନେଇ ଏବେ ରାଜନୀତି ବେଶ୍ ସରଗରମ ହୋଇ ଉଠିଛି ।