ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିଧାନସଭାର ସ୍ୱତନ୍ତ୍ର ଅଧିବେଶନରେ ମୁଖ୍ୟମନ୍ତ୍ରୀ ବିରୋଧୀଙ୍କୁ କଡ଼ା ଟାର୍ଗେଟ କରିଥିବାର ଦେଖିବାକୁ ମିଳିଛି । ତେବେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ନାରୀ ହେଉଛି ସମାଜର ମୂଳଦୁଆ । ଏହି ବିଲ୍ ମାଧ୍ୟମରେ ମହିଳାମାନେ ପ୍ରକୃତ ନୀତି ନିର୍ଦ୍ଧାରକ ହୋଇପାରିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହିଳାଙ୍କୁ “ସହଯୋଗର ପାତ୍ରୀ” ନୁହେଁ ବରଂ “ସାରଥୀ” ଭାବେ ଦେଖୁଛନ୍ତି । ଆଗାମୀ ଦିନରେ ମହିଳାମାନେ କାହାର ଦୟାରେ ନୁହେଁ, ବରଂ ନିଜ ଦକ୍ଷତାରେ ଗୃହକୁ ଆସିବେ । ଏହାକୁ ବିରୋଧ କରି ବିରୋଧୀ ଦଳ ନିଜକୁ ମହିଳା ବିରୋଧୀ ଭାବେ ପ୍ରମାଣିତ କରିଥିବା ସେ କହିଛନ୍ତି । ସେହିପରି ପୂର୍ବ ସରକାରଙ୍କ ୨୪ ବର୍ଷର ଶାସନ କାଳକୁ ନେଇ ଅନେକ ସମ୍ବେଦନଶୀଳ ପ୍ରସଙ୍ଗ ଉଠାଇ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ । ବେବିନା, କୁନ୍ଦୁଲି, ଇତିଶ୍ରୀ ପ୍ରଧାନ, ପରି ଏବଂ ମମିତା ମେହେର ଭଳି ଘଟଣାରେ ନ୍ୟାୟ ମିଳିନଥିବା ସେ ଅଭିଯୋଗ କରିଛନ୍ତି ।

ଅପରାଧୀଙ୍କୁ ସୁରକ୍ଷା ଦିଆଯାଉଥିବା ନେଇ ସେ ବିରୋଧୀଙ୍କୁ ଘେରିଛନ୍ତି । ନିଜ କ୍ୟାବିନେଟ ମନ୍ତ୍ରୀଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଥିବା ତତ୍କାଳୀନ ବିଜେଡି ସରକାରଙ୍କୁ ସେ ସମାଲୋଚନା କରିଛନ୍ତି । ମହାନଦୀ ଜଳ ବିବାଦ, ଦାନ ମାଝୀ ଘଟଣା, କଳିଙ୍ଗ ନଗର ଗୁଳିକାଣ୍ଡ ଏବଂ ଚିଟଫଣ୍ଡ ଦୁର୍ନୀତି ଭଳି ପ୍ରସଙ୍ଗ ଉଠାଇ ବିରୋଧୀ ଦଳ ନେତାଙ୍କୁ ଟାର୍ଗେଟ କରିଛନ୍ତି । ପୂର୍ବ ସରକାର ଅପେକ୍ଷା ବର୍ତ୍ତମାନର ସରକାର ମହିଳା ହିଂସା ବିରୋଧରେ କଠୋର ପଦକ୍ଷେପ ନେଉଛନ୍ତି । ଦଣ୍ଡ ବିଧାନ ହାର ୪୧ ପ୍ରତିଶତକୁ ବୃଦ୍ଧି ପାଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ।