ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଶ୍ଚିମବଙ୍ଗ ନିର୍ବାଚନ ସରିବା ପରେ ବର୍ତ୍ତମାନ ସମସ୍ତଙ୍କର ଫଳାଫଳ ଉପରେ ନଜର । ଏହା ମଧ୍ୟରେ ପଶ୍ଚିମବଙ୍ଗ ପଞ୍ଚାୟତ ବ୍ୟାପାର ଓ ଗ୍ରାମୀଣ ବିକାଶ ମନ୍ତ୍ରୀ ତଥା କୋଲକାତା ନଗର ନିଗମ (କେଏମସି) ମେୟର ଫିରହାଦ ହକିମଙ୍କ ବଡ ବୟାନ ସାମ୍ନାକୁ ଆସିଛି । ତେବେ ୪ ମେ ଭୋଟ ଗଣନାରେ ପୁଣି ତୃଣମୂଳ କଂଗ୍ରେସ (ଟିଏମସି) ରାଜ୍ୟ କ୍ଷମତାକୁ ଫେରିବ। ଏହା ସହିତ ସେ କହିଛନ୍ତି ଯେ ଯଦି ନିର୍ବାଚନରେ ଟିଏମସି ବହୁମତରେ ବିଜୟୀ ହୁଏ ତେବେ ମେ ୬ ତାରିଖରେ ନୂଆ ମନ୍ତ୍ରୀମଣ୍ଡଳନ ଶପଥପାଠ କରିବ। ହକିମ ନିର୍ବାଚନ ଫଳାଫଳ ବାବଦେ ଏଗଜିଟ୍ ପୋଲ ରିପୋର୍ଟକୁ ଖାରଜ କରିଦେଇଛନ୍ତି। କହିଛନ୍ତି ପଶ୍ଚିମବଙ୍ଗ ବିଧାନସଭାର ୨୯୪ ଆସନରୁ ଟିଏମସି ୨୨୫ରୁ ଅଧିକ ଆସନରେ ଜିତି ପୁଣି ସରକାର କରିବ ବୋଲି କହିଛନ୍ତି । ସେପଟେ ସେ ଗଣମାଧ୍ୟମ ସହ ଆଲୋଚନାରେ କହିଛନ୍ତି ଯେ ଲଗାତାର ଚତୁର୍ଥବାର ରାଜ୍ୟରେ ତୃଣମୂଳ କଂଗ୍ରେସ ସରକାର ଗଢିବା ନିଶ୍ଚିତ। ଏଣୁ ସମ୍ଭାବନା ରହିଛି ମେ ୬ ତାରିଖରେ ମମତା ବାନାର୍ଜୀଙ୍କ ନେତୃତ୍ୱରେ ନୂଆ ମନ୍ତ୍ରୀମଣ୍ଡଳ ଶପଥ ଗ୍ରହଣ କରିବ। ମେୟର କହିଛନ୍ତି ଯେ ବିଜେପି ଦ୍ୱାରା ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ)ଙ୍କୁ ଉପଯୋଗ କରି ଯେଉଁସବୁ ପ୍ରୟାସ କରାଯାଇଛି ୪ ମେ ଭୋଟ ଗଣନା ପରେ ତାହା ସବୁ ନିଷ୍ଫଳ ହେବ। ଆମର ପାର୍ଟି କାର୍ଯ୍ୟକର୍ତ୍ତା, ନେତା, ଏପରିକି ନିର୍ଦ୍ଦୋଷ ଭୋଟରଙ୍କୁ ବି କେନ୍ଦ୍ରୀୟ ଫୋର୍ସ ଦ୍ୱାରା ଧମକା ଯାଇଛି। ତେବେ ଏହା କାମ କରିବ ନାହିଁ। ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସକୁ ଏତେ ସହଜରେ ରୋକା ଯାଇ ନପାରେ ବୋଲି କହିଛନ୍ତି । ଏହା ସହ ଫିରହାଦ ହକିମ କହିଛନ୍ତି ଯେ ଏଥରର ଉଚ୍ଚ ଭୋଟ ପ୍ରତିଶତକୁ ଲୋକେ ଶାସନ ବିରୋଧୀ ଲହରର ସଂକେତ ଭାବୁଛନ୍ତି। ହେଲେ ଜନାଦେଶ ତୃଣମୂଳ ବିରୋଧରେ ଯିବ ନାହିଁ।
ନିର୍ବାଚନ ଆୟୋଗଙ୍କ ଦ୍ୱାରା ରାଜ୍ୟରେ ନିର୍ବାଚନ ପୂର୍ବରୁ ଚଳାଯାଇଥିବା ବିଶେଷ ଗହନ ପୁନରୀକ୍ଷଣ (ଏସଆଇଆର)ରେ ଅନେକ ଭୋଟରଙ୍କ ନାମ ବାଦ ଦିଆଯାଇଛି। ଏଥିରେ ଯଦି ଲୋକେ ଭୋଟ ଦେବାକୁ ଆସି ନଥାନ୍ତେ ସେମାନଙ୍କ ନାମ ନାଗରିକତା ସୂଚୀରୁ ହଟାଇ ଦିଆଯାଇଥାନ୍ତା। ଏଣୁ ଏଥର ଭୋଟ ପ୍ରତିଶତ ବଢିଛି ବୋଲି କହିଛନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିବାରେ ଲାଗିଛି ।
