ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଶ୍ଚିମବଙ୍ଗ ନିର୍ବାଚନ ସରିବା ପରେ ଏବେ ଷ୍ଟ୍ରଙ୍ଗ୍ ରୁମ୍ ସୁରକ୍ଷାକୁ ନେଇ ରାଜନୀତି ବେଶ୍ ସରଗରମ । ଏହା ମଧ୍ୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବଡ ବୟାନ ସାମ୍ନାକୁ ଆସିଛି । ତେବେ ଦକ୍ଷିଣ କୋଲକାତାର ଏକ ଷ୍ଟ୍ରଙ୍ଗ୍ ରୁମରେ ପ୍ରାୟ ୩ ଘଣ୍ଟାରୁ ଅଧିକ ସମୟ ବିତାଇବା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କଡ଼ା ଚେତାବନୀ ଦେଇ କହିଛନ୍ତି ଯେ, ଯଦି କେହି ଇଭିଏମ୍ ସହ ହେରଫେର କିମ୍ବା ଭୋଟ୍ ଗଣତିରେ କୌଣସି ପ୍ରକାରର ଜାଲିଆତି କରିବାକୁ ଚେଷ୍ଟା କରେ, ତେବେ ତୃଣମୂଳ କଂଗ୍ରେସ ଏକ ଜୀବନ-ମରଣ ଲଢ଼େଇ ଲଢ଼ିବ ବୋଲି କହିଛନ୍ତି । ଏହା ସହ ମମତା ଅଭିଯୋଗ କରିଛନ୍ତି ଯେ, ସିସିଟିଭି ଭିଜୁଆଲରୁ ସେ ଅନେକ ସ୍ଥାନରେ ଇଭିଏମ୍ ମାନିପୁଲେସନ୍ ବା ହେରଫେର ହେଉଥିବା ଦେଖିବାକୁ ପାଇଛନ୍ତି। ସେଥିପାଇଁ ଜଣେ ପ୍ରାର୍ଥୀ ଭାବେ ନିଜର ଅଧିକାର ସାବ୍ୟସ୍ତ କରି ସେ ସ୍ଥିତି ପରଖିବାକୁ ଯାଇଥିଲେ।

ଅନ୍ୟପକ୍ଷରେ, ଟିଏମସି ପକ୍ଷରୁ ବିଜେପି ଓ ନିର୍ବାଚନ କମିଶନଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଚାଲିଥିବା ଅଭିଯୋଗ ହୋଇଛି। ଏକ ଭାଇରାଲ୍ ଭିଡିଓର ସୂତ୍ର ଦେଇ ଦଳ କହିଛି ଯେ, ବିନା ଅନୁମତିପ୍ରାପ୍ତ ପ୍ରତିନିଧିଙ୍କ ଉପସ୍ଥିତିରେ ବାଲଟ୍ ବାକ୍ସ ଖୋଲାଯାଉଛି। ଅନ୍ୟପଟେ ନିର୍ବାଚନ କମିଶନ ଏହି ସମସ୍ତ ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରି କହିଛନ୍ତି ଯେ, ସମସ୍ତ ଷ୍ଟ୍ରଙ୍ଗ୍ ରୁମ୍ ସମ୍ପୂର୍ଣ୍ଣ ସୁରକ୍ଷିତ ଓ ପ୍ରାର୍ଥୀଙ୍କ ଏଜେଣ୍ଟଙ୍କ ଉପସ୍ଥିତିରେ ଏହାକୁ ସିଲ୍ କରାଯାଇଛି ।