ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସୁପ୍ରିମକୋର୍ଟଙ୍କ କଡ଼ା ପଦକ୍ଷେପ । ରାସ୍ତାକଡ଼ରୁ ଉଚ୍ଛେଦ ହେବ ବେଆଇନ ନିର୍ମାଣ । ତେବେ ସାରା ଦେଶରେ ଯେତିକି ରାସ୍ତା ଅଛି ତା’ର ମାତ୍ର ୨% ଜାତୀୟ ରାଜପଥ। ହେଲେ ସଡ଼କ ଦୁର୍ଘଟଣା‌େର ଯେତିକି ମୃତ୍ୟୁ ହେଉଛି ତା’ର ୩୦% ଜାତୀୟ ରାଜପଥରେ ହେଉଛି। ତେଣୁ ଜାତୀୟ ରାଜପଥଗୁଡ଼ିକରେ ଲୋକଙ୍କ ସୁରକ୍ଷାକୁ ଗୁରୁତ୍ବ ଦେବାକୁ ହେବ। ଦେଶର ପ୍ରତ୍ୟେକ ସଡ଼କ ଯେପରି ପଥଚାରୀଙ୍କ ପାଇଁ ସୁରକ୍ଷିତ ହେବ, ରାସ୍ତାରେ ବେଆଇନ ପାର୍କିଂ ହେବନି, ରାସ୍ତାକୁ ଲାଗି ଢାବା, ବ୍ୟବସାୟିକ ପ୍ରତିଷ୍ଠାନ କି କୌଣସି ବେଆଇନ ନିର୍ମାଣ ହେବନି, ସେନେଇ ସମସ୍ତ ରାଜ୍ୟର ମୁଖ୍ୟ ସଚିବମାନେ ଆବଶ୍ୟକୀୟ ପଦକ୍ଷେପ ନେଇ ରିପୋର୍ଟ ଦେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଗତବର୍ଷ ନଭମ୍ବେର ୨ ଓ ୩ତାରିଖରେ ରାଜସ୍ଥାନର ଫାଲୋଡି ଏବଂ ତେ‌େଲଙ୍ଗାନାର ରଙ୍ଗାରେଡ୍ଡୀ ଜିଲ୍ଲାରେ ସଡ଼କ ଦୁର୍ଘଟଣାରେ ୩୪ଜଣଙ୍କର ମୃତ୍ୟୁ ହେବା ପରେ ସୁପ୍ରିମକୋର୍ଟ ନିଜ ଆଡ଼ୁ ମାମଲାରେ ହସ୍ତକ୍ଷେପ କରି ସବୁ ରାଜ୍ୟକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।

ସୁପ୍ରିମକୋର୍ଟ ଏଥିରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। କହିଛନ୍ତି ଯେ ଜାତୀୟ ରାଜପଥର ମଧ୍ୟ ଭାଗରୁ ୪୫ ମିଟର ପର୍ଯ୍ୟନ୍ତ କୌଣସି ଆବାସିକ, ୭୫ ମିଟର ପର୍ଯ୍ୟନ୍ତ କୌଣସି ବ୍ୟାବସାୟିକ ପ୍ରତିଷ୍ଠାନ ନିର୍ମାଣ ହେବନି କି ଏଥିପାଇଁ ଜମିର କିସମ ପରିବର୍ତ୍ତନ ହେବନି। ଏନେଇ ରାଜ୍ୟ ସରକାର ବିଜ୍ଞପ୍ତି ଜାରି କରିବାକୁ କୁହାଯାଇଛି। ଏହାସହ ସମସ୍ତ ଜିଲ୍ଲାପାଳ ତାଙ୍କ ଅଧୀନରେ ଥିବା ରାସ୍ତା କଡ଼ରୁ ସମସ୍ତ ବେଆଇନ ନିର୍ମାଣକୁ ତୁରନ୍ତ ଉଚ୍ଛେଦ କରିବେ। ସେହିପରି ରାସ୍ତାର ସେଫ୍ ଜୋନ୍ ଭିତରେ କୌଣସି ହୋଟେଲ, ଢାବା ଏବଂ ପ୍ରତିଷ୍ଠାନକୁ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ ସ୍ଥାନୀୟ ପୌରାଞ୍ଚଳ କର୍ତ୍ତୃପକ୍ଷ କୌଣସି ଲାଇସେନ୍ସ, ଟ୍ରେଡ୍ ଲାଇସେନ୍ସ, ଏନ୍‌ଓସି ଦେବେନି।