ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମଦ ବିକ୍ରିକୁ ବିରୋଧ କରିବାରୁ ଭୋଗିଲେ ପରିଣାମ। କୂଅ, ନଳକୂଅରେ କୀଟନାଶକ ଢାଳିଦେଲେ ମଦ ବ୍ୟବସାୟୀ। ଏପରି ଏକ ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ତାଲବ ପଞ୍ଚାୟତ ଅନ୍ତର୍ଗତ କେନାଲପଡ଼ାରେ। ତେବେ ମଦ ବେପାରୀ ସୁଜିତ ଲୁହା ଓ ଅଜିତ ଲୁହା ଗାଁ ନଳକୂଅ ଏବଂ କୂଅରେ କୀଟନାଶକ ପକାଇଥିବା ଗୁରୁତର ଅଭିଯୋଗ ହୋଇଛି। ଏ ସଂକ୍ରାନ୍ତରେ ଗ୍ରାମବାସୀ ସମ୍ବଲପୁର ଜିଲ୍ଲାପାଳ ଓ ଏସ୍ପିଙ୍କୁ ଅବଗତ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ପ୍ରାରମ୍ଭିକ ଯାଞ୍ଚରୁ ପାଣିରେ ବିଷାକ୍ତ ପଦାର୍ଥ ପଡ଼ିଥିବା ସ୍ପଷ୍ଟ ହୋଇଛି। ହେଲେ ବର୍ତ୍ତମାନ ସୁଦ୍ଧା କାହାକୁ ଗିରଫ ତ ଦୂରର କଥା, ଏତଲା ନ ହେବା ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଜିଲ୍ଲାପାଳ ସିଦ୍ଧେଶ୍ବର ବଳିରାମ ବୋନ୍ଦର କହିଛନ୍ତି, ଘଟଣାର ଯାଞ୍ଚ ଜାରି ରହିଛି। ପାଣିର ନମୁନା ଭୁବନେଶ୍ବରକୁ ପଠାଯିବ ଏବଂ ଅଭିଯୋଗର ସତ୍ୟତା ଜଣାପଡ଼ିଲେ କାର୍ଯ୍ୟାନୁଷ୍ଠାନ ହେବ। ଗ୍ରାମବାସୀଙ୍କ ପାଇଁ ବିକଳ୍ପ ପାଣି ବ୍ୟବସ୍ଥା କରିବାକୁ କୁହାଯାଇଛି। ସେପଟେ ତାଲବ ପଞ୍ଚାୟତରେ ଗୋଟିଏ ଗୋଷ୍ଠୀ ପକ୍ଷରୁ କୁଚିଆ ମଦ ବିକ୍ରିକୁ ବିରୋଧ କରାଯାଇଆସୁଛି। ପୂର୍ବରୁ ଏହାକୁ ନେଇ ଶାସନ ଥାନାରେ ଏତଲା ପରେ ମଦ ବ୍ୟବସାୟୀ ସୁଜିତ ଓ ଅଜିତ ଘରୁ ମଦ ଜବତ ହୋଇଥିଲା। ଏହାକୁ ନେଇ ଉଭୟଙ୍କ ଗାଁର ଗୋଟିଏ ଗୋଷ୍ଠୀ ସହିତ ତୀବ୍ର ଶତ୍ରୁତା ରହିଛି।
ବିଭିନ୍ନ ସମୟରେ ସେମାନଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହେଉଛି। ଆଜି ସକାଳେ ଦୁଇ ଭାଇ ଅଭାବନୀୟ କାଣ୍ଡ ଘଟାଇଥିଲେ। ଗ୍ରାମବାସୀଙ୍କ ଅଭିଯୋଗ ମୁତାବକ ଦୁହେଁ କୂଅ, ନଳକୂଅ ଓ ପରିବା ଚାଷରେ ଏସିଡ୍ କିମ୍ବା କୌଣସି ବିଷାକ୍ତ ପଦାର୍ଥ ପକାଇବା ଦେଖି ଲୋକେ ବିରୋଧ କରିଥିଲେ। ଫଳରେ ଦୁଇ ଅଭିଯୁକ୍ତ ଓ ଗ୍ରାମବାସୀ ପୁଣି ମୁହାଁମୁହିଁ ହୋଇଥିଲେ। ଗାଁ ଲୋକେ ଶାସନ ଥାନାକୁ ଯାଇଥିବାବେଳେ ପୁଲିସ ସେମାନଙ୍କଠାରୁ ଏତଲା ଗ୍ରହଣ କରିବା ପରିବର୍ତ୍ତେ ଦୁର୍ବ୍ୟବହାର ଓ ଠେଲାପେଲା କରିଥିବା ଅଭିଯୋଗ ହୋଇଛି ।
ଗ୍ରାମର ସୁଜାତା ବାଗ, ପିଙ୍କି ବୁଡ଼ାଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳ ଓ ଏସ୍ପିଙ୍କୁ ଭେଟି ଘଟଣା ସଂପର୍କରେ ଜଣାଇବା ସହ ଗାଁରେ ଜଳଯୋଗାଣ ବ୍ୟବସ୍ଥା ପାଇଁ ଅନୁରୋଧ କରିଥିଲେ। ଆର୍ଡବ୍ଲୁଏସ୍ଏସ୍ କର୍ମଚାରୀ କେନାଲପଡ଼ା ଗାଁକୁ ଯାଇ ନଳକୂଅ ଓ କୂଅର ଜଳ ନମୁନା ସଂଗ୍ରହ କରିବା ସହ ପରୀକ୍ଷଣ ପାଇଁ ଭୁବନେଶ୍ବର ପଠାଇଛନ୍ତି। ରିପୋର୍ଟ ଆସିବା ଯାଏଁ ସେହି ନଳକୂଅ ଓ କୂଅ ପାଣି ବ୍ୟବହାର ନ କରିବାକୁ ଗ୍ରାମବାସୀଙ୍କୁ ସଚେତନ କରାଯାଇଛି।
