ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ୨୦୨୬ ମସିହା ଶେଷ ସୁଦ୍ଧା ଦେଶର ସମସ୍ତ ଜାତୀୟ ରାଜପଥରୁ ହଟିବ ଟୋଲ୍ ପ୍ଲାଜା । ଏନେଇ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ସୂଚନା ଦେଇଛନ୍ତି। ତେବେ ବର୍ତ୍ତମାନ ଟୋଲ ବୁଥ୍ ବ୍ୟବସ୍ଥା ପରିବର୍ତ୍ତେ ଏକ ଅତ୍ୟାଧୁନିକ ବାଧାମୁକ୍ତ ବ୍ୟବସ୍ଥା କାର୍ଯ୍ୟକାରୀ ହେବ ବୋଲି ଗଡକରୀ କହିଛନ୍ତି । ଏହା ନୂତନ ବ୍ୟବସ୍ଥା ଅଧିନରେ ଗାଡ଼ିଗୁଡ଼ିକୁ ଟୋଲ ପ୍ଲାଜାରେ ଆଉ ଧାଡ଼ି ବାନ୍ଧି ଅଟକିବାକୁ ପଡ଼ିବ ନାହିଁ, ବରଂ ଗାଡ଼ି ଚାଲୁଥିବା ସମୟରେ ହିଁ ସ୍ଵୟଂଚାଳିତ ଭାବେ ଟୋଲ ଆଦାୟ କରାଯାଇପାରିବ । ଏହି ନୂଆ ବ୍ୟବସ୍ଥା ମୁଖ୍ୟତଃ ସ୍ଵୟଂଚାଳିତ ନମ୍ଵର ପ୍ଲେଟ୍ ଚିହ୍ନଟ ଟେକନିକ୍ ଓ ଫାସଟ୍ୟାଗ୍ ଉପରେ ଆଧାରିତ ହେବାକୁ ଥିବାବେଳେ ଏହି ପ୍ରକ୍ରିୟାରେ ଜଣେ ଯାତ୍ରୀ କେବଳ ସେତିକି ଦୂରତା ପାଇଁ ଟୋଲ୍ ଦେବ, ଯେତିକି ଦୂରତା ସେ ରାଜପଥରେ ଅତିକ୍ରମ କରିଥିବେ। ଏହା ଦ୍ଵାରା ଯାତ୍ରା ଖର୍ଚ୍ଚରେ ମଧ୍ୟ ବଡ଼ ଧରଣର ହ୍ରାସ ଘଟିବ।

ଯେଉଁଠାରେ ବର୍ତ୍ତମାନ ୧୨୫ରୁ ୧୫୦ଟଙ୍କା ଟୋସି ଫି ଦେବାକୁ ପଡ଼ୁଛି, ସେଠାରେ ଏହା ପ୍ରାୟ ୧୫ଟଙ୍କାକୁ ଖସିଆସିବ ବୋଲି କେନ୍ଦ୍ର ପରିବହନ ମନ୍ତ୍ରୀ ଦାବି କରିଛନ୍ତି। ଏଥିସହିତ ୩ହଜାର ଟଙ୍କାର ଏକ ସ୍ଵତନ୍ତ୍ର ପାସ୍ ବ୍ୟବସ୍ଥା ମଧ୍ୟ ରହିବ, ଯାହା ମାଧ୍ୟମରେ ୨୦୦ଟି ଟୋଲ୍ କ୍ରସିଂ ଦେଇ ଯାତ୍ରା କରିହେବ। ଦେଶର ୮୫ଟି ସ୍ଥାନରେ ଏହି ପରୀକ୍ଷାମୂଳକ ବ୍ୟବସ୍ଥା ସଫଳ ହୋଇଥିବା ବେଳେ ବର୍ଷ ଶେଷ ସୁଦ୍ଧା ଏହା ସାରା ଦେଶରେ ଲାଗୁ ହେବ ବୋଲି କହିଛନ୍ତି।