ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ):ମମତା ଇସ୍ତଫା ନ ଦେବାରୁ ତାଙ୍କ କ୍ୟାବିନେଟ୍ ଭାଙ୍ଗିଲେ ରାଜ୍ୟପାଳ ଆର.ଏନ୍. ରବି । ତେବେ ରାଜ୍ୟପାଳ ସାମ୍ବିଧାନିକ ପ୍ରକ୍ରିୟା ଅନୁଯାୟୀ ମନ୍ତ୍ରିମଣ୍ଡଳକୁ ବରଖାସ୍ତ କରିଛନ୍ତି। ନୂଆ ବିଧାନସଭା ଗଠନ ପ୍ରକ୍ରିୟା ଶେଷ ହୋଇଥିବାରୁ ପୁରୁଣା ବିଧାନସଭାକୁ ଭଙ୍ଗ କରାଯାଇଛି। ମେ ୪ରେ ନିର୍ବାଚନୀ ଫଳାଫଳରେ କେବଳ ଟିଏମସି ପରାଜୟ ଭୋଗିନାହିଁ ବରଂ ମମତା ବାନାର୍ଜୀ ଭବାନୀପୁରରୁ ନିଜ ସିଟ୍ ବି ବଞ୍ଚାଇ ପାରି ନାହାନ୍ତି।
୧୫ ବର୍ଷ ପର୍ଯ୍ୟନ୍ତ ଶାସନରେ ଥିବା ମମତା ବାନାର୍ଜୀଙ୍କ ଅଭେଦ୍ୟ ଦୁର୍ଗକୁ ଭେଦ କରି ବିଜେପି ୨୦୭ ସିଟ୍ ଜିତି ଐତିହାସିକ ବିଜୟ ହାସଲ କରିଛି। ଲୋକଭବନ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ରାଜ୍ୟପାଳ ଆରଏନ ରବି ପଶ୍ଚିମବଙ୍ଗ ରାଜ୍ୟ ବିଧାନସଭାର କାର୍ଯ୍ୟକାଳ ପୂରା ହେବା ପରେ ମେ ୭ରେ ବିଧାନସଭା ଭଙ୍ଗ କରିଛନ୍ତି। ବର୍ତ୍ତମାନର ବିଧାନସଭା ୨୦୨୧ ମେରେ ଗଠନ ହୋଇଥିଲା ଏବଂ ମମତା ତୃତୀୟ ଥର ରାଜ୍ୟରେ କ୍ଷମତାସୀନ ହୋଇଥିଲେ।
ତେବେ ୨୦୨୬ ମେ ୪ରେ ନିର୍ବାଚନ ଫଳାଫଳ ପ୍ରକାଶ ପରେ ବର୍ତ୍ତମାନର ବିଧାନସଭାର କାର୍ଯ୍ୟକାଳ ଆନୁଷ୍ଠାନିକ ଭାବେ ସମାପ୍ତ ହେଉଛି। ସେପଟେ ମମତା ବାନାର୍ଜୀ କହିଥିଲେ ଯେ, ସେ ଲୋକଭବନ ଯିବେ ନାହିଁ କି ଇସ୍ତଫା ଦେବେ ନାହିଁ। ତାଙ୍କୁ ଯଦି ବରଖାସ୍ତ କରିବାର ଅଛି ତେବେ କରି ପାରନ୍ତି। ଏହି ନିର୍ବାଚନ ଫଳାଫଳକୁ ଜନାଦେଶ ନୁହେଁ ବରଂ ଏକ ‘ଷଡ଼ଯନ୍ତ୍ର’ ବୋଲି କହିଛନ୍ତି। ପ୍ରାୟ ୧୦୦ଟି ସିଟ୍ରେ ଜନାଦେଶକୁ ଲୁଟ୍ କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି।
