ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ତାମିଲନାଡୁ ରାଜନୀତିରେ ଆରମ୍ଭ ହୋଇଛି ନୂଆ ଯୁଗ। ଗତକାଲି ମୁଖ୍ୟମନ୍ତ୍ରୀ ଭାବେ TVK ମୁଖ୍ୟ ବିଜୟ ଶପଥ ନେବାପରେ ଆଜି ହଠାତ ତାଙ୍କ ବିରୋଧୀ DMK ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କୁ ତାଙ୍କ ବାସଭବନରେ ଭେଟି ସମସ୍ତଙ୍କୁ ଚକିତ କରିଦେଇଛନ୍ତି | ଆଜି ବିଜୟ ଷ୍ଟାଲିନଙ୍କ ଚେନ୍ନାଇସ୍ଥିତ ବାସଭବନକୁ ଯାଇ ତାଙ୍କୁ ସାକ୍ଷାତ କରିଛନ୍ତି। ତେବେ ଦଶନ୍ଧି ଦଶନ୍ଧି ଧରି ତାମିଲନାଡୁରେ ଚାଲିଆସୁଥିବା ଡିଏମକେ ଏବଂ ଏଆଇଏଡିଏମକେର ଦବଦବାକୁ ଶେଷ କରି ଐତିହାସିକ ବିଜୟ ହାସଲ କରିଥିଲା TVK | ରାଜ୍ୟର ପ୍ରଥମ ଅଣ-ଦ୍ରାବିଡ଼ ମୁଖ୍ୟମନ୍ତ୍ରୀ ଭାବେ ବିଜୟ ଶପଥ ନେଇଛନ୍ତି | ଆଉ ଦାୟିତ୍ୱ ଗ୍ରହଣ କରିବା ପରେ ଉଭୟ ନେତାଙ୍କ ଏହି ସାକ୍ଷାତକାର ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
ଗଣମାଧ୍ୟମକୁ ଜାରି କରାଯାଇଥିବା ଭିଜୁଆଲରେ ଦେଖିବାକୁ ମିଳିଛି ଯେ, ମୁଖ୍ୟମନ୍ତ୍ରୀ ବିଜୟ ଏକ କଳା ରଙ୍ଗର ସୁଟ୍ ପିନ୍ଧି ଷ୍ଟାଲିନଙ୍କୁ ହାତ ଯୋଡ଼ି ସମ୍ମାନ ଜଣାଉଛନ୍ତି ଏବଂ ପ୍ରତିବଦଳରେ ଷ୍ଟାଲିନ ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି। ଯଦିଓ ଏହି ଦୁଇ ନେତାଙ୍କ ମଧ୍ୟରେ କ’ଣ ଆଲୋଚନା ହୋଇଛି ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ, କିନ୍ତୁ ରାଜ୍ୟର ବିକାଶ ଏବଂ ଭବିଷ୍ୟତ ରାଜନୀତି ପାଇଁ ଏହା ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି।
ତେବେ ଗତକାଲି ବିଜୟ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାପରେ ଷ୍ଟାଲିନ ତାଙ୍କୁ ଟ୍ୱିଟ କରି ଶୁଭେଚ୍ଛା ଜଣାଇଥିଲେ | ଆଉ ଆଜି ଏହି ସାକ୍ଷାତ ପରେ ଏହା ଏକ ସୌଜନ୍ୟମୂଳକ ସାକ୍ଷାତ ବୋଲି ନିଜ ସୋସିଆଲ ମିଡ଼ିଆରେ ଲେଖିଛନ୍ତି |
ତେବେ, ଏଥର ତାମିଲନାଡୁ ନିର୍ବାଚନରେ ବିଜୟଙ୍କ ଦଳ ପାରମ୍ପରିକ ଦଳଗୁଡ଼ିକୁ ପଛରେ ପକାଇ ବଡ଼ ବିଜୟ ହାସଲ କରିଛି। ଦୀର୍ଘ ଦିନର ଡିଏମକେ ଏବଂ ଏଆଇଏଡିଏମକେ ଶାସନରେ ବିରାମ ଲଗାଇ ବିଜୟ ଏବେ ତାମିଲନାଡୁର ନୂଆ ନାୟକ ଭାବେ ଉଭା ହୋଇଛନ୍ତି।
