ସତ୍ୟପାଠ ବ୍ୟୁରୋ: ଝାରସୁଗୁଡ଼ା ପୋଲିସକୁ ମିଳିଛି ଏକ ବଡ଼ ସଫଳତା । ବେଲପାହାଡ଼ ଅଞ୍ଚଳରେ ଘଟିଥିବା ଚାଞ୍ଚଲ୍ୟକର ହତ୍ୟାକାଣ୍ଡର ଦୁଇ ଜଣ ପ୍ରମୁଖ ଅଭିଯୁକ୍ତ ପୋଲିସ ଏନକାଉଣ୍ଟରରେ ଆହତ ହୋଇଛନ୍ତି । ସେମାନେ ହେଲେ ସମ୍ବଲପୁର ବୁର୍ଲା ଥାନା ଅନ୍ତର୍ଗତ ଗୌରପାଲି ଓସିବି କଲୋନୀର ସୁନୀଲ ମହାନନ୍ଦ ଓରଫ ଟାବୁ (୨୨) ଏବଂ ଚାନ୍ଦ ବନଛୋର (୨୫) ।
ବେଲପାହାଡ଼ ଥାନା ଅଞ୍ଚଳର ର୍କଲାଖମନ ନିକଟରେ ଏହି ଏନକାଉଣ୍ଟର ଘଟିଛି । ଖବର ପାଇ ପୋଲିସ ଅଭିଯୁକ୍ତଙ୍କ ପାଖରେ ପହଁଚିଥିବା ବେଳେ ସେମାନେ ଖସିଯିବା ପାଇଁ ପୋଲିସ ଉପରକୁ ୪ ରାଉଣ୍ଡ ଫାୟାର କରିଥିଲେ । ପୋଲିସ ପାଲଟା ଜବାବ ଦେଇ ଗୁଳି ଚାଳନା କରିବାରୁ ଦୁଇ ଅଭିଯୁକ୍ତଙ୍କ ଜଙ୍ଘରେ ଗୁଳି ବାଜିଥିବା ନେଇ ଝାରସୁଗୁଡ଼ା SP ସୂଚନା ଦେଇଛନ୍ତି । ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ବେଲପାହାଡ଼ ଫାଟକ ନିକଟରେ ଘଟିଥିବା ହତ୍ୟାକାଣ୍ଡରେ (କେସ୍ ନଂ ୮୮/୨୫୬) ଏହି ଦୁଇ ଜଣ ସିଧାସଳଖ ସମ୍ପୃକ୍ତ ଥିବା ନେଇ ପୋଲିସ ସ୍ପଷ୍ଟ କରିଛି । ସେମାନଙ୍କ ନାମରେ ସମ୍ବଲପୁର ଓ ବୁର୍ଲା ଥାନାରେ ପୂର୍ବରୁ ମଧ୍ୟ ଏକାଧିକ ସଙ୍ଗୀନ ଅପରାଧିକ ମାମଲା ରହିଛି । ଅଞ୍ଚଳରେ ଶାନ୍ତି ଓ ଆଇନ ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ଅପରାଧୀଙ୍କ ବିରୋଧରେ ଏଭଳି କଠୋର ଆଭିମୁଖ୍ୟ ଗ୍ରହଣ କରିଛି ।
