ସତ୍ୟପାଠ ବ୍ୟୁରୋ :12/05/2026: ଝାରସୁଗୁଡ଼ା ନିର୍ବାଚନୀ ବିବାଦ ମାମଲାରେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀଙ୍କୁ ସର୍ବୋଚ୍ଚ ନ୍ୟାୟାଳୟରୁ କୌଣସି ଆଶ୍ଵସ୍ତି ମିଳିନାହିଁ। ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଶ୍ରୀ ତ୍ରିପାଠୀ ଦାୟର କରିଥିବା ସ୍ୱତନ୍ତ୍ର ଅନୁମତି ପିଟିସନ କୁ ସୋମବାର ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଏହା ସହିତ ଦୀର୍ଘ ଦିନ ଧରି ଚାଲିଥିବା ଏହି ଆଇନଗତ ଲଢ଼େଇରେ ପୂର୍ବତନ ଝାରସୁଗୁଡା ବିଧାୟିକା ଦୀପାଳି ଦାସଙ୍କୁ ଆଶ୍ବସ୍ତି ମିଳିଛି ।
ଝାରସୁଗୁଡ଼ା ନିର୍ବାଚନକୁ ଚ୍ୟାଲେଞ୍ଜ କରି ଦୀପାଳି ଦାସ ଦାୟର କରିଥିବା ପିଟିସନର ବୈଧତାକୁ ନେଇ ଟଙ୍କଧର ପ୍ରଶ୍ନ ଉଠାଇଥିଲେ। ଶପଥପତ୍ରରେ ବୈଷୟିକ ତ୍ରୁଟି ଥିବା ଦର୍ଶାଇ ଏହି ମାମଲାକୁ ପ୍ରାରମ୍ଭିକ ପର୍ଯ୍ୟାୟରୁ ଖାରଜ କରିବାକୁ ସେ ହାଇକୋର୍ଟରେ ଆବେଦନ କରିଥିଲେ। ମାତ୍ର ଓଡ଼ିଶା ହାଇକୋର୍ଟ ଏହାକୁ ଅଗ୍ରାହ୍ୟ କରିବାରୁ ସେ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ।
ସୁପ୍ରିମକୋର୍ଟଙ୍କ ଡାଏରୀ ନମ୍ବର ୧୭୨୭୪/୨୦୨୬ ଅନୁଯାୟୀ, ୧୧ ମଇ ଭାରତର ମୁଖ୍ୟ ବିଚାରପତି ଏବଂ ଜଷ୍ଟିସ ଜୟମାଲ୍ୟ ବାଗଚୀଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ହୋଇଥିଲା।କୋର୍ଟ ବିଳମ୍ବକୁ କ୍ଷମା କରିବା ସହ ମାମଲାର ଶୁଣାଣି କରିଥିଲେ। ମାତ୍ର ଆବେଦନରେ କୌଣସି ଦୃଢ଼ ଆଧାର ନଥିବା ଦର୍ଶାଇ ଏହାକୁ ଖାରଜ କରିଦେଇଛନ୍ତି।ଏହି ମାମଲାଟି ଏବେ ସୁପ୍ରିମକୋର୍ଟରେ ସମ୍ପୂର୍ଣ୍ଣ ଭାବେ Disposed ହୋଇଯାଇଛି।
ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ପରେ ଏବେ ହାଇକୋର୍ଟରେ ଦୀପାଳି ଦାସଙ୍କ ନିର୍ବାଚନୀ ମାମଲାର ଶୁଣାଣି ପୂର୍ବବତ୍ ଜାରି ରହିବ। ଟଙ୍କଧର ଯେଉଁ ବୈଷୟିକ ଆଧାରରେ ମାମଲାକୁ ବନ୍ଦ କରିବାକୁ ଚାହୁଁଥିଲେ, ସେଥିରେ ସେ ବିଫଳ ହୋଇଛନ୍ତି। ଫଳରେ ଝାରସୁଗୁଡ଼ା ରାଜନୀତିରେ ଆଇନଗତ ପକ୍ଷ ଏବେ ଅଧିକ ରୋଚକ ମୋଡ଼ ନେଇଛି। ସୁପ୍ରିମକୋର୍ଟରେ ଦୀପାଳିଙ୍କ ପକ୍ଷରୁ ଆଇନଜୀବୀ ଅଭିଜ୍ଞାନ ଝା କ୍ୟାଭିଏଟ୍ ଦାଖଲ କରିଥିଲେ।
