ଭୁବନେଶ୍ବର(ସତ୍ୟପାଠ ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପେଟ୍ରୋଲ ଡିଜେଲ କମ୍ ବ୍ୟବହାର କହିବା ପରେ ସାରା ଦେଶରେ ଏନେଇ ହୋଇଚାଇ ସୃଷ୍ଟି ହୋଇଛି । ଏହା ମଧ୍ୟରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂହ ପୁରୀ ଆଜି ଦେଶରେ ମହଜୁଦ ଥିବା ଅଶୋଧିତ ତେଲ, ଏଲ୍‌ପିଜି ଓ ଏଲ୍‌ଏନ୍‌ଜି ସଂପର୍କରେ ସୂଚନା ଦେଇଛନ୍ତି। ଶିଳ୍ପ ସଂଘ ସିଆଇଆଇର ବାର୍ଷିକ ବ୍ୟବସାୟ ସମ୍ମିଳନୀରେ ଉଦ୍‌ବୋଧନ ଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପୁରୀ କହିଛନ୍ତି ଦେଶରେ ଇନ୍ଧନ ଏବଂ ରନ୍ଧନ ଗ୍ୟାସ ଯୋଗାଣ ସ୍ବାଭାବିକ ରହିଛି। ୬୯ ଦିନ ପାଇଁ ଅଶୋଧିତ ତେଲ ଓ ଏଲ୍‌ଏନ୍‌ଜି ଯଥେଷ୍ଟ ମାତ୍ରାରେ ଉପଲବ୍ଧ ରହିଛି।

ସେହିଭଳି ଦେଶରେ ଗଚ୍ଛିତ ଏଲ୍‌ପିଜି ମଧ୍ୟ ୪୫ ଦିନର ଆବଶ୍ୟକତା ପୂରଣ କରିବ। ତୁରନ୍ତ ଏସବୁର ଯୋଗାଣରେ କୌଣସି ଅସୁବିଧା ହେବନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।ଏଥିସହିତ ଦେଶରେ ରନ୍ଧନ ଗ୍ୟାସ ଉପଲବ୍ଧତାରେ ଉନ୍ନତି ଆଣିବା ପାଇଁ ସରକାର ଏଲ୍‌ପିଜି ଉତ୍ପାଦନରେ ବଡ଼ ବୃଦ୍ଧି ଆଣିଛନ୍ତି। ପୂର୍ବରୁ ଦୈନିକ ୩୫ରୁ ୩୬ ହଜାର ଟନ୍‌ ଏଲ୍‌ପିଜି ଉତ୍ପାଦନ ହେଉଥିଲା। କିନ୍ତୁ ବର୍ତ୍ତମାନ ମଧ୍ୟପ୍ରାଚ୍ୟ ଭୂରାଜନୈତିକ ଉତ୍ତେଜନା ପରିପ୍ରେକ୍ଷୀରେ ଦୈନିକ ଏଲ୍‌ପିଜି ଉତ୍ପାଦନ ୫୪ ହଜାର ଟନ୍‌କୁ ବୃଦ୍ଧି କରାଯାଇଛି। ମଧ୍ୟପ୍ରାଚ୍ୟ ଯୁଦ୍ଧ ପରେ ସରକାର ଏହି ସଂକଟକୁ ଦାୟିତ୍ବପୂର୍ଣ୍ଣ ଭାବେ ପରିଚାଳନା କରୁଛନ୍ତି।

ଦେଶର କୌଣସି ସ୍ଥାନରେ ଏସବୁ ସାମଗ୍ରୀ ଶେଷ ହୋଇଯାଏ ନାହିଁ।ଅର୍ଥନୀତି ଉପରେ ରହିଥିବା ଚାପ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ମୋଦୀ ଦେଇଥିବା ସଂଯମତା ଅବଲମ୍ବନ ପଦକ୍ଷେପ ସଂପର୍କରେ ଶ୍ରୀ ପୁରୀ କହିଛନ୍ତି ଦେଶର ନୀତି ନିର୍ମାତା ଓ ନାଗରିକମାନେ ଆର୍ଥିକ ବୋଝକୁ କିଭଳି କମ୍‌ କରାଯାଇ ପାରିବ ସେ ନେଇ ଚିନ୍ତା କରିବା ଆବଶ୍ୟକ। ମଧ୍ୟପ୍ରାଚ୍ୟ ଯୁଦ୍ଧ ପରିପ୍ରେକ୍ଷୀରେ ଆର୍ଥିକ ବୋଝ ହ୍ରାସ କରିବା ପାଇଁ ପ୍ରଧାନମନ୍ତ୍ରୀ ଦେଇଥିବା ଆହ୍ବାନ ପରିପ୍ରେକ୍ଷୀରେ କେଉଁସବୁ ପଦକ୍ଷେପ ନିଆଯାଇ ପାରିବ ସେ ସଂପର୍କରେ ଚିନ୍ତା କରିବା ଆମ ପାଇଁ ସତର୍କ ଘଣ୍ଟି ବୋଲି ସେ କହିଛନ୍ତି।