ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ । ଫୁସ୍ଫୁସ୍ରେ ରକ୍ତ ଜମାଟ ହେବା ଯୋଗୁଁ ମୁଲାୟମ ସିଂହଙ୍କ ସାନ ପୁଅର ହୋଇଛି ମୃତ୍ୟୁ । ୩୮ ବର୍ଷୀୟ ପ୍ରତୀକଙ୍କର ଲକ୍ଷ୍ନୌରେ ଆଜି ସକାଳେ ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇଥିଲା। ରକ୍ତଜମାଟ ହେବାଯୋଗୁ ଶ୍ବାସକ୍ରିୟା ଏବଂ ରକ୍ତ ସଞ୍ଚାଳନରେ ସମସ୍ୟା ଦେଖାଯାଇଥିଲା। ସେପଟେ ଲକ୍ଷ୍ନୌ ସିଭିଲ ହସ୍ପିଟାଲର ନିର୍ଦ୍ଦେଶକ ଡାକ୍ତର ଜିପି ଗୁପ୍ତା କହିଛନ୍ତି, ସକାଳ ୫ଟାରେ ପ୍ରତୀକଙ୍କ ସ୍ବାସ୍ଥ୍ୟ ଖରାପ ହେବା ନେଇ ଖବର ଆସିବା ପରେ ତୁରନ୍ତ ଏକ ମେଡିକାଲ ଟିମ୍ ତାଙ୍କ ବାସଭବନରେ ପହଞ୍ଚି ଥିଲା। ଡାକ୍ତରମାନେ ପହଞ୍ଚିବା ବେଳକୁ ତାଙ୍କ ଅବସ୍ଥା ଅତି ଜଟିଳ ହୋଇପଡ଼ିଥିଲା।
ତାଙ୍କୁ ହସ୍ପିଟାଲ ଅଣାଯାଇଥିଲା ଓ ଡାକ୍ତରୀ ଟିମ୍ର ସମସ୍ତ ପ୍ରୟାସ ସତ୍ତ୍ବେ ସକାଳ ୫ ଟା ୫୫ ମିନିଟରେ ପ୍ରତୀକଙ୍କୁ ମୃତ ଘୋଷଣା କରାଯାଇଥିଲା। ପ୍ରତୀକ ମୁଲାୟମ ସିଂହ ଯାଦବଙ୍କ ଦ୍ବିତୀୟ ପତ୍ନୀ ସାଧନା ଗୁପ୍ତାଙ୍କ ପୁଅ। ପ୍ରତୀକ ଉତ୍ତର ପ୍ରଦେଶର ଏକ ପ୍ରଭାବଶାଳୀ ରାଜନୈତିକ ପରିବାରରୁ ଆସିଥିଲେ ମଧ୍ୟ ରାଜନୀତିଠାରୁ ଦୂରରେ ରହି ନିଜ ବ୍ୟବସାୟ ଓ ଫିଟନେସ କାର୍ଯ୍ୟକ୍ରମ ଉପରେ ଗୁରୁତ୍ବ ଦେଉଥିଲେ।
