ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବାଲିଅନ୍ତା ସୌମ୍ୟ ରଞ୍ଜନ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ରଞ୍ଜିତ ପାତ୍ର ଗିରଫ। ତେବେ କଟକ ସଦର ଥାନା ଗଙ୍ଗେଶ୍ୱରଗଦାରୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଆହତ ସୌମ୍ୟଞ୍ଜନର ମୁଣ୍ଡକୁ କାଠ ଫଳିଆରେ ଆକ୍ରମଣ କରିଥିଲା ଅଭିଯୁକ୍ତ ରଞ୍ଜିତ। ତାପରେ ତାର ହାତଗୋଡ଼କୁ ଏକ ବାଉଁଶ ସାହାଯ୍ୟରେ ବାନ୍ଧି ଦିଆଯାଇଥିଲା।ରଞ୍ଜିତ କୁ ମିଶାଇ ମୋଟ୍ ୧୩ ଜଣ ଗିରଫ ହୋଇଛନ୍ତି। ସେପଟେ ସୌମ୍ୟରଞ୍ଜନଙ୍କୁ ପିଟିପିଟି ହତ୍ୟା ଘଟଣାରେ କ୍ରାଇମବ୍ରାଞ୍ଚ ଟିମ୍ ସୌମ୍ୟରଞ୍ଜନଙ୍କ ବନ୍ଧୁ କଟକ ଜିଲ୍ଲା ଓଲଟପୁର ଥାନା ମଉଜପୁରର ଓମ୍ପ୍ରକାଶ ରାଉତଙ୍କୁ ଜେରା କରିଥିଲା।
ଓମ୍ଙ୍କ ବୟାନ ଅନୁଯାୟୀ, ୭ ତାରିଖରେ ଓମ୍ ଏକ ଦୁଇଚକିଆ ଗାଡ଼ିରେ ଓଲଟପୁରରୁ ଭୁବନେଶ୍ବର ଆଡ଼କୁ ଆସୁଥିଲେ। ସାଙ୍ଗରେ ସୌମ୍ୟରଞ୍ଜନ ଆସିଥିଲେ। କାଜ ବ୍ରିଜ୍ ନିକଟରେ ସୌମ୍ୟରଞ୍ଜନ ଘରେ ପର୍ସ ଛାଡ଼ି ଆସିଥିବା ଓମ୍ଙ୍କୁ କହିଥିଲେ। ଗାଡ଼ି ବୁଲାଇ ଘରକୁ ଯିବାକୁ କହିବାରୁ ଓମ୍ ଗାଡ଼ି ବୁଲାଇ ପ୍ରାୟ ୧୦୦ ମିଟର ଆସିବା ପରେ ହଠାତ୍ ସୌମ୍ୟ ଓମ୍ଙ୍କ ଦୁଇ କାନ୍ଧକୁ ଦୁଇ ହାତରେ ପଛକୁ ଭିଡ଼ି ଦେଇଥିଲେ। ମାତ୍ର ୩୦ ସ୍ପିଡ୍ରେ ଗାଡ଼ି ଚଳାଉଥିଲେ ବି ଓମ୍ ବାଇକ୍ ଉପରୁ ନିୟନ୍ତ୍ରଣ ହରାଇଥିଲେ। ହାତ ଛଡ଼ାଇବାକୁ ଉଦ୍ୟମ କରିବା ସମୟରେ ଦୁଇ ଯୁବତୀଙ୍କ ସ୍କୁଟିକୁ ପଛପଟୁ ପିଟିଥିଲେ।
ଘଟଣାସ୍ଥଳରେ ଓମ୍, ସୌମ୍ୟରଞ୍ଜନ ଓ ସ୍କୁଟିରେ ଯାଉଥିବା ଦୁଇ ଯୁବତୀ ତଳେ ପଡ଼ି ଯାଇଥିଲେ। ଏହା ପରେ ସୌମ୍ୟରଞ୍ଜନ ରାଗିଯାଇ ଯୁବତୀଙ୍କୁ ମାଡ଼ ମାରିବାରୁ ସେ ଚେତାଶୂନ୍ୟ ହୋଇ ତଳେ ପଡ଼ିଯାଇଥିଲେ। ସେହିଭଳି ପୀଡ଼ିତା ଯୁବତୀ କ୍ରାଇମବ୍ରାଞ୍ଚକୁ ବୟାନରେ କହିଛନ୍ତି ଯେ ଦୁର୍ଘଟଣା ପରେ ସୌମ୍ୟ ତାଙ୍କୁ ଚାପୁଡ଼ା ମାରିବାରୁ ସେ ଚେତାଶୂନ୍ୟ ହୋଇପଡ଼ିଥିଲେ। ଚେତା ଫେରିବା ପରେ ପୁଣି ଥରେ ଚାପୁଡ଼ା ମାରିଥିବା ପୀଡ଼ିତା କ୍ରାଇମବ୍ରାଞ୍ଚକୁ ବୟାନ ଦେଇଛନ୍ତି। ସେଦିନ ଘଟଣାସ୍ଥଳକୁ ଜଣେ ପୁଲିସ ଏସ୍ଆଇ, ଜଣେ ହାବିଲଦାର, ଜଣେ କନେଷ୍ଟବଳ, ଦୁଇ ଜଣ ହାବିଲଦାର ଯାଇଥିଲେ।
ସେମାନଙ୍କୁ କ୍ରାଇମବ୍ରାଞ୍ଚ ତଦନ୍ତ ପରିସରଭୁକ୍ତ କରିବା ସହିତ ସମସ୍ତଙ୍କୁ ପୃଥକ ଭାବେ ଜେରା କରିଛି। ସେମାନଙ୍କ ବୟାନ ରେକର୍ଡ କରାଯାଇଛି। ଏହି ମାମଲାରେ ପୂର୍ବରୁ ବାଲିଅନ୍ତା ଥାନା ପୁଲିସ ୧୧ ଜଣଙ୍କୁ ଗିରଫ କରିଥିବା ବେଳେ କ୍ରାଇମବ୍ରାଞ୍ଚ ମାମଲାର ତଦନ୍ତଭାର ଗ୍ରହଣ କରିବା ପରେ ପ୍ରଥମ ଥର ପାଇଁ ବାଲିଅନ୍ତା ଥାନା ପୁଲିସ ବେଣୁପୁରର ବଣ୍ଟି ଓରଫ୍ ଯୁଧିଷ୍ଠିର ଜେନା(୨୩)କୁ ଗିରଫ କରିଥିଲା।
