ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଯଦି କେହି ଭାରତୀୟ ନାଗରିକଙ୍କ ଉପରେ ଆକ୍ରମଣ କରେ ସେନା ଘରେ ପଶି ପ୍ରତିଶୋଧ ନେବ । ରାଜସ୍ଥାନର ନାଗୌର ଅନ୍ତର୍ଗତ ମେର୍ଟା ସହରରେ ରାଜପୁତ ଶାସକ ରାଓ ଡୁଡାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରି ଏପରି କହି ବେଶ୍ ଚର୍ଚ୍ଚାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଏହି ଅବସରରେ ପଡ଼ୋଶୀ ପାକିସ୍ତାନକୁ ଅତ୍ୟନ୍ତ କଠୋର ଭାଷାରେ ଚେତାବନୀ ଦେଇ କହିଛନ୍ତି ଯେ, ଯଦି ପାକିସ୍ତାନ ପୁଣି ଥରେ ଭାରତ ଉପରେ ଖରାପ ନଜର ପକାଇବାକୁ ସାହସ କରେ, ତେବେ ତାକୁ ଏପରି ପରିଣତି ଭୋଗିବାକୁ ପଡ଼ିବ ଯାହା ପୂର୍ବରୁ କେବେ ଘଟିନାହିଁ। ଭାରତ ଆଉ ନୀରବରେ କଷ୍ଟ ସହିବାକୁ ପ୍ରସ୍ତୁତ ନୁହେଁ ବୋଲି କହିଛନ୍ତି ।

ରାଜନାଥ ସିଂହ ନିଜ ଅଭିଭାଷଣରେ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ମନେ ପକାଇ କହିଥିଲେ ଯେ, ଆତଙ୍କବାଦୀମାନେ ନିରୀହ ଲୋକଙ୍କୁ ସେମାନଙ୍କ ଧର୍ମ ପଚାରି ହତ୍ୟା କରିଥିଲେ। ମାତ୍ର ଭାରତୀୟ ସଂସ୍କୃତି ଜାତି ବା ଧର୍ମ ଆଧାରରେ ବିଭାଜନ ଶିଖାଏ ନାହିଁ। ଭାରତ ସବୁବେଳେ ନ୍ୟାୟ ଓ ମାନବିକତାରେ ବିଶ୍ୱାସ କରେ, କିନ୍ତୁ ଆତଙ୍କବାଦୀଙ୍କ ଏହି ବର୍ବର କାଣ୍ଡ ପାଇଁ ଭାରତ ଏପରି ଶକ୍ତିଶାଳୀ ଜବାବ ଦେଇଛି ଯେ ଶତ୍ରୁ ସ୍ତବ୍ଧ ହୋଇଯାଇଛି। ସେ ସ୍ପଷ୍ଟ କରିଛନ୍ତି ଯେ, ଯଦି କେହି ଭାରତୀୟ ନାଗରିକଙ୍କ ଉପରେ ଆକ୍ରମଣ କରେ, ତେବେ ସେନା ସେମାନଙ୍କ ଘରେ ପଶି ପ୍ରତିଶୋଧ ନେବ ବୋଲି କହିଛନ୍ତି।